Unknown

 

 

 

 

 

 

 

 

 

ସତ୍ୟାଗ୍ରହୀ

ଶ୍ରୀ ଅନନ୍ତ ମହାପାତ୍ର

 

ଉତ୍ସର୍ଗ

 

ଭାରତୀୟ ମୁକ୍ତି ସଂଗ୍ରାମର ଜଣେ ଅଗ୍ରଗାମୀ ସୈନିକ, ଦେଶୀୟରାଜ୍ୟ ମିଶ୍ରଣ ଆନ୍ଦୋଳନର ଅନ୍ୟତମ ଯୋଦ୍ଧା ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ଗ୍ରାମମଙ୍ଗଳ ଓ ଆଦିବାସୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପବିତ୍ରମୋହନ ପ୍ରଧାନଙ୍କ କରକମଳରେ ଭକ୍ତିର ନିଦର୍ଶନ ସ୍ୱରୂପ ‘ସତ୍ୟାଗ୍ରହୀ’ ଅର୍ପିତ ହେଲା ।

 

କଟକ

 

ସାଧାରଣ ତନ୍ତ୍ର ଦିବସ

ଅନନ୍ତ ମହାପାତ୍ର

୧୯୫୯

 

Image

 

କୃତଜ୍ଞତା ଜ୍ଞାପନ

 

‘‘ସତ୍ୟାଗ୍ରହୀ’’ ଉପନ୍ୟାସଟି ଯେଉଁମାନଙ୍କ ସାହାଯ୍ୟ ସହାନୁଭୂତି ନେଇ ଆତ୍ମପ୍ରକାଶ କରି ପାରିଲା, ସେହିମାନଙ୍କୁ ଗତାନୁଗତିକ ରୀତିରେ କୃତଜ୍ଞତା ଜଣାଇବାରେ ନିଜଆଡ଼ୁ ଦ୍ୱିଧା ମଣୁଛି । ତଥାପି ମୋର ଆଶା ବଂଧୁମାନେ ତାହା ଗ୍ରହଣ କରିବେ । ଆଉ ମଧ୍ୟ ସତ୍ୟାଗ୍ରହୀ ଉପନ୍ୟାସ–ଚଳନ୍ତି ସତ୍ୟାଗ୍ରହୀ ଶ୍ରୀ ବିଶ୍ୱମ୍ଭର ପରିଡ଼ାଙ୍କଠାରୁ ତା’ର ମୁକ୍ତି ଦିଗରେ ଯେଉଁ ସହାୟତା ଲାଭକରିଛି, ତାହା ବାସ୍ତବିକ୍ ଉଲ୍ଲେଖଯୋଗ୍ୟ ।

 

ପ୍ରଜାତନ୍ତ୍ର ପ୍ରେସର ବଂଧୁମାନଙ୍କୁ ଏଥିଲାଗି ଆନ୍ତରିକ ଶ୍ରଦ୍ଧା ଜ୍ଞାପନ କରୁଅଛି ।

ଲେଖକ

Image

 

ସତ୍ୟାଗ୍ରହୀ

 

ଲୁଣା ହାଟରେ ଯେଉଁଦିନ ବଳରାମବାବୁ ଆରେଷ୍ଟ ହେଲେ ସେଦିନ ସମଗ୍ର ଲୁଣା ଅଞ୍ଚଳଟା ଯେପରି ଦୁଲ୍ ଦୁଲ୍ ହୋଇ କମ୍ପିଉଠିଲା । କେତେଲୋକ ଯେ କେତେ ଆଡ଼ୁ ଆସି ହାଟରେ ଜମା ହୋଇଥିଲେ ତା’ର ଠିକଣା ନାହିଁ । ବଳରାମ ବାବୁଙ୍କୁ ପୋଲିସ ଆରେଷ୍ଟ କରିବା ପରେ ଅବସ୍ଥା ଯେଉଁ ଭଳି ଅସମ୍ଭାଳ ହୋଇଉଠିଲା ସେଥିରେ ନିଜେ ବଳରାମବାବୁ ହାତଯୋଡ଼ି ଜନତା ପ୍ରତି ଦୁଇପଦ ନ କହିଥିଲେ ୧୦/୫୦ ଜଣ ପୋଲିସବାଲାଙ୍କ ରକ୍ତରେ ହାଟର ମାଟି ଯେ ଲାଲ ହୋଇ ଯାଇଥାଆନ୍ତା ଏଥିରେ ତିଳେ ହେଲେ ସନ୍ଦେହ ନ ଥିଲା ।

 

ଖୋଲା ଜିପ୍ ଗାଡ଼ିଟାର ପଛ ସିଟ ଉପରେ ଛିଡ଼ାହୋଇ ବିନୀତ ଭାବରେ ବଳରାମ ବାବୁ କହିଲେ–ଲୁଣା ଅଞ୍ଚଳବାସୀ ଭାଇ ଓ ଭଉଣୀମାନେ । ମୋର ଅଳ୍ପଦିନିଆ କାର୍ଯ୍ୟକାଳ ମଧ୍ୟରେ ମୁଁ ଆପଣମାନଙ୍କଠାରୁ ଯେଉଁ ସ୍ନେହ ସହାନୁଭୂତି ପାଇ ପାରିଛି ତାହା ଏ ଜନ୍ମରେ ଭୁଲିବା ଦୂରେ ଥାଉ, ପର ଜନ୍ମରେ ମଧ୍ୟ ଭୁଲି ପାରିବି ନାହିଁ । ବିଦେଶୀ ଶାସକକର୍ତ୍ତୃକ ମୋର ବନ୍ଧନ ଆପଣମାନଙ୍କୁ ବିଚଳିତ କରିଦେଉଛି । ଏହାର ପ୍ରତିଶୋଧ ଲାଗି ଆପଣମାନେ ଯେଉଁ ପନ୍ଥା ଧରିବାକୁ ଉଦ୍ୟତ ହେଲେଣି ତାହା ଆମ ସେନାପତିଙ୍କର ନୀତି ବିରୁଦ୍ଧ ।

 

ଅହିଂସାଦ୍ୱାରା ଭାରତରେ ସ୍ୱାଧୀନ ଧ୍ୱଜା ଉଡ଼ାଇ ସମଗ୍ର ବିଶ୍ୱ ଇତିହାସରେ ଭାରତୀୟ ଆଦର୍ଶ ଲିପିବଦ୍ଧ କରିବା ତାଙ୍କର ଇଚ୍ଛା । ତେଣୁ ଆପଣମାନେ ପ୍ରତିହିଂସାତ୍ମକ ପନ୍ଥା ପରିହାର କରନ୍ତୁ । ଏହାହିଁ ମୋର ବିନୀତ ନିବେଦନ ।

 

ବଳରାମ ବାବୁଙ୍କ ଦୁଇପଦ କଥାରେ ଉଚ୍ଛୃଙ୍ଖଳିତ, ଆଉ ଉତ୍ତେଜିତ ଜନତା ମନ୍ତ୍ରମୁଗ୍ଧ ସାପ ପରି ନୀରବ ନିଶ୍ଚଳ ହୋଇ ପଡ଼ିଲେ । ପୋଲିସବାଲାଙ୍କ ଦେହରେ ଟିକିଏ ଚେତନା ପଶିଲା-

 

ବଳରାମ ବାବୁଙ୍କ ଉଦ୍ଦେଶ୍ୟରେ ଜନତା ତରଫରୁ ସଂଗୃହୀତ ହୋଇଥିବା ଫୁଲମାଳମାନ ଜଣ ଜଣ କରି ତାଙ୍କ ବେକରେ ଲମ୍ୱାଇ ଦେଲେ । ସାମ୍ୱାଦିକଙ୍କ ପକ୍ଷରେ ଫୁଲମାଳର ସଂଖ୍ୟା କରିବାତ ସମ୍ଭବ ହେଲାନି ତେବେ ଜିପ୍ ଗାଡ଼ିଟା ଏତେ ଫୁଲମାଳ ବୋହି ନେଇ ପାରିବ କି ନାହିଁ ସନ୍ଦେହ ହେଲା । ଲୁଣା ଅଞ୍ଚଳ ଗ୍ରାମବାସୀ ତଥା ସାଧାରଣ ଅନୁଷ୍ଠାନମାନଙ୍କ ତରଫରୁ ବଳରାମ ବାବୁଙ୍କୁ ଯେଉଁ ଭଳି ଭାବରେ ସମ୍ୱର୍ଦ୍ଧନା କରାଗଲା, ସେଥିରେ ସେ କାହିଁକି ଯେ କୌଣସି ବ୍ୟକ୍ତି ଗୌରବାନ୍ୱିତ ହେବାର କଥା । ହଜାର ହଜାର ଫୁଲମାଳ ଗ୍ରହଣ କରିବା ଭିତରେ ଗୋଟିଏ ଫୁଲମାଳ ଉପରେ ବଳରାମ ବାବୁଙ୍କର ସ୍ନେହ, ମମତା, ଗୌରବ ଓ ସର୍ବୋପରି ଆକର୍ଷଣ ଦୃଢ଼ୀଭୂତ ହୋଇଗଲା । ଏହା ଉପସ୍ଥିତ ଦର୍ଶକମାନଙ୍କ ମଧ୍ୟରୁ ଖୁବ୍ କମ୍ ଦର୍ଶକ ହୁଏତ ଅନୁମାନ କରି ପାରିଥିବେ ।

 

ଲୁଣା ଉଚ୍ଚ ଇଂରାଜୀ ବିଦ୍ୟାଳୟ ଛାତ୍ରୀମାନଙ୍କ ତରଫରୁ ଯେଉଁ ଗୋଲାପ ଫୁଲମାଳଟି ସେଇ ସ୍କୁଲ ଏକାଦଶ ଶ୍ରେଣୀର ଛାତ୍ରୀ କୁମାରୀ ସରୋଜିନୀ ଦେବୀଙ୍କଦ୍ୱାରା ବଳରାମ ବାବୁଙ୍କ ବେକରେ ଲମ୍ୱିଗଲା, ସେହି ଗୋଟିକ ହିଁ ଉଲ୍ଲେଖଯୋଗ୍ୟ ।

 

ସରୋଜିନୀ ଦେବୀ ଗୋଲାପମାଳଟି ବଳରାମବାବୁଙ୍କ ବେକରେ ଲମ୍ୱାଇ ଦେଲାବେଳେ ମାଳଗ୍ରହୀତା ଯେପରି ଭାବେ ନିଜର ମୁଣ୍ଡକୁ ଅବନତ କରିଦେଲେ, ସେତିକି ବୋଧହୁଏ ଅନ୍ୟ କୌଣସି ମାଳ ଗ୍ରହଣ କଲାବେଳେ ନୁଆଇଁ ନଥିବେ । ସରୋଜିନୀଠାରୁ ଅଳ୍ପ ଉଚ୍ଚତା ବିଶିଷ୍ଟ ଲୋକ ବଳରାମ ବାବୁଙ୍କୁ ଯେ– ମାଳ ନ ଦେଇଛନ୍ତି ଏପରି ଭାବିବା ଠିକ୍ ନୁହେଁ । ସରୋଜିନୀ ଦେବୀ ଫୁଲମାଳଟି ବଳରାମବାବୁଙ୍କୁ ପିନ୍ଧାଇ ଦେଇ ଫେରିବା ପରେ ନିଜ ଆଖିରେ ଧୂଳିକଣା କିମ୍ୱା ଛୋଟ କୀଟାଦି ପଡ଼ିବାର ବାହାନା ଦେଖାଇ ନିଜେ ନିଜେ ଧରାପଡ଼ି ଯାଉଥାଆନ୍ତି-। ସରୋଜିନୀ ସିନା କେବଳ ଆଖି ଦୁଇଟିକୁ କାହାକୁ ନ ଦେଖାଇବାର ଚେଷ୍ଟା କରୁଥାନ୍ତି, ମାତ୍ର ତାହା ଯେ ଆହୁରି ଅଗ୍ରଗତି ଲାଭ କରି ସାରିଲାଣି, ଭାବନାଚକ୍ରରେ ପଡ଼ି ସେ ବୋଧହୁଏ ତାହା ଅନୁଭବ କରିପାରୁ ନାହାନ୍ତି ।

 

ଏ ସବୁ ତ ଦେଶର କାମ, ସେମାନଙ୍କ ପାଇଁ ବ୍ୟସ୍ତ ହେଲେ କ’ଣ ହେବ ? କହି କହି ସ୍କୁଲ ଶିକ୍ଷୟିତ୍ରୀ ସୁଷମା ଦେବୀ ସରୋଜିନୀର ଗାଲରୁ ଲୁହ ଦୁଇଧାର ନିଜ କାନିରେ ପୋଛି ଦେଲେ । ସେତେବେଳେ ସରୋଜିନୀ ସାଙ୍ଗ ସାଥି ପିଲାମାନଙ୍କ ଆଗରେ ଧରା ପଡ଼ିଗଲେ ସତ, ମାତ୍ର ଏପରି ଗୋଟାଏ ସାଧାରଣ ଦୁଃଖପୂର୍ଣ୍ଣ ପରିସ୍ଥିତିରେ ଥଟ୍ଟା ଟାପରା କିଏ ବା କିପରି କରିବ ?

 

ଉପସ୍ଥିତ ଜନତା କେହି କାହାକୁ କିଛି ନ କହିଲେ ସୁଦ୍ଧା ଅଧିକାଂଶ ମନ ମଧ୍ୟରେ ଅନୁଭବ କରିଛନ୍ତି ଯେ– ସରୋଜିନୀ ଆଉ ବଳରାମବାବୁଙ୍କର ମିଳନ ନିଶ୍ଚିତ ଭାବେ ମଣି-କାଞ୍ଚନ ଯୋଗ ପରି ।

 

ଆଜି କାଲି ଯୁଗରେ କାନ୍ଦିବାଟା ଗୋଟାଏ ଦୁର୍ବଳତା ବୋଲି ଖୁବ୍ ବଡ଼ ବଡ଼ ଚେତନାଶୀଳ ଲୋକମାନଙ୍କଠାରୁ ମଧ୍ୟ ଶୁଣାଯାଏ । କିନ୍ତୁ ରୁମାଲର ସୃଷ୍ଟି ନ ହୋଇଥିଲେ କୌଣସି କୌଣସି କ୍ଷେତ୍ରରେ ବଡ଼ ବଡ଼ ନେତାମାନେ ମଧ୍ୟ ଦୁର୍ବଳ ବୋଲି ଧରା ପଡ଼ି ଯାଆନ୍ତେ । ବଳରାମ ବାବୁଙ୍କ ପାଖରେ ଠିକ୍ ସେହି ଘଟଣାହିଁ ରୂପ ପାଇଲା, ସରୋଜିନୀ ଦେବୀ ଗୋଲାପ ଫୁଲ ମାଳାଟି ଯତ୍ନ ସହକାରେ ତାଙ୍କ ବେକରେ ଲମ୍ବାଇ ଦେଇ ଫେରିବାଠାରୁ ଠିକ୍‌ ତିନି ମିନିଟ୍‍ଯାଏ ବଳରାମବାବୁ ମୁହଁରୁ ରୁମାଲଟାକୁ ବାହାର କରି ପାରି ନାହାନ୍ତି ।

 

ସେ ଦିନର ଘଟଣା କାର୍ଯ୍ୟାନ୍ତରେ ପଛକୁ ଚାଲିଗଲା । ଗ୍ରାମବାସୀମାନେ ନିଜ ନିଜ ଘରକୁ ଫେରିଗଲେ । ଛାତ୍ର ଛାତ୍ରୀମାନେ ହାଟପଡ଼ିଆରୁ ଫେରି କ୍ଲାସରେ ଯୋଗଦେଲେ । ସରୋଜିନୀ ବଳରାମ ବାବୁଙ୍କୁ ଦେଇଥିବା ଫୁଲ ମାଳଟି ତା’ର ସମବୟସ୍କା ଛାତ୍ରୀମାନଙ୍କର ଉକ୍ତି ଅନୁସାରେ ‘‘ବରଣମାଳା’’ ନାମରେ ଆଖ୍ୟା ଲାଭ କରୁଥାଏ । ସରୋଜିନୀ ଏ କଥାରେ କୋପ ପ୍ରକାଶ କରୁଥାଏ ସତ, ମାତ୍ର ତା’ର କୋପ ଆନ୍ତରିକ ନୁହେଁ, ଏହା ସରଳମତି ଛାତ୍ରୀଗୁଡ଼ିକ ସମସ୍ତେ ନ ବୁଝୁଥିଲେ ବି କେତେଜଣ ବେଶ ବୁଝି ପାରୁଥିଲେ ।

 

ରେବତୀ ପଚାରିଲା– ଆଚ୍ଛା, ସରୋଜିନୀ ସତ କହିଲୁ ଏତେ ଲୋକ ତ ଫୁଲମାଳ ଦେଲେ, କେହି ତ କାନ୍ଦି ନାହାନ୍ତି, ତୁ କାନ୍ଦିଲୁ କାହିଁକି ? ମୁଁ କାନ୍ଦନ୍ତି କାହିଁକି ମ ? ମୋ ଆଖିରେ ଧୂଳି ଗୁଡ଼ାକ ପଶିଗଲା ବୋଲି ଲୁହ ବୋହିଗଲା ନା ? ମୀନୁ କହିଲା ବଳରାମବାବୁଙ୍କ ପାଇଁ ତୁ ଯେତେ କାନ୍ଦି କାନ୍ଦି ଗଡ଼ିଗଲେ ସୁଦ୍ଧା ସେ କ’ଣ ତୋ’ର ହୋଇ ପାରିବେ ? ସେ ତ ବଣ ବୁଲା ଚଢ଼େଇ, ଆଜି ଏ ଗଛରେ ତ କାଲି ସେ ଲଟାରେ ବସିବେ । ‘‘ଯୋଗଥିଲେ କିଏ ମନା କରିବ’’, ରେବତୀ କହିଲା । ଆଜିକି ବର୍ଷେ ହେଲା ଗୋରା ସରକାର ତାଙ୍କୁ ଖୋଜାଉଥିଲା । ତାଙ୍କୁ ଯିଏ ଧରିଦେବ ତାକୁ ୧୦ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି । ସେ ମୋଟେ ଚାରିମାସ ହେଲା ଏଠାକୁ ଆସିଥିଲେ ମ ? ଦିନ ତମାମ ହରିଶପୁର ଲଟା ଜଙ୍ଗଲରେ ରହନ୍ତି । ରାତିହେଲେ ଗାଁ ଗାଁ ବୁଲି ସଭା କରନ୍ତି । ସେ କୁଆଡ଼େ ଭାରି ଉଚ୍ଚ ଶିକ୍ଷିତ ।

 

ଆଚ୍ଛା ମୀନୁ ! ତୁମେ ସବୁ ସରୋଜିନୀକୁ କ’ଣ ବସେଇ ଉଠେଇ ଦେବନି ? ଯଦି ତୁମେ କହ ସରୋଜିନୀ ବଳରାମ ବାବୁଙ୍କୁ ‘‘ବରଣ ମାଳା’’ ଦେଲା, ତେବେ ସେ ବରଣ ମାଳା ତୁମ ସମସ୍ତଙ୍କର । ଆମ୍ଭମାନଙ୍କର ପ୍ରତିନିଧିତ୍ୱରେ ସରୋଜିନୀ ଫୁଲ ମାଳଟି ଦେଲା ସିନା ?

 

ମୀନୁ କହିଲା ନାହିଁମ ଶଶି ! ସବୁବେଳେ ଆମେ କ‘ଣ ସରୋଜିନୀକୁ ଥଟ୍ଟା କରୁଛୁ ? ଏତେ ଅଳ୍ପ ବୟସରେ ମଧ୍ୟ ଲୋକଟିର ପ୍ରାଣ କିପରି ଦେଶ ପାଇଁ କାନ୍ଦୁଛି, ନାହିଁ ଖିଆ, ନାହିଁ ପିଆ, ଦେହ ପ୍ରତି ନଜର ନାହିଁ, ଖାଲି ଦେଶ କାମ ।

 

ବଳରାମବାବୁଙ୍କ ବିଷୟରେ ମତେ କ’ଣ କହୁଚୁ ମ ମୀନୁ । ମୋ ବୈକୁଣ୍ଠ ଭାଇ ପରା ତାଙ୍କର କ୍ଲାସ ମେଟ୍ । ସେ ଏ ଅଞ୍ଚଳକୁ ଆସିଥିଲେ କେବଳ ବୈକୁଣ୍ଠ ଭାଇଙ୍କ ଭରସାରେ ? ବଳରାମବାବୁଙ୍କ ବାପ ଜଣେ ଫାଷ୍ଟକ୍ଲାସ ମାଜିଷ୍ଟ୍ରେଟ । ତାଙ୍କୁ ଗୋରା ସରକାର ରାୟ ବାହାଦୂର ଉପାଧି ଦେଇଛନ୍ତି । ଗଲା ବର୍ଷ ବଳରାମବାବୁ ଏମ୍.ଏସ.ସି. ପାଶ କଲା ପରେ ତାଙ୍କୁ ସବ୍‌ଡ଼େପୁଟି କାମ ପ୍ରଥମେ ଯାଚିଲେ । ମାତ୍ର ସେ ତାକୁ ହସି ହସି ଉଡ଼ାଇ ଦେଲେ । ସ୍କୁଲ କଲେଜରେ ପଢ଼ିବା ବେଳୁ ବଳରାମବାବୁ କଂଗ୍ରେସ କାମ କରନ୍ତି । ଏଇଥି ଲାଗି କେତେ ବନ୍ଧା ଆଗୁଳା ଯେ ହୋଇଛନ୍ତି ତା’ର ସୀମା ନାହିଁ । ବଇ ଭାଇ କହନ୍ତି ପରା, ‘‘ରାତିରେ ବଳରାମବାବୁଙ୍କ ଆଖିକୁ ନିଦ ଛୁଇଁ ପାରେ ନାହିଁ ।’’ ଦିନରେ ପାଠ ପଢ଼ିବେ, ରାତିରେ ସଭା, ସମିତି କରିବେ । ଏତେ କାମ କରିବା ସତ୍ତ୍ୱେ, କ୍ଲାସରେ ଫାଷ୍ଟ ବିନା ସେକେଣ୍ଡ ବି ହୋଇନାହାନ୍ତି । ସରକାରୀ ବୃତ୍ତିରେ ବିଲାତ ଯିବାପାଇଁ ତାଙ୍କ ବାପା କେତେ ପରି ବୁଝାଇଲେ, ମାତ୍ର ସେ ସବୁ ପାଣି ଫାଟିଗଲା । ବାପାଙ୍କର ଆଉ ଚାରା କ’ଣ-? ବଳରାମବାବୁଙ୍କ ଛାତ୍ର ଜୀବନର ଇତିହାସ ବଇଭାଇ ଯାହା କହନ୍ତି ସେ ସବୁ କଥା ଶୁଣିଲେ ତୁମେ ହସି ହସି ଗଡ଼ିଯିବ ଯେତିକି, ଆଶ୍ଚର୍ଯ୍ୟ ହେବ ତହିଁର ଚାରିଗୁଣ । ବାପ ତ ସରକାରୀ ଚାକିରୀଆ ମାଜିଷ୍ଟ୍ରେଟ, ପୁଅ କଂଗ୍ରେସବାଲା ତେଣୁ ତାଙ୍କ ଘରଟା ରାଜନୀତି ଚର୍ଚ୍ଚାର ଯେପରି ଗୋଟାଏ ଆଖଡ଼ା । ମା ପୁଅ ଗୋଟେ ତରଫ, ବାପ ବିଚରା ଏକୁଟିଆ ।

 

କଂଗ୍ରେସବାଲାଙ୍କର ଗୁପ୍ତ ବୈଠକମାନ ବଳରାମବାବୁଙ୍କ ଘରଠାରେ ଚାଲେ । ପୋଲିସବାଲା ଜାଣି ଶୁଣି ବି ସେଠାକୁ ଯାଇ ପାରନ୍ତି ନାହିଁ । କାରଣ ତାହା ଯେ ଜଣେ ମାଜିଷ୍ଟ୍ରେଟଙ୍କ ଘର ।

 

ସମୟେ ସମୟେ ରାଉତରା ବୁଢ଼ା ବଡ଼ ବ୍ୟସ୍ତ ହୋଇ କହନ୍ତି ତୋରି ଯୋଗୁ ମୋ ଚାକିରୀ ଖଣ୍ଡି ଚାଲିଯିବ ବଳରାମ ! ମୁଁ ସରକାରଙ୍କର ଅବିଶ୍ୱାସୀ ହୋଇଯିବି । ସରକାର ମୋ ଉପରେ ବିଶ୍ୱାସ ରଖି ମତେ ରାୟବାହାଦୂର ଉପାଧି ପ୍ରଦାନ କରିଛନ୍ତି । ବୁଢ଼ା ବ୍ୟସ୍ତ ହୋଇ ଏ କଥା କହିଲାବେଳୁ ପୁଅ କୁଆଡ଼େ ଉତ୍ତର ଦିଅନ୍ତି, ‘ବାପା ! ତୁମେ ବିଦେଶୀ ସରକାରଙ୍କଠାରୁ ଉପାଧିଟାଏ ପାଇ ଏଡ଼େ ଗୌରବାନ୍ୱିତ ହେଉଛ ସିନା, ମୁଁ ତଥା ଆମ କଂଗ୍ରେସବାଲାଙ୍କ ମତରେ ବିଦେଶୀ ଶାସକର ଉପାଧି ବ୍ୟାଧିଠାରୁ ଆହୁରି ଅପକାରୀ । ବୁଢ଼ା ଆଉ କହିବେ କ’ଣ, ନୀରବ ରହନ୍ତି ।

 

ତେଣେ ମହାତ୍ମାଗାନ୍ଧୀଙ୍କର ଅସହଯୋଗ ଆନ୍ଦେଳନ ପୂର୍ଣ୍ଣମୀ ଜୁଆର ପରି ବେଳକୁ ବେଳ ପ୍ରଖର ହେଉଥାଏ । ସେଥିରେ ଯେଉଁମାନେ ଝାସ ଦେଉଛନ୍ତି ସେମାନେ କ’ଣ ତୁନି ହୋଇ ବସି ପାରିବେ । ଶୁଣୁଚ ପରା ଏଇ କଂଗ୍ରେସ ଆନ୍ଦୋଳନରେ ପଶି ଚଉଦ ବର୍ଷର ମେଞ୍ଚଡ଼ ଟୋକାଖଣ୍ଡେ ସଙ୍ଗୀନ୍ ମୁନରେ ମରିଗଲା ପଛେ ପୋଲିସବାଲାଙ୍କୁ ବାଟ ଛାଡ଼ି ଦେଲାନି ? ସମସ୍ତେ ଏକାବେଳେକେ ପଚାରିଲେ ଶଶି, ଏ କେଉଁଠାର ଘଟଣା ? ଶଶି କହିଲା, କ’ଣ ତୁମେ କେହି ହେଲେ ଶୁଣିନାହଁ ? ଏଇ କଥା ନେଇ ଦେଶସାରା ପଡ଼ୁଚି ଉଠୁଚି । ଏପରା ଢେଙ୍କାନାଳର ବାଜୀ ରାଉତ କଥା ! ଆମେ କିପରି ଜାଣିବୁ ? ତୋ ଭାଇମାନେ ସିନା ପାଠପଢ଼ୁଆ ଯେ– ତୁ ତାଙ୍କଠାରୁ ସବୁ ଶୁଣିପାରୁଚୁ । ଶଶି ସରୋଜିନୀର କଥାରେ ଉତ୍ତର ଦେଇ କହିଲା, ତୁମ ବାପା କ‘ଣ ଦେଶ କଥା କିଛି ହେଲେ ଘରେ କହନ୍ତି ନାହିଁ ? ଘରେ କହିବା ଦୂରେ ଥାଉ ଆମ ସାଇରେ ବାପାଙ୍କ ଡରରେ କେହିହେଲେ କଂଗ୍ରେସ ନାଆଁ ବି ଧରନ୍ତିନି । ବାପା ଆମର ସର୍ବରାକାର, ସରକାରଙ୍କର ଭାରି ବିଶ୍ୱାସୀ । ରହିଥା ଦେଖିବୁ ! ଆମର ସଭା, ଫୁଲମାଳ ଦିଆ, ଆଜିର ପରିଣାମ କିପରି କ‘ଣ ହୋଇଉଠିବ ? ମୋ ଦଶା ମଧ୍ୟ ସାଙ୍ଘାତିକ ହେବ । ତେବେ ସରୋଜିନୀ ତୁ କିପରି କହୁଚୁ କିଛି କିଛି କଂଗ୍ରେସ କାମ କରିବୁ ବୋଲି ?

 

ମଙ୍ଗରାଜଙ୍କର କୁପିତ ମୁଖଭଙ୍ଗି ଆଉ ପ୍ରଶ୍ନର ରୁକ୍ଷତାରେ ହେଡ଼ ମାଷ୍ଟର ବାବୁ ଟିକିଏ ଶଂକିତ ହେଉଥିଲେ ସୁଦ୍ଧା ଶହ ଶହ ଛାତ୍ରୀଙ୍କ ସମ୍ମୁଖରେ ନିଜର ଦୁର୍ବଳତା ଘୋଡ଼ାଇବାକୁ ଯଥେଷ୍ଟ ଚେଷ୍ଚା କରିଛନ୍ତି । ‘‘ମଙ୍ଗରାଜଙ୍କ ନାଆଁ ଶୁଣି ମହାବଳ ବାଘ ବାଟ ଛାଡ଼ୁଥିବା ବେଳେ ହେଡ଼୍‍ମାଷ୍ଟରଙ୍କ କଥା ପଚାରେ ବା କିଏ ?’’

 

ତୁମେ ଜାଣ ଏ ବଳରାମ ଜଣେ ଫେରାର ଆସାମୀ । ଭଦ୍ରଖ ଏସ୍.ଡ଼ି.ଓ ସାହେବଙ୍କୁ ମାଡ଼ ଦେଇ ଲୁଚି ରହିଥିଲା । ଆଜିକି ବର୍ଷେ ହେଲା ତା ପଛରେ ଶହ ଶହ ଚୋରା ପୁଲିସ୍ ଲାଗିଥିଲେ । ସରକାର ସେଥିପାଇଁ ଦଶହଜାର ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ମୋ ଇଲାକାରେ ସେ ରହି ପାରନ୍ତା ? ଫେରାର ଆସାମୀ ବେକରେ ଶହ ଶହ ଫୁଲମାଳ ତୁମେ ସବୁ ଲମ୍ୱାଇ ଦେଲ । ପୁଣି ମୋରି ଝିଅ ହାତରେ । ତୁମର ଟିକିଏ ହେଲେ ବିଚାର ହେଲାନି ? ଆଚ୍ଛା ହେଉ ମଙ୍ଗରାଜ କଲମର ମହିମା ପରେ ବୁଝିବ ଯେ, ଝିଅ ସରୋଜିନୀ ହାତରେ ସେ ରାଜଦ୍ରୋହୀଟାକୁ ଫୁଲମାଳ ଦିଆଇବାର ଫଳ କ’ଣ ହୁଏ ?’’ ମୋର ବାଡ଼ୁଅ ଝିଅକୁ ତୁମ ସ୍କୁଲକୁ ପଠାଇଲି ବୋଲି ମୋ ହାତରେ କାଳି ମୋରି ମୁହଁରେ ବୋଳେଇବାକୁ ଥିଲା ? ତୁମେ ସମସ୍ତେ ଲାଗିଲେ ମଧ୍ୟ ସରକାରରେ ମତେ ଅବିଶ୍ୱାସୀ କରାଇ ପାରିବନି, ଭଲ କରି ମନରେ ବୁଝି ରଖ । ଜାଣିଥାଅ ଦଶ ହଜାର ଟଙ୍କାକୁ ତୁମ ନାଁରେ ମାନହାନୀ କେଶ୍ କରିବି । ସ୍କୁଲର ଦ୍ୱାହି ଦେଇ ତୁମେ ସବୁ ଯେପରି ରାଜଦ୍ରୋହ ଚଳେଇଚ ସେ ସବୁ ମୋ କାନକୁ ଆସୁଚି । ଦେଖିବ ଏଇ ସ୍କୁଲ ଘରେ ମିଲିଟେରୀ ରହି ଦିମାକିଆ ଗୁଡ଼ାଙ୍କୁ ଶାସନ କରିଦେବେ’’ ଏକା ନିଶ୍ୱାସରେ ଗର୍ଜ୍ଜି ଉଠି ମଙ୍ଗରାଜେ କହିଗଲେ ।

 

‘‘ମଙ୍ଗରାଜ ଆଜ୍ଞା ! ଆପଣ ଏଡ଼େ ବିରକ୍ତ ହେଉଛନ୍ତି କାହିଁକି ? ମହାଜନୀ ଖାତକୀନେଇ ଆପଣଙ୍କ ସହିତ ଲୁଣା ଅଂଚଳବାସୀଙ୍କର ଶତ୍ରୁତା ଥାଇ ପାରେ, ମାତ୍ର ଏହି ଅନୁଷ୍ଠାନ କେବେହେଲେ କୌଣସି ଦଳଗତ ନୀତି କିମ୍ୱା ରାଜନୀତିର ଧାର ଧାରେ ନାହିଁ । ଆଜି କେବଳ ବହୁତ ଲୋକଙ୍କର ଆହ୍ୱାନରେ ସ୍କୁଲପିଲାମାନେ ସଭାସ୍ଥଳ ଯାଏ ଟିକିଏ ଚାଲି ଯାଇଥିଲେ-। ଏଥର ଏଣିକି ଦେଖିବେ ଆମ ପିଲେ ଆଉ ସେ ସବୁର ସୀମା ପର୍ଯ୍ୟନ୍ତ ମାଡ଼ିବେ ନାହିଁ ।’’ ହେଡ଼ମାଷ୍ଟର ବିନୀତ ଭାବରେ ଉତ୍ତର ଦେଲେ ।

 

‘‘ଆଉ ଏଥର ମାଡ଼ିବେ ନ ମାଡ଼ିବେ ସେତ ଅଲଗା କଥା ! ଏବେ ଯେ ଲେଡ଼ିଗୁଡ଼ କହୁଣୀକୁ ବୋହିଗଲାଣି, ସେ କଥାକୁ ଆଗେ ସମ୍ଭାଳ, । ସାହେବ ପାଖକୁ ଆଜି ମୁଦା ଚିଠି ଦେଲି ପରା, ସବୁକଥା ସେଥିରେ ଦର୍ଶେଇ ଦେଇଛି ।

 

ମଙ୍ଗରାଜଙ୍କ ଏଭଳି ରୁକ୍ଷ କଥା ଶୁଣି ହେଡ଼୍‍ମାଷ୍ଟରବାବୁ ଦୀର୍ଘ ନିଶ୍ୱାସଟିଏ ଛାଡ଼ି କହିଲେ,‘‘ ହେଉ ଆପଣଙ୍କ ଇଚ୍ଛା ଯାହା କରିବେ କରନ୍ତୁ ।’’

 

ଲୁଣା ଅଞ୍ଚଳଟା ଯାକ କୋକୁଆ ଭୟ ବ୍ୟାପି ଯାଇଛି ରାସ୍ତାଘାଟ ଚାରିଆଡ଼ ଶୂନଶାନ । ମାଇପି, ମରଦ ପିଲା, ଛୁଆ କେହି ଜଣେହେଲେ ପଦାକୁ ବାହାରୁ ନାହାନ୍ତି । ପୋଲିସବାଲା ଘର ଖାନତଲାସ କରି କେତେଜଣଙ୍କୁ ଜେଲଖାନା ପଠେଇ ଦେଲେଣି । ଆଉରି କେତେକଙ୍କୁ ଖୋଜା ଚାଲିଚି । ସତକୁ ସତ ମିଲିଟେରୀମାନେ ସ୍କୁଲଘର ଦଖଲ କରି ବସିଛନ୍ତି । ହେଡ଼୍‍ମାଷ୍ଟରଙ୍କ ସମେତ ଆଠଜଣ ଶିକ୍ଷକ ମିଲେଟେରୀ ଆସିବା ଦିନହିଁ ଜେଲଭ୍ୟାନରେ ରାଜଧାନୀକୁ ଚାଲାନ୍ ହୋଇ ଯାଇଥିଲେ । ମିଲେଟେରୀମାନଙ୍କର ପରେଡ଼ ଆଉ ଫମ୍ପାବନ୍ଧୁକ ଆବାଜରେ ମଫସଲିଆ ଲୋକେ ବରଡ଼ାପତର ପରି ଥରୁଛନ୍ତି । ଗାଈ, ଗୋରୁ, ଛେଳି, ମେଣ୍ଢା ଆଦି ଗୃହପାଳିତ ପଶୁଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ବୋଲିବା ବାହୁଲ୍ୟ ଯେ– ଏ ନିରୀହ ପ୍ରାଣୀଗୁଡ଼ିକ ବିର୍ଧମୀ ମିଲେଟେରୀମାନଙ୍କର ଭୋଜ୍ୟ ସାମଗ୍ରୀରେ ପରିଣତ ହେଉଅଛନ୍ତି । କିଏ କେଉଁଠାରେ ଲୁଚି ଛପି ଚାଲି ଯାଉଥିବାବେଳେ ମିଲିଟେରୀଙ୍କ ଦ୍ୱାରା ଧରାହେବା ସଙ୍ଗେ ସଙ୍ଗେ ଚାଲାନ୍ ହେଉଛନ୍ତି । ସର୍ବରାକାର, ଦଳେଇ, ଦଳବେହେରା ମକଦ୍ଦମା, ଜମିଦାର ଆଦି ସାମନ୍ତବାଦୀ ସରକାର ଅନୁଗତ ବ୍ୟକ୍ତିମାନେ ନିଜର ବାହାଦୂରୀ ଦେଖାଇବା ଲାଗି ଗ୍ରାମମାନଙ୍କରୁ ନାନାବିଧ ଖାଦ୍ୟଦ୍ରବ୍ୟ ଜବରଦସ୍ତି ନେଇ ଆସି ପୋଲିସ ତଥା ମିଲିଟେରୀମାନଙ୍କୁ ଯୋଗାଇ ଦେଉ ଅଛନ୍ତି । ସେତେବେଳକୁ ମିଲେଟେରୀ ଅତ୍ୟାଚାର ଡରରେ ଆବାଳବୃଦ୍ଧବନୀତା ଜର୍ଜରିତ ହୋଇଗଲେଣି । ତଥାପି ପରାଧୀନ ଜାତିର ବଳ କ’ଣ ? ନିଷ୍ଠୁର ମିଲିଟେରୀଙ୍କ ବନ୍ଧୁକ ଆଗରେ ଛାତି ଦେଖାଇ ବିଲୁଆ କୁକୁରଙ୍କର ଖାଦ୍ୟ ହେବା ଦ୍ୱାରା ପୁରୁଷାର୍ଥ ବା କ’ଣ ? କୌଶଳ ପୂର୍ଣ୍ଣ ଉପାୟ ଉଦ୍ଭାବନ କରି ନିଜର ଜାତିକୁ ମୁକ୍ତ କରିବା ବିଶିଷ୍ଟ ଦେଶପ୍ରେମୀମାନଙ୍କର କାମ୍ୟ ଓ ପର ପ୍ରତି ଉପଦେଶ ମଧ୍ୟ ହୋଇଥାଏ । ତଦନୁସାରେ ଜନତା ଚଳ ପ୍ରଚଳ ହୋଉଥାଆନ୍ତି ।

 

ସ୍କୁଲ ପାଖରେ ଥିବା ଗାଁଗୁଡ଼ିକରୁ ଅଧିକାଂଶ ଲୋକ ନିଜ ନିଜର ପିଲାମାନଙ୍କୁ ଦୂରସ୍ଥ ବନ୍ଧୁବାନ୍ଧବଙ୍କ ଘରମାନଙ୍କରେ ରଖି ଦେଇ ନିଜ ଜୀବନର ଆଶା ଛାଡ଼ି ଘର ଦ୍ୱାର ଜଗି ପଡ଼ି ଥାଆନ୍ତି । ମିଲେଟେରୀ ରାଜୁତି କେବେ କମିବ ଏହି ଗୋଟିକ ଭାବନା ସମସ୍ତଙ୍କ ଅନ୍ତରରେ ଅହର୍ନିଶି ଘାରି ହେଉଥାଏ ।

 

ଶଶିର ଭାଇ ବୈକୁଣ୍ଠବାବୁ ବଳରାମବାବୁଙ୍କର ପରିଚିତ ହୋଇଥିବାରୁ ବେଶି ମାଡ଼ ତାଙ୍କରି ଉପରେ । ଯେଉଁ ଦିନ ବୈକୁଣ୍ଠବାବୁଙ୍କ ଘର ଘେରାଉ ହୋଇ ଖାନତଲାସ ହେଲା, ସେ ଦିନର ଦୁର୍ଦ୍ଦଶା କହିଲେ ନ ସରେ । କଲେଜ ପାଠ ପଢ଼ାବେଳେ ବୈକୁଣ୍ଠବାବୁଙ୍କ ପାଖକୁ ବଳରାମବାବୁ ଦେଇଥିବା ଚିଠିପତ୍ରଗୁଡ଼ିକ ମଧ୍ୟ ଆପତ୍ତିଜନକ କାଗଜ ପତ୍ର ଫାଇଲରେ ଗୁନ୍ଥା ହୋଇଗଲା । ବୈକୁଣ୍ଠବାବୁ ପୋଲିସର ଲାଠି ମାଡ଼ରେ ରକ୍ତାକ୍ତ ହୋଇ ଜେଲ ଡ଼ାକ୍ତରଖାନାକୁ ବୁହାହେଲେ । ଶଶି ପ୍ରତି ମିଲିଟେରୀଙ୍କର ଯେଉଁ ପାଶବିକ ଅତ୍ୟାଚାର ହେଲା, ସେଥିରେ ଶତ୍ରୁର ହୃଦୟ ମଧ୍ୟ ତରଳିଯିବ । ସାରାଦେଶର ଅବସ୍ଥା ଏକାକାରବେଳେ କିଏ କାହା ଆଗରେ ଦୁଃଖ କହିବ, ଦୁଃଖ ଶୁଣିବ ଅବା କିଏ ? ଶୁଣିଲେ ବି ଲାଭ କ’ଣ ?

 

ସେଦିନ ଗୋଟାଏ କିଛି ଗାଉଁଲି ପର୍ବ ହୋଇଥାଏ । ବୁଢ଼ାପୀରଙ୍କ ନିକଟରେ ବହୁଲୋକ ରୁଣ୍ଡ ହୋଇଥାଆନ୍ତି । ସବୁରି ମନରେ ଭୟ କାଳେହେଁ ମିଲେଟେରୀ ଆସିଯିବେ କି ? ଏଥିଲାଗି ଚାରି ଦିଗରେ ଜଗୁଆଳ ରହି ଥାଆନ୍ତି, ସଙ୍କେତ ପାଇବା ମାତ୍ରେ ସତର୍କ କରାଇ ଦେବେ ବୋଲି ।

 

ବହୁଦିନ ପରେ ଶଶି ସହିତ ସରୋଜିନୀର ଦେଖାହେଲା । କେତେ ଦୁଃଖ ସୁଖ କଥାବାର୍ତ୍ତା ହେବା ପରେ, ଶଶି ପଚାରିଲା ଆଉ ଏଭଳି ଅବସ୍ଥାରେ କେତେ ଦିନ ରହିବା ସରୋଜିନୀ ? ସରୋଜିନୀ କ’ଣ ବା କହିବ, ଆଖି ଛଳଛଳ କରି କହିଲା ପୀର ଗୋସେଇଁ ଯେତେ ଦିନ ଆମ ଉପରେ ଆଉ ଆମ ଦେଶ ଉପରେ କୋପ ଦୃଷ୍ଟି ରଖିଥିବେ ।

 

ଆଚ୍ଛା ଶଶି, ସେଦିନ କେତେଜଣ ମିଲିଟେରୀ....... ଶଶି ଚମକି ପଡ଼ିଲା, କହିଲା ସେ ଦିନ କଥା ଆଉ ମନେ ପକାନା ସରୋଜିନୀ । ତୁ କହ, ଆମେତ ଶୁଣିଚେ ଖୁବ୍ କମ୍ ସଂଖ୍ୟକ ଗୋରା ଆମ ଦେଶରେ ଅଛନ୍ତି, ସେଇ କେତେ ଜଣ, କ’ଣ ଆମ କୋଟି କୋଟି ଲୋକଙ୍କୁ ମାରିପିଟି ଜବତ୍ କରି ଦେଇ ଅଛନ୍ତି ? ଏହା କିପରି ସମ୍ଭବ ହେଉଚି ? ଏ ଯେଉଁ ମିଲିଟେରୀ ଦଳ ଆମ ସ୍କୁଲଘରେ ଅଛନ୍ତି ଏମାନେ କ’ଣ ଗୋରା ? କାହିଁ ଗୋରା ପରିତ ଦିଶୁ ନାହାନ୍ତି ? ନାହିଁମ ଶଶି ସେମାନେ ଗୋରା ହେବେ କାହିଁକି ? ଆମ ଓଡ଼ିଆ ଲୋକ ବି ସେଥିରେ ଅଛନ୍ତି । ନିଜ ଭାଇ ନିଜର ଶତ୍ରୁ ନ ହେଲେ ସେ କେତେ ଜଣ କିଛି କରି ପାରନ୍ତେ ନାହିଁ । କଂଗ୍ରେସବାଲାମାନେ ଯାହା କହୁଛନ୍ତି ବା କରୁଚନ୍ତି ସେମାନେ ତ କିଛିହେଲେ ଅନ୍ୟାୟ କରୁ ନାହାନ୍ତି ସରୋଜିନୀ ? ନାଁ ତାହା ଅନ୍ୟାୟ ନୁହେଁ ଶଶି । କଂଗ୍ରେସବାଲାମାନେ ଠିକ୍ ନ୍ୟାୟରେ ଅଛନ୍ତି । ମାତ୍ର ଆମ ଦେଶକୁ ଅକ୍ତିଆର କରିଥିବା ଗୋରାମାନଙ୍କୁ ତାହା ଅନ୍ୟାୟ ପରି ଜଣାଯାଉଚି । କାରଣ ସେମାନେ ଆମ ଦେଶରୁ ବେଶି ଫାଇଦା ଉଠାଇ ନେଉଛନ୍ତି ନା ? ଆମ ଏ ଲୁଣା ଅଞ୍ଚଳରେ କଂଗ୍ରେସ ଯାହା କରୁଥିଲା ତା’ସବୁ କ’ଣ ଅନ୍ୟାୟ ? ଆମେ ଲୁଣମାରି ଖାଇବା ସୂତାକାଟି ଲୁଗାବୁଣି ପିନ୍ଧିବା, ଏଥିରେ ବିରୋଧ କରିବାର କିଛି ତ ନାହିଁ । ଆଉରି ମଧ୍ୟ ଏକଥା କିଛି ଗୋରାମାନେ ତାଙ୍କ ଆଖିରେ ଦେଖୁଥିଲେ ? ଆମରି ଲୋକେ ତ ପୁଣି ସେମାନଙ୍କୁ ଖବର ଦେଇ ଏଡ଼େ ଭଳି ତାଣ୍ଡବ ଲୀଳାସୃଷ୍ଟି କରିଦେଲେ । ମୁଁ କାହାକୁ କହିବି, ମୋ ବାପା ତ ଏସବୁ କାଣ୍ଡର ମୂଳକାରଣ । ହଁ ସରୋଜିନୀ ମୁଁ ଠିକ୍ ସେଇ କଥା କହିବି ବୋଲି ମନରେ ଭାବୁଥିଲେ କିନ୍ତୁ ତୋ ମନରେ କାଳେହେଁ କଷ୍ଟ ହେବ, ତେଣୁ ପେଟରେ ଘୋଡ଼ାଇ ରଖିଥିଲି । ଶଶି ! ନିଜ ନିଆଁ ବୋଲି ଅଣ୍ଟିରେ ରଖିଲେ, ଅଣ୍ଟି କ’ଣ ପୋଡ଼ିବ ନାହିଁ ? ମୋର ବାପା ହେଲେ କ’ଣ ହେଲା । ଜାଣିଲୁ ଶଶି ମୋ ମନ ଯାହା ହେଉଛି, ମୁଁ ମାଇପି ନ ହୋଇ ମରଦ ହୋଇ ଥାଆନ୍ତି କି ? ଛି ଆମ ମାଇପି ଜନମ ସବୁ କଥାରେ ଅକାରଣ ହୋଇଗଲା । ନ ହେଲେ ସେ ଦିନ ବଳରାମବାବୁଙ୍କ ସାଙ୍ଗରେ ନ ଯାଇ ମୁଁ ଛାଡ଼ି ଥାଆନ୍ତି-? ହଁ ସତକଥା ସରୋଜିନୀ ! ସେ ଦିନ ତୋ ମୁହଁକୁ ଯିଏ ଦେଖିଚି ସେ ଜାଣିଥିବ । ବଳରାମବାବୁଙ୍କୁ ଫୁଲମାଳଟି ପିନ୍ଧେଇ ଦେଇ ତୁ କାନ୍ଦିଲୁ କାହିଁକି ? ତୋ କାନ୍ଦ ଦେଖି ମତେ ମଧ୍ୟ କାନ୍ଦ ଲାଗିଲା-। ଆଚ୍ଛା ସତ କହିଲୁ ଶଶି । ବଳରାମବାବୁଙ୍କ ପରି ଜଣେ ଯୁବକର ଦୁଃଖରେ ଯେ କୌଣସି ଯୁବତୀ ଅଧୀର ନ ହୋଇ ରହିପାରିବ କି ? ସେ ଦିନ ମୁଁ କ’ଣ ଏକୁଟିଆ କାନ୍ଦିଚି ? ଯେତେ ସ୍ତ୍ରୀଲୋକ ଜମା ହୋଇଥିଲେ ସମସ୍ତେ କାନ୍ଦିଲେ, ମାତ୍ର ମୋ ମୁଣ୍ଡରେ ଢ଼ିଲ ଲଦା ହୋଇଗଲା ।

 

‘‘ତୋ ବାପା ହେଡ଼ମାଷ୍ଟରଙ୍କ ଉପରେ ରାଗ ହୋଇ ଗଲାପରେ, ତତେ ଆଉ କିଛି କହିଲେ ନି ?’’

 

ଶଶି କହିଲା, ‘‘ଯେତେ ଯେତେ ନିଷ୍ଠୁର କଥା ମତେ ଏବେ କହୁଛନ୍ତି, ତା ତୁଣ୍ଡରେ ଧରି ହେବନି ।’’

 

ସରୋଜିନୀ କହିଲା, ଲୁଣା ବନ୍ଧର ଦାୟିତ୍ୱ ନେଇ କାମ କରାଇବା ଦିନଠାରୁ ବାପାଙ୍କର ମୋ ଉପରେ ବେଶି ରାଗ । ସେ ଦିନ ଖୁବ୍ ନିଷ୍ଠୁର କଥା କହିଲେ । ମୁଁ ବହୁତ ସହିବା ପରେ ଆଉ ନୀରବ ହୋଇପାରିଲିନି । ସେଇ ବନ୍ଧ ବିଷୟ ନେଇ ଖୁବ୍ ଦି’ଚାରି ପଦ ଶୁଣେଇ ଦେଲି । ଏକଥା ବି କହି ଦେଇଚି, ଦିନ ଆସିବ ଏଇ ଜନତାହିଁ ତୁମ କର୍ମର ଶାସ୍ତି ବିଧାନ କରିବେ ବୋଲି ।’’ ହଜାର ହଜାର ଲୋକ ବନ୍ଧଟା ବିନା ଦାନା କନା ପାଉ ନ ଥିବାବେଳେ ବନ୍ଧ ଲାଗି ୟାଙ୍କର ବିରୋଧ କରିବାର କ’ଣ ଅଛି କହିଲୁ ?

 

ବାସ୍ତବିକ୍ ସରୋଜିନୀ ମୁଁ ସିନା ବଇ ଭାଇଙ୍କଠାରୁ ବଳରାମବାବୁଙ୍କ କଥା ଶୁଣୁଥିଲି, ତାଙ୍କୁ କେବେ ଦେଖି ନଥିଲି ମୁଁ ? ତୋ ପାଖରେ ଲୁଚେଇବି କାହିଁକି ? ବଳରାମବାବୁଙ୍କୁ ଦେଖିବା ଦିନଠାରୁ ମୋ ମନଟା ସତେ ଯେପରି ତାଙ୍କ ଦେହରେ ଲାଖିରହିଚି । ସେ ଦେଖିବାକୁ କେଡ଼େ ସୁନ୍ଦର ? ମୁହଁଟି ଯେପରି ପୂର୍ଣ୍ଣମୀ ଜହ୍ନଠାରୁ ଆହୁରି ତୋଫା । ତାଙ୍କୁ ଦେଖିବା ବେଳେ ମୋର ନିଜତ୍ୱ ଯେପରି କୁଆଡ଼େ ଉଭାନ ହୋଇଗଲା । ଇଚ୍ଛା ହେଲା ସୁଯୋଗ ମିଳନ୍ତାକି ସେଇ ମଟରରେ ସେ ଯୁଆଡ଼େ ଯାଆନ୍ତେ ମୁଁ ଚାଲି ଯାଆନ୍ତି । ତାଙ୍କର ଗୁଣ ଗ୍ରାମ ତ ଶୁଣିଥିଲି, ବାକିଥିଲା ରୂପଟା ଦେଖିବା ପାଇଁ । ଗୁଣଠାରୁ ରୂପ ବଳକା ନୁହେଁ ଲୋ ସରୋଜିନୀ ।

 

ତୁ ତ ସବୁ ମୋ ମନର କଥାଗୁଡ଼ିକ କହିଦେଲୁ, ମୁଁ ଆଉ କି ଉତ୍ତର ଦେବି ? ଏବେ ବି ମୋ ମନ ତାଙ୍କରି ପାଖରେ । ତାଙ୍କୁ ବରଣମାଳା ଦେଲି ବୋଲି ତୁମେମାନେ ଥଟ୍ଟା କଲାବେଳେ ମୁଁ ବାହ୍ୟ ମନରେ ବିରକ୍ତ ହୁଏ ସିନା କିନ୍ତୁ ପେଟ ଭିତରେ ଭାବୁଥାଏ ଏଇମାନଙ୍କ କଥା ସତ ହୁଅନ୍ତା କି ? ହଁ ସରୋଜିନୀ ତା ହେବା ସ୍ୱାଭାବିକ, ମାତ୍ର କାହିଁ ଆକାଶର ଚାନ୍ଦ କାହିଁ ବା ମର୍ତ୍ତ୍ୟର ବାମନ ।

 

x            x            x            x

 

ସର୍ବରାକାର ମଙ୍ଗରାଜଙ୍କୁ ଦଣ୍ଡେ ତରନାହିଁ । ଆଜି ପୁରୀ, କାଲି କଟକ ଦଉଡ଼ ପଡ଼ିଛି । ଜିଲା ସାହେବଙ୍କର ସେ ଡାହାଣ ହାତ ହୋଇଛନ୍ତି ।

 

ସେ ଦିନ ମଙ୍ଗରାଜେ ରାଜଧାନୀରୁ ଫେରି ଥାଆନ୍ତି । ମନଟା ଭାରି ଉଲ୍ଲାସ ଥାଏ । ରାତିରେ ଖାଇ ବସିଲାବେଳେ କହିଲେ, ‘‘ହଇଏ–ବୁଝିଲ କି, ସରୋଜିନୀର ଚିନ୍ତାରେ ମୁଁ ବଡ଼ ହନ୍ତସନ୍ତ ହେଉଥିଲି । ତୁମ ଆଗରେ କିଛି ହେଲେ କହେନି ସିନା ମାତ୍ର ମୋ ଭାବନାର ସୀମା ନଥିଲା । ଯେଉଁଦିନ ସେ ଫେରାର ଆସାମୀଟା ବେକରେ ଫୁଲମାଳ ଦେଲା ସେଇ ଦିନଠୁଁ ମୋ ମନରେ ଗୋଟାଏ ଛାନିଆଁ ପଶିଯାଇଛି । ବଢ଼ିଲା ଝିଅ, କେତେ ବେଳେ କେଉଁ କଥା । ଆଉ କିଛି ନାହିଁ ଯେ ମୋ ନାଁଟା ବଦନାମୀ ହୋଇଯିବ । ଏ ସମଗ୍ର ଲୁଣା ଅଞ୍ଚଳଟାରେ ମୋ ବ୍ୟତୀତ ସରକାର ବାହାଦୂର ଦ୍ୱିତୀୟ ଲୋକକୁ ଜାଣନ୍ତି ନାହିଁ । ଜିଲ୍ଲା ହାକିମ ଗୋରା ସାହେବଙ୍କ ଟେବୁଲରେ ବସି ମୁଁ ଖାନାଖାଏ । ଏ ସୁଯୋଗ ମିଳେ କେତେ ଜଣଙ୍କୁ ? ଲୁଣା ବନ୍ଧ ନେଇ ମୁଁ କେବଳ ସରକାର ପାଖରେ ଅବିଶ୍ୱାସୀ ହୋଇଯିବି । ଯେଉଁ ବନ୍ଧକୁ ହଜାର ହଜାର ଲୋକ ମୋ ଡ଼ରରେ ପଶି ପାରନ୍ତି ନାହିଁ । ମୋ ବୁକୁରେ ମୋରି ଝିଅ ଠିଆହୋଇ ସେ କାମ କରୁଚି ।

 

ଝିଅଟା କାଲିର ପିଲାଟେ, ତା କଥା ନେଇ ତୁମେ ଏତେ ଗୁଡ଼େ ଭାବୁଚ କ’ଣ ମ ? ସେତ କହୁଚି ଆହୁରି ପଢ଼ିବ । ଇସ୍କୁଲର ସବୁ ପିଲେ ସଭାକୁ ଗଲେ ସେ ମଧ୍ୟ ଯାଇଥିଲା । ହେଲେ ଫୁଲ ମାଳଟା ଆଉ କିଏ ଦେଇଥାଆନ୍ତା, ସେ ଦେଇ ପକେଇଲା । ଏଇଥିଲାଗି ତୁମର ରାଗ କାହିଁରୁ କ’ଣ ହୋଇଯାଉଚି । ସେଦିନ ମୋ ଝିଅଟାକୁ କେତେ ନିଷ୍ଠୁର କଥା କହିଲ, ଏଗୁଡ଼ାକ ସବୁ ଭଲ ନୁହେଁ । ଲୁଣା ବନ୍ଧ ବିଷୟରେ ରାଇଜର ଲୋକେ ତୁମ ଡ଼ରରେ କିଛି କହିପାରୁ ନାହାନ୍ତି ସିନା, ପେଟ ଭିତରେ ରକ୍ତଚାଉଳ ଚୋବାଉଛନ୍ତି । ସେ ଲୁଣାବନ୍ଧ ସେମାନେ କରନ୍ତୁ, ସେଥିରେ ତୁମର କ’ଣ ଅଛି । ଲୁଣମରା କଥା ଲୋକେ ବୁଝନ୍ତୁ, ସରକାର ବୁଝୁ, ଆମର ସେଥିରେ ଯାଏ ଆସେ କେତେ । ପାଞ୍ଚଜଣଙ୍କୁ ଧରି ଆମେ ଚଳିବା ସିନା ।

 

ଆରେ ଆଚ୍ଛା ବୁଝିଲ । ମାଇପି ବୁଦ୍ଧିତ, ସରକାର ଆଉ କିଏ ? ମୁଁ ନିଜେ ସରକାର । ଏଣେ ଲୁଣାବନ୍ଧ କରି ବଢ଼ି ବେଳେ ସରକାରୀ କଚେରୀଗୁଡ଼ାକୁ ଭସାଇ ଦେବି ? ଲକ୍ଷେ ଛେଳି ଏକାଠି ହେଲେ ମହାବଳକୁ କ’ଣ କରିବେ କହିଲ ? ଜିଲ୍ଲା ସାହେବଙ୍କର ଆଦେଶ ଯେତେବେଳେ ଯାହା କହିବି ତା କରିଦେବେ । ତୁମେ ଏ ଛେଳିଗୁଡ଼ାକ କଥାରେ ଏତେ କାନ ଡେରୁଚ କାହିଁକି ? ମୋ ଆଗରେ କିଏ ମୁହଁ ଟେକୁଚି ଟେକୁ, ସେ କଥା ବୁଝିବା ଯେ ? ହଁ, ସରୋଜିନୀ ପାଇଁ ଭଲ ବର ପାତ୍ରଟିଏ ଠିକ୍ କରିଛି । ନିଜେ କଲେକ୍ଟର ସାହେବ ଥାଇ କଥା ପକ୍କା ହୋଇ ଯାଇଛି । ଏଇ ବୈଶାଖ ତିଥିରେ କାମଟା ବଢ଼େଇ ଦେବା । ପାତ୍ରଟି ଜାତିରେ ଟେକ ଯେପରି, ଦେଖିବାକୁ ତଦ୍ରୁପ-। ସହଜେତ ବଡ଼ ଚାକିରୀଆ, ସବ୍‌ଡ଼େପୁଟି । ସବ୍‌ଡ଼େପୁଟି ଯେ– ଏମିତି ସେମିତି ନୁହେଁ, ନିଜେ କମିସନର ସାହେବ ଶହେଜଣ ଡ଼େପୁଟି ଭିତରୁ ତାଙ୍କୁ ବାଛି ବାଲେଶ୍ୱର ପଠାଇଥିଲେ । ପନ୍ଦରଟା ଦିନ ଭିତରେ ବାଲେଶ୍ୱର ଜିଲ୍ଲା ତମାମ୍ କଂଗ୍ରେସ ଆନ୍ଦୋଳନ ବନ୍ଦ କରିଦେଲା, ହଜାର ହଜାର ଲୋକଙ୍କୁ ହାତକଡ଼ି ଦେଇ ସାଙ୍ଗେ ସାଙ୍ଗେ କେଶ୍ ବିଚାର କରି ଜେଲଖାନାକୁ ପଠାଇ ଦେଲା । ଆମ ସାହେବ କହିଛନ୍ତି ବିରଜାବାବୁଙ୍କୁ ମୁଁ ଜୋଇଁ କରିବା ମାତ୍ରେ ତାଙ୍କୁ ସବ୍ଡ଼ିଭିଜନାଲ ଅଫିସର କରାଇ ଦେବେ । ନୂଆ ହାକିମ ହେଲେ କ’ଣ ହେବ ବୁଦ୍ଧି ଭାରି ପ୍ରଖର । ବାଲେଶ୍ୱରରେ ଦଳେ କଂଗ୍ରେସିଆ ଠେଙ୍ଗା ବାଡ଼ିଧରି ତାଙ୍କୁ ମାଡ଼ ଦେବାକୁ ବାହାରିଲେ । ଗୋଟେ ଲୋକ ସେ, ଖଣ୍ଡେ ବନ୍ଧୁକରେ ଦଶ ଜଣକୁ ଖୁନ୍ କରିଦେଲା ! ଯାହା ହେଉ ଆମର ସୁଯୋଗକୁ ଭଲ ପ୍ରସଙ୍ଗଟିଏ ଯୁଟି ଯାଇଛି । ତୁମେ ବିଭାଘରର ସବୁ ଯୋଗାଡ଼ କର, ମତେ ଦଣ୍ଡେ ଫୁରସତ ନାହିଁ । କମିସନର ସାହେବ ଡ଼କେଇଛନ୍ତି କାଲି ପୁଣି ମୁଁ କଟକ ଯାଉଚି ।

 

ସରୋଜିନୀ ତ ଆଉରି ପଢ଼ିବ ବୋଲି କହୁଥିଲା । ଦେଖ ସେ କ’ଣ କହୁଚି । ତୁମ ବିଚାର ସିନା ଏ, ତା ବିଚାର କିପରି ହେଉଚି ମୁଁ ବୁଝେ ।

 

ଶୁଣିଲୁଣି ସରୋଜିନୀ ଆମ ଏଠା ଘଟଣାରୁ ବାଲେଶ୍ୱରର ଅବସ୍ଥା ଆହୁରି ସାଙ୍ଘାତିକ ହୋଇଛି । ବିରଜାବାବୁ ସବ୍‌ଡ଼େପୁଟିର ଗୁଳି ଚୋଟରେ ଦଶ ଜଣ ସତ୍ୟାଗ୍ରହୀ ପ୍ରାଣ ଦେଲେ ବୋଲି ସମାଜରେ ବାହାରିଛି । ଶଶିଠାରୁ ଏ ଖବର ପାଇବାମାତ୍ରେ ସରୋଜିନୀ ଚମକି ପଡ଼ିଲା । ବିରଜା ବାବୁଙ୍କ ନାଁ ଶୁଣିବାକ୍ଷଣି ତା’ର ଆଉ କିଛି ଜାଣିବାକୁ ବାକି ରହିଲା ନି । ବୋଉ ପ୍ରଶ୍ନର କ’ଣ ଉତ୍ତର ଦେବ ସେହି ପରାମର୍ଶ ପାଇଁ ସେ କେବଳ ଶଶି ପାଖକୁ ଆସିଥିଲା । ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲା ପରି ସାକ୍ଷାତ ମାତ୍ରେ ଶଶି ଯେଉଁ ସମ୍ୱାଦ ଦେଲା, ସେଥିରେ ସେ ଆଉ ପରାମର୍ଶ ମାଗିବ କ’ଣ ? ବଳରାମ ବାବୁଙ୍କ ବିଷୟ ନେଇ ଉଭୟେ ମନ ଖୋଲାଖୋଲି କେତେବେଳ ଯାଏ କଥାବାର୍ତ୍ତା ହେଲେ ।

 

ସରୋଜିନୀ କହିଲା, ‘‘ଶଶି ତୁ’ତ ପ୍ରତିଦିନ ଖବର କାଗଜ ପଢ଼ୁଚୁ । ବଳରାମ ବାବୁଙ୍କ କଥା କିଛିହେଲେ ଖବର କାଗଜରେ ବାହାରୁ ନାହିଁ ? ନାଇଁ ମ ସରୋଜିନୀ–ମୁଁ କ’ଣ ସବୁଦିନ ଖବରକାଗଜ ପଢ଼ିବାକୁ ସମୟ ପାଉଚି ? ଆଜି ଦୈବାତ୍ କାଗଜଟା ମୋ ଆଖିରେ ପଡ଼ିଗଲା । ରହ ରହ ସବୁ ଖବର କାଗଜତକ ମୁଁ ଆଣେ, ଦେଖିବା ବଳରାମ ବାବୁଙ୍କ କଥା ବାହାରି ଥିବ ପରା-?

 

ବଳରାମବାବୁ ସକ୍ରିୟ ରାଜନୀତି ଭିତରେ ପ୍ରବେଶ କରି ‘‘ଭାରତଛାଡ଼’’ ଆନ୍ଦୋଳନରେ ଝାସ ଦେଇଥିଲେ । ସରୋଜିନୀଠାରୁ ଫୁଲମାଳ ପାଇବା ଦିନରୁ ତାଙ୍କର ଉତ୍ସାହ ଶତଗୁଣରେ ବଢ଼ି ଯାଇଛି । କର୍ମତତ୍ପରତା ଏତେ ବୃଦ୍ଧି ପାଇଛି ଯେ ଦିନରାତି ୨୪ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କଲେ ସୁଦ୍ଧା ସେ କ୍ଲାନ୍ତି ଅନୁଭବ କରିପାରୁ ନାହାନ୍ତି ମାତ୍ର ସେହି କର୍ମସାଧନ କଲାବେଳେ ସୁଦ୍ଧା ସରୋଜିନୀର ହସହସ ମୁହଁ, ପ୍ରସ୍ଫୁଟିତ ଅଙ୍ଗ ସୌଷ୍ଟବ, ସତୃଷ୍ଣ ଚାହାଣୀ ଛଳଛଳ ଆଖି କେବେହେଲେ ଭୁଲି ପାରୁନାହାନ୍ତି । ଶହଶହ ସ୍ୱେଚ୍ଛାସେବକଙ୍କୁ ସାଙ୍ଗରେ ନେଇ ବଳରାମବାବୁ ବାଲେଶ୍ୱରଠାରେ ଲୁଣମାରିବାବେଳେ ସବ୍‌ଡ଼େପୁଟି ବିରଜାବାବୁଙ୍କ ବନ୍ଧୁକ ମାଡ଼ରେ ଅଚେତ ହୋଇ ପଡ଼ିଥିଲେ । ତାଙ୍କ ସହିତ ଆଘାତ ପ୍ରାପ୍ତ ହୋଇଥିବା ଦଶ ଜଣ ସତ୍ୟାଗ୍ରହୀଙ୍କୁ ବାଲେଶ୍ୱର ଡ଼ାକ୍ତରଖାନାକୁ ନିଆ ଯାଉଥିଲା କିନ୍ତୁ ବଳରାମବାବୁଙ୍କ ବ୍ୟତୀତ ଅନ୍ୟ ନଅ ଜଣ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ବଳରାମ ବାବୁ ଆରୋଗ୍ୟ ହେବା ପରେ ତାଙ୍କୁ କେନ୍ଦ୍ର ଜେଲକୁ ପଠାଇ ଦିଆ ହୋଇଛି-

 

ଖବର କାଗଜଗୁଡ଼ିକ ଦେଖୁ ଦେଖୁ ସରୋଜିନୀ ଯେପରି ମୂର୍ଚ୍ଛା ହୋଇ ପଡ଼ିଲା । ସେ ଅଧୀର ଭାବରେ ଆଖି ଛଳ ଛଳ କରି କହିଲା ଶଶି ଦେଖିଲୁଣି କ’ଣ ଲେଖା ହୋଇଛି । ଶଶିଦୌଡ଼ି ଆସି ଖବର କାଗଜ ଖଣ୍ଡି ଉପରେ ଆଖି ପକାଇଲା । ‘‘ଦେଶ ମୁକ୍ତିକାମୀ ଯୁବକନେତା ବଳରାମ ଦାସ ଗୁଳିମାଡ଼ରେ ଅଚେତା ହୋଇ ପଡ଼ିଛନ୍ତି । ତାଙ୍କ ଦଳରେ ନଅ ଜଣଙ୍କ ଅବସ୍ଥା ଶଙ୍କଟାପନ୍ନ ହୋଇଛି । ସବ୍‌ଡ଼େପୁଟି ବିରଜା ବାବୁଙ୍କର ଅମାନୁଷିକ କାଣ୍ଡ ।’’ ସରୋଜିନୀ ଓ ଶଶି ଏ ସମ୍ୱାଦ ପଢ଼ି ନୀରବରେ କେତେ ଯେ ଲୁହ ଗଡ଼ାଇଲେ ତା’ର ସୀମା ନାହିଁ । ନିଜର ନାରୀଜନ୍ମ ପ୍ରତି କେତେ ଧୀକ୍କାର ମଧ୍ୟ କରିଛନ୍ତି । ଜାତୀୟ ଆନ୍ଦୋଳନର ସୈନ୍ୟ ହୋଇ ବାହାରିବା ନିମିତ୍ତ ଅନେକ ପାଞ୍ଚକଲେ, ମାତ୍ର ନାରୀ ଶରୀରଟାହିଁ ସେମାନଙ୍କ ଭାବନାର ପ୍ରତିବନ୍ଧକ ହୋଇ ଉଠେ ।

 

ସରୋଜିନୀ ତତେ ଯେଉଁକଥା ପଚାରିଥିଲେ ତା’ର ଉତ୍ତର ତ କିଛିହେଲେ ଦେଲୁ ନାହିଁ-। ବାପା ପରା ମତେ ସେଇ କଥା ବାରମ୍ୱାର ପଚାରୁଛନ୍ତି ? ତାଙ୍କର ତ ଇଚ୍ଛା ନୁହେଁ ଏ ବିବାହ ବିଷୟରେ ତୋର ମତାମତ ଲୋଡ଼ିବା । ଖାଲି ମୋ ମନ ମାନୁନାହିଁ, ତୁ ପାଠ ପଢ଼ିବା ଝିଅ, ସେଇଥିଲାଗି ତୋର ଇଚ୍ଛାଟା ମୁଁ ଜାଣିବାକୁ ଚାହୁଁଛି ।

 

ବୋଉ ! ମୁଁ ପରା ତତେ କହିଥିଲି କଲେଜରେ ପାଠ ପଢ଼ିବି, ତୁ ପୁଣି ପ୍ରଶ୍ନ ମତେ ପଚାରୁଚୁ, ମୁଁ ଆଉ ଅଧିକା କି ଉତ୍ତର ଦେବି କହିଲୁ ?

 

ହଁ, ତୋ ପାଠ ପଢ଼ିବା ବିଷୟ ମୁଁ ବାପାଙ୍କୁ କହିଲି । ସେ କହିଲେ ପାଠ ପଢ଼ାପାଇଁ ବିଭାଘର ବାଧା ଦେବନି । ବିଭାଘର ପରେ ତୁ ପୁରୀରେ ରହି ପାଠ ପଢ଼ିବୁ, ଆଉ ଅସୁବିଧା କ’ଣ-?

 

ବିଭାଘର ପରେ କେତେ ଜଣ କେଉଁଠି ପାଠ ପଢ଼ିଛନ୍ତି ନା ମୋଠାରୁ ନୂଆ ଆରମ୍ଭ ହେବ ? ବାପା ଯେପରି ଅବୁଝା କଥା କହୁଛନ୍ତି, ତୁ ମଧ୍ୟ ତାଙ୍କରି କଥାରେ ଅବିକଳ ପାଳିଧରି ଦେଉଚୁ । ମୁଁ ଏହିକ୍ଷଣି ବାହା ଫାହା ହେବିନି, ଗ୍ରୀଷ୍ମ ଛୁଟିପରେ କଲେଜରେ ନାଁ ଲେଖାଇବି ବାପାଙ୍କୁ ବୁଝେଇ ସୁଝେଇ କହିଦେ ।

 

‘‘ହଇ ଏ ! ଝିଅକୁ ପଚାରିଲ, କ’ଣ କହିଲା ?’’

 

ମୁଁ ଆଉ–ସବୁ କଥାରେ ମରି ପାରିବିନି, ବାପାଙ୍କର ଗୋଟେ କଥାତ ଝିଅର ଆଉ ଗୋଟେ କଥା, ମୁଁ ଏବେ କାହାକୁ କେତେ ବୁଝେଇବି । ସେ ଝିଅ ଆଦ୍ୟରୁ ଶେଷଯାଏଁ ନାହିଁ କରୁଚି, କହୁଛି ଖରାଛୁଟି ପରେ କଲେଜରେ ପାଠ ପଢ଼ିବ ।

 

ମଙ୍ଗରାଜେ ରାଗରେ ଜର୍ଜର ହୋଇ କହିଲେ, କଲେଜରେ ପାଠ ପଢ଼ିବ ନା କଂଗ୍ରେସିଆ ଟୋକାଙ୍କ ବେକରେ ବରଣମାଳା ଲମ୍ୱେଇବ । ସରୋଜିନୀକୁ କହିଦିଅ, ମୁଁ ତା’ର ବହୁତ ସହିଲିଣି । ଗୋଟିଏ ଝିଅ ବୋଲି କିଛି କହି ପାରୁନି, ସେ ଗାଁ ଗାଁ ବୁଲି ଯେଉଁ ଲୋକସେବା ଆରମ୍ଭ କରିଚି, ଆଉ ଯେଉଁ ଲୁଣାବନ୍ଧର ଦାୟିତ୍ୱ ନେଇଛି, ତା ସବୁ ମୋ ମୁହଁରେ ଚୂନ କଳା ବୋଳିଲା ଭଳି ହେଉଛି । ନିଜେ ତାକୁ କିଛି ନ କହି ପାରୁଚ ତ ମୋପାଖକୁ ଡାକିଦିଅ, ମୁଁ ପରିଷ୍କାର କହିଦିଏଁ ।

 

ବାପା ମୋତେ କାହିଁକି ଡ଼ାକୁଥିଲ କି ? ହଁ ତତେ ଡ଼ାକୁଥିଲି । ତୋ ଯୋଗୁରୁ ମୋ ମୁଣ୍ଡ ସବୁ କଥାରେ ନଇଁ ଯାଉଚି । ଏବେ ମାସେହେବ ଗାଁ ଗାଁ ବୁଲି ତୁ କ’ଣ କରୁଚୁ କହିଲୁ ? ଚାଳିଶ ବର୍ଷ ହେଲା ମୁଁ ପରା ଏ ଲୁଣାବନ୍ଧ କରେଇ ଦେଉ ନ ଥିଲି ? ମୋ ଛାତି ଉପରେ ଠିଆହୋଇ ସେ କାମର ଭାର ତୁ ନେଇଚୁ, ବାର ଛୋଟଲୋକ ଘର ବୁଲୁଚୁ, ଏସବୁ କ’ଣ ଆମ ଘରର ଚଳଣି ? ଛତରା ଟୋକା କେତେଟା କଂଗ୍ରେସରେ ମାତିଛନ୍ତି ଯେ–ତୁ ମଧ୍ୟ ତାଙ୍କରି କଥା ଶୁଣୁଚୁ । ସତେ ଯେପରି ଏମାନେ ଗୋରା ସରକାରକୁ ତଡ଼େଇ ଦେବେ ? ହଁ ବିଭାଘର କଥା କ’ଣ ବୋଉକୁ ମନା କରିଦେଲୁ ?

 

ମୁଁ କଲେଜରେ ପଢ଼ିବି, ତେଣୁ ମନା କଲି । ନା, ସେକଥା ହୋଇ ପାରିବନି । ମୋ ହୁକୁମ ଉପରେ ତୁ ବାଧା ଦେବୁ ? ମୁଁ ସାହେବ ଆଗେ ଜବାବ ଦେଇ ସାରିଚି, ସେ ମତେ ଆଉ ମଣିଷ ତଳେ ଗଣିବ ? ବିବାହ ପରେ ପାଠ ପଢ଼ାରେ ତୋର ଅସୁବିଧା ହେବନି ଯେ ।

 

ନିତାନ୍ତ ଅସମ୍ଭବ କଥା, ଗ୍ରୀଷ୍ମ ଛୁଟିପରେ ମୁଁ କଲେଜରେ ପଢ଼ିବି । ତେଣୁ ସେ ପ୍ରଶ୍ନ ଏଇଲେ ଉଠିବ କାହିଁକି ?

 

ତେବେ ତୋ ଇଚ୍ଛା ଅନୁସାରେ ମୁଁ ଚଳିବି ? ବୈଶାଖ ମାସ ଶୁକ୍ଳ ଦଶମୀ ତିଥିରୁ ଦିନେହେଲେ ଘୁଞ୍ଚିବ ନାହିଁ । ସାହେବ ଆଗେ କଥା ଦେଇ ସାରିଚି । ତୁ ମୋର ହୁକୁମ ପାଳିବାକୁ ବାଧ୍ୟ ।

 

କୌଣସି ଲୋକ କାହାର ଅନ୍ୟାୟ କଥାରେ ବାଧ୍ୟ ହୋଇ କିଛି କରିବା ଠିକ୍ ନୁହେଁ । ଯଦି ବାଧ୍ୟହୋଇ କରେ, ତାହେଲେ ସେ କାର୍ଯ୍ୟ ମଙ୍ଗଳମୟ ହୁଏନି ?

 

ବରଂ ଅମଙ୍ଗଳ ହେବା ହିଁ ଶ୍ରେୟସ୍କର । ମାତ୍ର ମୋର ହୁକୁମ ତୋତେ ପାଳିବାକୁ ହିଁ ହେବ ।

 

ବାପା ! ମୁଁ ସତକଥା କହୁଚି, ମୋର ଜୀବନ ଥିବାଯାଏ ତୁମେ ସହସ୍ର ଚେଷ୍ଟାକଲେ ସୁଦ୍ଧା ଦେଶଦ୍ରୋହୀ, ନରହତ୍ୟାକାରୀ ବିରଜାବାବୁ ସହିତ ମୋର ବିବାହ କୌଣସିମତେ ହୋଇ ପାରିବ ନାହିଁ ।

 

ସବ୍‌ଡ଼େପୁଟି ବିରଜା ବାବୁ ରାଜଭକ୍ତ, ଦେଶଦ୍ରୋହୀ ନୁହେଁ ତ ? ମଙ୍ଗରାଜେ କହିଲେ-

 

‘‘କେବଳ ସେ ନୁହେଁ ତାକୁ ଯେଉଁମାନେ ସମର୍ଥନ କରନ୍ତି ସେମାନେ ବି ଦେଶଦ୍ରୋହୀ,’’ ସରୋଜିନୀ କହିଲା ।

 

ଆଚ୍ଛା ଏହା ଭିତରେ ଅନେକ ଗୁଡ଼ାଏ ବକ୍ତୃତା ମଧ୍ୟ ତୁ ଶିଖି ଗଲୁଣି । ଦେଖ ସରୋଜିନୀ ! ମୁଁ ଭଲରେ କହୁଚି ବିରଜା ବାବୁଙ୍କ ସହିତ ତୋର ବିବାହ ଆସନ୍ତା ରବିବାର ଦିନ ସ୍ଥିର ହୋଇ ଯାଇଛି । ଏଥିରେ ବାଧାଦେବା ଅର୍ଥ ଅନର୍ଥର କାରଣ । ତୁ ତ ଆଉ ପିଲାଝିଅ ନୁହଁ, ସବୁକଥା ଭଲକରି ଭାବେ ?

 

ବୁଝିଲୁ ଶଶି । ଆତ୍ମହତ୍ୟା କରିବା ବ୍ୟତୀତ ମୋର ଆଉ ଅନ୍ୟବାଟ ନାହିଁ । ଶଶି ଚମକି ପଡ଼ିଲା । ସରୋଜିନୀକୁ କୁଣ୍ଢେଇ ପକେଇ ପଚାରିଲା, ତୁ ଆତ୍ମହତ୍ୟା କରିବୁ ? କାହିଁକି ! ତୋର କ’ଣ ହେଲା କି ?

 

ବାପା ଜିଦ୍ ଧରି ବସିଚନ୍ତି ସେହି ନରହତ୍ୟାକାରୀ ସବ୍‌ଡ଼େପୁଟି ବିରଜାବାବୁ ସହିତ ଆସନ୍ତା ରବିବାରଦିନ ମୋର ବିଭାଘର ହେବ । ଶଶି ଛାନିଆହୋଇ କହିଲା ଏହା ଭିତରେ ଏତେକଥା ହୋଇ ଗଲାଣି, ମୋ କାନ ଜାଣିନାହିଁ । ହଁ ତମ ଘରକଥା ତୋଠାରୁ ଶୁଣିବା ବ୍ୟତୀତ ଅନ୍ୟ କିଏ କିପରି ଅବା ଜାଣିବ ? ତୁ ଯାହା ଭାବେ ସରୋଜିନୀ ! ତୋ ବାପା ବଡ଼ ଏକଜିଦିଆ ଲୋକ । ତାଙ୍କର ମୋଟେ ବିଚାର ନାହିଁ । ଏଇ ଲୁଣାବନ୍ଧ ଘଟଣାରେ ଦେଖୁନୁ ?

 

ହଁ, ସେ ସବୁ ମୋର ମନ୍ଦ ଭାଗ୍ୟର ଦୋଷ ! ଏବେ କହିଲୁ ମୋର ଉପାୟ କ’ଣ ? ମୁଁ ତ ମଝି ନଈରେ ଭାସୁଚି । ବାପା ବିଭାଘର ସବୁ ଆୟୋଜନ କରି ସାରିଲେଣି । ଲୁଚି ଛପି କୁଆଡ଼େ ଚାଲି ଯାଆନ୍ତି, କୁଆଡ଼େ ବା ଯିବି, ପୋଲିସ ଦ୍ୱାରା ଧରେଇ ଆଣିବେ ସାଙ୍ଗେ ସାଙ୍ଗେ । ବଳରାମବାବୁ, ସେ ପୁରୁଷ ଲୋକ, ବଣ ବୁଦାରେ ଲୁଚି ଛପି ବରଷେ କାଳ ରହି ପାରିଲେ । ଆମ ମାଇପି ଜାତି ପକ୍ଷରେ ତ କିଛି ସମ୍ଭବ ହୋଇ ପାରିବ ? ତେଣୁ ଆତ୍ମହତ୍ୟା ଛଡ଼ା ମତେ ଆଉ ଅନ୍ୟବାଟ ଦେଖା ଯାଉନି । ତୁ ଯଦି କିଛି ବୁଦ୍ଧି ଦେଇ ପାରିବୁ ତେବେ ସେଇକଥା କହ ।

 

ଇଏ ତ ବଡ଼ ସାଙ୍ଘାତିକ କଥା । ତୁ ବାପା ବୋଉଙ୍କୁ କହି ପ୍ରସ୍ତାବଟା ବନ୍ଦ କରେଇ ପାରିବୁ ନି ସରୋଜିନୀ !

 

ନା ! ଏ ପ୍ରସ୍ତାବ କୌଣସି ମତେ ବାପା ଭାଙ୍ଗିବେନି । ବୋଉ ବିଷୟ ଯାହା କହିଲୁ, ତା’ର ନିଜତ୍ୱ ହୋଇ କିଛିନାହିଁ । ବାପାଙ୍କର ଗୋଟାଏ ରଗଡ଼ରେ ସେ ଏକବାରେ ମାଟିରେ ମିଶିଯିବ । ତତେ କ’ଣ ମୋ ବାପାଙ୍କ ପ୍ରକୃତି ଅଜଣା ଅଛି ? ସମଗ୍ର ରାଜ୍ୟଲୋକଙ୍କର ଗୋଟାଏ ମତ ହେଲେ ତାଙ୍କର ମତ ଠିକ୍ ଓଲଟା ! ଲୁଣାବନ୍ଧ ନେଇ ସେ ମୋ ଉପରେ ଖୁବ୍ ବିରକ୍ତ । ତେଣୁ ମତେ ଏଠାରୁ ବିଦାୟ ଦେବା ଛଡ଼ା ତାଙ୍କର ବି ଉପାୟ ନାହିଁ ? ଏହା କେବଳ ବାପାଙ୍କ ବୁଦ୍ଧି ନୁହେଁ, ଏଥିରେ ହାକିମ ହୁକୁମାଙ୍କର ପରାମର୍ଶ ରହିଛି, ଏ ସବୁ ବିରୁଦ୍ଧରେ ଯେତେ ଲଢ଼ିବା କଥା ମୁଁ ସେତେ ଲଢ଼ି ସାରିଚି । ଆଉ କିଛି କହିବାର ନାହିଁ । ହୁଏତ ବାପାଙ୍କ ପ୍ରସ୍ତାବକୁ ମାନି ନେବି ନତୁବା ଆତ୍ମହତ୍ୟା କରିବି, ଏଇ ଦୁଇଟି ପନ୍ଥା ମୋ ଆଖି ଆଗରେ ଦେଖି ପାରୁଚି । ତେବେ ପ୍ରଥମଟି ତ କେବେହେଲେ ଗ୍ରହଣ କରି ପାରିବିନି, ଦ୍ୱିତୀୟଟି ହିଁ ମୋର ସମ୍ବଳ ।

 

ଏଇ ଦୁଇଟି ବ୍ୟତୀତ ତୃତୀୟ ବାଟ ଆଉ କିଛି ନାହିଁ ବୋଲି ତୁ କ’ଣ ସ୍ଥିର କରି ନେଇଛୁ-?

 

ଥାଇ ପାରେ, ମାତ୍ର ମୁଁ ଦେଖିବା ଭଳି ନାହିଁ । ସେଇଥିଲାଗି ତୋଠାରୁ ବିଚାର ମାଗୁଚି ।

 

ଅନ୍ୟ ବାଟ ନିଶ୍ଚୟ ରହିଛି ସରୋଜିନୀ ! ମନରେ ଦମ୍ଭ ଧରି ଅନୁସନ୍ଧାନ କଲେ ବହୁତ ଭଲ ବାଟ ଈଶ୍ୱର ଦେଖାଇ ଦେବେ । ତୋପରି ଗୋଟିଏ ଶିକ୍ଷିତା ଯୁବତୀ ଆତ୍ମହତ୍ୟା କରିବ ? ଛି ଛି ଏସବୁ କେବେ ହେଲେ ମନରେ ଧର ନା’ । ଅନ୍ୟାୟର ବିରୋଧ କରି ମୃତ୍ୟୁବରଣ କରାଯାଇ ପାରେ । ଆଜି ଯେପରି ସ୍ୱାଧୀନତାକାମୀ କଂଗ୍ରେସବାଲାମାନେ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢ଼ି ମୃତ୍ୟୁମୁଖରେ ପଡ଼ୁଛନ୍ତି, ତାହା ତୋ ଭାଗ୍ୟରେ ଘଟିଯାଉ, ତଦ୍ୱାରା ଆତ୍ମଘାତୀ ଆଖ୍ୟା କେହିହେଲେ ଦେଇ ପାରିବେ ନାହିଁ ତ ?

 

ହଁ ଶଶି ! ତୋ କଥାର ତାତ୍ପର୍ଯ୍ୟ ମୁଁ ବୁଝୁଛି । ଦେଶ ମୁକ୍ତି ପାଇଁ କଂଗ୍ରେସବାଲାଙ୍କର ଲଢ଼େଇ ବିଦେଶୀ ସରକାର ସହିତ । ମୁଁ କିନ୍ତୁ କାହା ସାଙ୍ଗରେ ଲଢ଼ିବି ?

 

ତୁ ଲଢ଼ିବୁ, ନାରୀ ଉପରେ ପୁରୁଷର ଅନଧିକାର ଚର୍ଚ୍ଚା, ରକ୍ଷଣଶୀଳତା, ହୃଦୟହୀନତା, ଆଦି ଗୁରୁତର ସାମାଜିକ ଅପରାଧମାନଙ୍କର ବିରୁଦ୍ଧରେ ?

 

ଶଶି ତୁ ସତ କହୁଚୁ ଯେ– ନିଜର ସ୍ୱାର୍ଥ ବଜାଏ ରଖ ବାପାଙ୍କ ସଙ୍ଗେ ବିବାଦୀ ହେବାଦ୍ୱାରା ମୁଁ ଗୋଟାଏ ସ୍ୱାର୍ଥବାଦିନୀ ବୋଲି ପ୍ରଥମେ ଲୋକମାନଙ୍କର ଧାରଣା ଜନ୍ମିବ । କାରଣ ଏଥି ପୂର୍ବରୁ ଏଇଭଳି ସାମାଜିକ କୁସଂସ୍କାରବାଦ ଉପରେ ମୋର ତିଳେ ହେଲେ ଅବଦାନ ନାହିଁ । ଏଇ ଆଖି ଦେଖୁଚି ଶହ ଶହ ଯୁବତୀ ଝିଅମାନଙ୍କୁ ତାଙ୍କର ମୁରବିମାନେ ଗୋରୁଗାଈ ବିକ୍ରି କଲା ପରି ବିକି ଦେଉଛନ୍ତି ।

 

ହଁ’ ସରୋଜିନୀ ! ସେ ବି ଗୋଟାଏ ବିଚାରିବାର ବିଷୟ । ଆମେ ତ ଫେରେ ହାତେ ମାପି ଚାଖଣ୍ଡେ ଚାଲିଲେ ହେବ । ଆତ୍ମହତ୍ୟା କରିବା ଅପେକ୍ଷା ଆତ୍ମଗୋପନ କରିବା ତ ମନ୍ଦ ନୁହେଁ । ସାରା ପୃଥିବୀ ପଡ଼ିଚି । ବେଶ୍ ମୁକ୍ତଆକାଶରେ ଉଡ଼ନ୍ତା ଚଢେଇ ପରି ଏଣେ ତେଣେ ବୁଲିଲେ ବା କ୍ଷତି କ’ଣ ?

 

କ୍ଷତି ନାହିଁ ଯେ, ବୁଲିବା ପାଇଁ ସୁଯୋଗ ପାଇଲେ ତ ହୁଏ । ବାଘ ମୁହଁରୁ ରକ୍ଷା ପାଇବା ଉଦ୍ଦେଶ୍ୟରେ ହରିଣ ବଣ ଛାଡ଼ି ଗାଁ ଗହଳିରେ ପଶିଗଲେ, ତା’ର ଅବସ୍ଥା କିପରି କ’ଣ ହେବ ବିଚାର କରୁନୁ ? ଚୋରମୁହଁରୁ ଉଦ୍ଧାର ପାଇବା ବାଟ ଯଦି ଡକାୟତର ସମ୍ମୁଖ ହୋଇଥାଏ ତେବେ ଉପାୟ କ’ଣ ? ଆମ ନାରୀ ଜାତିଟା ପରା ପୁରୁଷମାନଙ୍କର ଗୋଟାଏ ଉପଭୋଗ୍ୟ ସାମଗ୍ରୀ ହୋଇ ରହି ଆସିଛି ?

 

ତା ମଧ୍ୟ କମ୍ ଭାବିବାର ନୁହେଁ । ଆଚ୍ଛା ସରୋଜିନୀ ତୁ ବାପାଙ୍କ ପ୍ରସ୍ତାବରେ ରାଜିହୋଇ ପଡ଼େ । ବାଭାଘର ହୋଇଯାଉ, ବିରଜାବାବୁଙ୍କ ସହିତ ତୋର କୌଣସି ସମ୍ପର୍କ ନ ରହିଲେ ତ ହେଲା, ପରେ ସେ ବାଧ୍ୟହୋଇ ଅନ୍ୟ ଅନୁସନ୍ଧାନ କରିବ । ଏଇ ଅବସରରେ ତୁ ତା ଉପରେ ଦୋଷ ଲଦିଦେଇ ଘରକୁ ଫେରି ଆସିବୁ ।

 

ଶଶି ମୋର ଜୀବନ ମରଣ ସମସ୍ୟାବେଳେ ମଧ୍ୟ ତୋର ପିଲାଳିଆ କଥାରେ ନ ହସି ରହିପାରୁନାହିଁ । ତୁ ଯାହା କହୁଚୁ ତା କିପରି ସମ୍ଭବ ହେବ କହିଲୁ ? ଗୋଟିଏ କଣ୍ଟା ଗଛରେ ସୁଦ୍ଧା ଲଟାଟିଏ ମାଡ଼ିଯିବା ପରେ ସେ ଆଉ ଭଲଗଛ ଆଡ଼କୁ ଆଗେଇ ପାରେନି । ଚିରଦିନ ତା ଦେହରେ କଣ୍ଟା ଗଳୁଥାଏ ସତ, ମାତ୍ର ସେହି କଣ୍ଟା ଗଛ ହିଁ ତା’ର ଆଶ୍ରୟସ୍ଥଳ ହୁଏ ।

 

x            x            x            x

 

ସରୋଜିନୀ ଆଉ ଶଶି ଦୁହେଁ ନାନାଆଡ଼ୁ ନାନାପ୍ରକାର କଥାବାର୍ତ୍ତା ହେଉଥିବାବେଳେ, ଡ଼ାକବାଲା ଖଣ୍ଡିଏ ଚିଠି ଦେଇଗଲା । ନିଜ ନାଁରେ ଚିଠି ଖଣ୍ଡିକ ଦେଖି ଶଶି ତରତର ହୋଇ ଲଫାପାଟି ଖୋଲି ଚିଠି ଖଣ୍ଡିକ ପଢ଼ିଲା । ଆଗ ଲେଖାଗୁଡ଼ିକ ତା’ର ବଇଭାଇ ପୂର୍ବରୀତିରେ ଲେଖିଛନ୍ତି । ନୂଆକଥା ଏହି ଯେ ବଳରାମବାବୁ କେନ୍ଦ୍ର ଜେଲକୁ ଯିବାପରେ ବୈକୁଣ୍ଠବାବୁଙ୍କ ସହିତ ତାଙ୍କର ସାକ୍ଷାତ ହୋଇଛି ।

 

ଲୁଣା ଅଞ୍ଚଳରେ ବଳରାମବାବୁ ତ ନିର୍ଦ୍ଦିଷ୍ଚ ଭାବରେ କାହାର ହେଲେ ଠିକଣା ଜାଣି ନାହାନ୍ତି ଯେ– ଚିଠିପତ୍ର ଦେବେ । ମୋଟ ଉପରେ ଲୁଣା ଅଞ୍ଚଳବାସୀଙ୍କ ପ୍ରତି ବୈକୁଣ୍ଠ ବାବୁଙ୍କ ଦ୍ୱାରା ଦିପଦ ଲେଖାଇ ଦେଇଛନ୍ତି । ତା’ରି ଭିତରେ ସରୋଜିନୀ, ଶଶି, ମିନୁ ପ୍ରଭୃତି ସ୍କୁଲଛାତ୍ରୀ କେତେଜଣଙ୍କର ନାଁ ଲେଖା ହୋଇଛି ଏବଂ ସେମାନଙ୍କ ପ୍ରତି ସ୍ନେହ ସଦ୍ଦିଚ୍ଛା ଜ୍ଞାପନ କରାଇବା ବ୍ୟତୀତ ଦେଶ ସ୍ୱାଧୀନ ହେବାପାଇଁ ପ୍ରତ୍ୟେକ ଭାରତୀୟ କିଛି ନା କିଛି କାମ କରିବା ଉଚିତ୍, ଏହାର ସୂଚନା ଦେଇଛନ୍ତି । ନାରୀଜାତି ସାମାଜିକ ‘‘କୁସଂସ୍କାର ଦୁର୍ଗ’’ ପରଦା ପ୍ରଥାକୁ ଫିଙ୍ଗି ପୁରୁଷର ସହଯୋଗରେ ଦେଶକାମ ନ କଲେ ସ୍ୱାଧୀନତା ସଂଗ୍ରାମ ସୁଦୃଢ଼ ହୋଇ ପାରିବ ନାହିଁ ବୋଲି ସେ ମତ ବ୍ୟକ୍ତ କରିଅଛନ୍ତି । ପରିଶେଷରେ ହାଇସ୍କୁଲର ଛାତ୍ରୀମାନଙ୍କୁ ଧନ୍ୟବାଦ ଦେଇ ତାଙ୍କ ସହିତ ପତ୍ରାଳାପ କରିବା ଆଶାପୋଷଣ ମଧ୍ୟ କରିଛନ୍ତି ।

 

ବଳରାମବାବୁଙ୍କ ଏଇ କେତେପଦ ସରୋଜିନୀ ଆଉ ଶଶି ଦୁହିଁଙ୍କ ମନରେ ଆନନ୍ଦର ଢେଉ ଖେଳାଇ ଦେଲା । ଚିଠି ଖଣ୍ଡିକ ଦୁହେଁ ମିଶି ଥରେ ଦୁଇଥର ନୁହେଁ ଦଶ କି ବାରଥର ପର୍ଯ୍ୟନ୍ତ ପଢ଼ିଥିବେ । ଦୁହିଁଙ୍କ ମନରେ ଦମ୍ଭ ଏତେ ବଢ଼ିଗଲା ଯେ– ଯେଉଁ ବିଷୟ ଗୁଡ଼ିକର ସମାଧାନ ପରମୁହୂର୍ତ୍ତରେ ତାଙ୍କୁ ହିମାଳୟ ଅତିକ୍ରମ ପରି ଜଟିଳ ବୋଧହେଉଥିଲା । ସେହି ସମସ୍ୟା ଗୁଡ଼ିକର ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ତାଙ୍କୁ ଦଣ୍ଡେ ବି ଲାଗିଲାନି ।

 

ଶଶି ! ମୋ ବାପାଙ୍କର ଅଣବୁଝା ନୀତିରୁ ସିନା ମୁଁ କଷ୍ଟ ସହିବି, ତୁ ତୋର ଶାନ୍ତ ସରସ ଜୀବନକୁ ମୋଲାଗି ବିପନ୍ନ କରିବୁ କାହିଁକି ?

 

ଶଶି ହସି ହସି ଉତ୍ତରଦେଲା, ତୁ କିପରି ମୋ ଅପେକ୍ଷା ଶତଗୁଣ ଅଧିକ ସରସ ଜୀବନକୁ ଜଣେ ଅପରିଚିତ ବ୍ୟକ୍ତିର କ୍ଷଣିକ ସାକ୍ଷାତରେ ତୁଚ୍ଛକରି ଦେବାକୁ ବାହାରିଛୁ ଯେ– ? ବଳରାମ ବାବୁଙ୍କର ସାକ୍ଷାତ ଦଣ୍ଡକପାଇଁ ନ ପାଇଥିଲେ, ତୁ ଏଡ଼େବଡ଼ ହାକିମଙ୍କୁ କ’ଣ ଗୋଡ଼ରେ ଆଡ଼େଇ ଦେଇ ପାରି ଥାଆନ୍ତୁ । ତୁ ଯଦି ଜଣେ ଲୋକର ସାମାନ୍ୟ ସାକ୍ଷାତରେ ତା ପାଇଁ ଏତେ ସ୍ୱାର୍ଥ ତ୍ୟାଗ କରିପାରୁ, ମୁଁ ଯେ– ତୋର ସବୁ ଦିନର ସାଙ୍ଗ, ତେଣୁ ମୋ ପକ୍ଷରେ ତୋ ଲାଗି ଟିକିଏ କଷ୍ଟ ସ୍ୱୀକାର କରିବା ବଡ଼ କଥା ହେବ କିପରି ?

 

ଶଶି ! ତୁ ବିରଜା ବାବୁଙ୍କ ଫଟୋ ଦେଖିଛୁ ? ଲୋକଟି ଭାରି ଚେହେରାବାନ୍ । ଅନୁମାନ ହେଉଛି ୨୨/୨୩ ବର୍ଷ ହେବ । ଖାଲି ସେ ମଣିଷ ମାରି ନ ଥିଲେ ଆଉ କିଛି ନ ଥିଲା ମ ? ତା ଫଟୋ ଦେଖିଲେ ତୋର ବି ଲୋଭ ହେବ । ଶଶି ଏ କଥା ଶୁଣି ଟିକିଏ ହସିଦେଲା ।

 

ବଳରାମ ବାବୁଙ୍କ ଚିଠିର ପ୍ରେରଣାରେ ସରୋଜିନୀ ଓ ଶଶି କୌଣସି ଅନିର୍ଦ୍ଦିଷ୍ଟ ପଥର ଯାତ୍ରୀହେବା ସିଦ୍ଧାନ୍ତ ଗ୍ରହଣ କଲେ ସିନା ତାହା କିପରି କାର୍ଯ୍ୟକାରୀ ହୋଇ ପାରିବ ସେ ବିଷୟରେ ଭାବନା ପଡ଼ିଲା । ଶଶି କହିଲା, ‘‘ମଟର ଯୋଗେ କଟକ ଚାଲିଯିବା । ତାପରେ ଗାଡ଼ିଧରି ଯୁଆଡ଼େ ଇଚ୍ଛା ସେଆଡ଼େ ଗଲାପରେ ଆମ ପ୍ରତି ଭଗବାନଙ୍କର ଯାହା ବିଚାର ଥିବ । ‘‘ମଟରରେ କଟକ ଯିବାପାଇଁ ସରୋଜିନୀ ମନାକଲା । କାରଣ ତା’ର ବାପା ସବୁବେଳେ ମଟରରେ ଯିବା ଆସିବା କରନ୍ତି । କାଳେହେଁ ହାବୁଡ଼େ ପଡ଼ିଯିବ । ତା ବ୍ୟତୀତ ଅନେକ ହାକିମ ହୁକୁମା ମଙ୍ଗରାଜଙ୍କ ଘରକୁ ଆସିବା ଦ୍ୱାରା ଅଧିକାଂଶ ସରୋଜିନୀକୁ ଚିହ୍ନିଛନ୍ତି । ଦୈବାତ୍ କୌଣସି ଚିହ୍ନାଲୋକ ସହିତ ମଟର ଭିତରେ ଦେଖା ହୋଇଗଲେ ସମସ୍ତ କଳ୍ପନା ତ ପଣ୍ଡ ହୋଇଯିବ, ଏ କାର୍ଯ୍ୟର ପରିଣତି ଯେ ଭୟାବହ ହୋଇ ଉଠିବ, ଏଥିରେ ତିଳେହେଲେ ସନ୍ଦେହ ନାହିଁ ।

 

ଶେଷରେ ଉଭୟେ ସ୍ଥିର କଲେ, ସମୁଦ୍ର କୂଳର ଜଙ୍ଗଲ ପଥ ଦେଇ ଚାନ୍ଦବାଲି ଯାଏଁ ଯିବେ । ସେଠାରୁ ମଟରଯୋଗେ ଯାଇ ଟ୍ରେନ୍ ଧରିବେ । ରାସ୍ତା ଖର୍ଚ୍ଚ ପାଇଁ ଦୁହିଁଙ୍କ ପାଖରେ ବେଶି କିଛି କ୍ୟାସ ନ ଥିଲେ ସୁଦ୍ଧା, ଗହଣାତକର ମୂଲ୍ୟ ତ ହଜାରକରୁ କମ୍ ହେବନି ।

 

ସରୋଜିନୀ ବିବାହ ହୋଇ ଶାଶୁଘରକୁ ଚାଲିଯିବ, ଏ ଖବରରେ ସମଗ୍ର ଲୁଣାଅଞ୍ଚଳଟା କ୍ଷୁବ୍ଧ ହୋଇ ପଡ଼ିଥାଏ । କିଏ କହେ ମଙ୍ଗରାଜ ଜାଣି ଶୁଣି ଏପରି କରୁଚନ୍ତି । ସରୋଜିନୀ ଗରିବମାନଙ୍କ ଲାଗି କାମ କରିବାରୁ ମଙ୍ଗରାଜେ ତାକୁ ବିଦାୟ ଦେବାର ବ୍ୟବସ୍ଥା କରିଦେଲେ । ଆଉ କିଏ କହେ, ଏଇ ଲୁଣାବନ୍ଧ କାମ ଦିନରୁ ପରା ମଙ୍ଗରାଜ ଝିଅ ଉପରେ ରକ୍ତଚାଉଳ ଚୋବାଉଛି । ସରୋଜିନୀ ପାଇଁ ଘରଜୋଇଁ ଆଣିବା କଥା ପରା ପାଞ୍ଚ ବର୍ଷ ହେଲା ସବୁଠି ଗପେ, ଆଜି ୟା କାହିଁକି କରୁଚି । ଖାଲି ଆମରି ପାଇଁ ତା’ର ଏତେ କାଣ୍ଡ ଚାଲିଚି । ହଉ ଈଶ୍ୱରଙ୍କ ଇଚ୍ଛା, ‘‘ଯେ ଥାଏ ପର ନଟକୂଟେ, ତାକୁ ଗୋବିନ୍ଦ ମାରନ୍ତି କପଟେ ।’’

 

ଶଶି ପାହାନ୍ତିଆରୁ ଉଠି ଗାଁର ପୂର୍ବପାଖ ଦେଉଳ ଆଢ଼ୁଆଳରେ ଛିଡ଼ା ହୋଇଥାଏ । ସରୋଜିନୀ ସେଠାରେ ଯାଇ ପହଞ୍ଚିଲା । ଦୁଇଜଣଯାକ ଏକମୁହାଁ ଅମଡ଼ା ବାଟରେ ଖଣ୍ଡେଦୂର ଚାଲିବାପରେ ସମୁଦ୍ରକୂଳ ରାସ୍ତାରେ ଉତ୍ତରମୁହାଁହୋଇ ଆଗେଇଲେ । ରାସ୍ତାରେ ଗଲାବେଳେ କେତେ କେଉଁଠି ବାଟୋଇ ଭେଟ ହୁଅନ୍ତି । ଏ ଦୁହିଁଙ୍କୁ ଦେଖି ଯେ, ଯାହା ଭାବୁଥିବେ ତାହା ତାଙ୍କୁ ହିଁ ଜଣା । ଅଧିକାଂଶ ଲୋକ ବୋଧହୁଏ ଧାରଣା କରି ନିଅନ୍ତି ଏମାନଙ୍କ ସାଙ୍ଗରେ ଥିବା ଲୋକେ ହୁଏତ ପଛରେ ଆସୁଛନ୍ତି । କୌଣସି ସ୍ଥାନରେ ଟିକିଏ ଗହଳିଆ ଲୋକ ଦେଖିଲେ ଉଭୟେ ମଧ୍ୟ ଉପରୋକ୍ତ ଅନୁମାନର ଆଭାଷ ବାଟୋଇମାନଙ୍କ ମନରେ ଉପୁଜାଇ ଦେଉଥାଆନ୍ତି ।

 

ସରୋଜିନୀ ଆଉ ଶଶିକୁ ରାସ୍ତାରେ ଭେଟୁଥିବା କେବଳ ଯୁବକ କାହିଁକି ପ୍ରୌଢ଼ବୟସ୍କ ଲୋକମାନେ ସୁଦ୍ଧା ଆଖି ପିଛୁଳା ନ ପକାଇ ଦୀର୍ଘଦୂର ପର୍ଯ୍ୟନ୍ତ ଚାହିଁ ରହନ୍ତି । ତିନି ଦିନ କାଳ ନ ଖାଇ ନ ପିଇ ଝିଅ ଦୁଇଟି ବାଟ ଚାଲୁଥିଲେ ସୁଦ୍ଧା ମନର ଦୃଢ଼ତା ଯୋଗୁଁ, ମୁଖଶିରୀ ଟିକିଏ ହେଲେ ମଳିନ ଦେଖାଯାଉ ନଥାଏ । ସମୁଦ୍ର କୂଳର ଛୋଟ ବଡ଼ ଗ୍ରାମ ଅତିକ୍ରମ କରି ଯିବାବେଳେ ଏ ଦୁହିଁଙ୍କୁ ଦେଖି ପରୋକ୍ଷଭାବରେ କିଏ କେତେ ପ୍ରକାର କୁହାବୋଲା ହେଉ ଥାଆନ୍ତି । ମାତ୍ର କାହାରି କଥା ଉପରେ ସେମାନଙ୍କର ଲକ୍ଷ୍ୟ ନ ଥାଏ । କୌଣସି ବିଦ୍ରୁପ ଭଙ୍ଗି କିମ୍ୱା ଅଶ୍ଳୀଳ କଥା ସେମାନଙ୍କ ଆଖି କାନ ଆଗରେ ପଡ଼ିଲେ ସୁଦ୍ଧା ସେ ଦୁହେଁ ଭ୍ରୁକ୍ଷେପ କରନ୍ତି ନାହିଁ ।

 

ଚାନ୍ଦବାଲି ମଟର ଷ୍ଟାଣ୍ଡରେ ପହଞ୍ଚିଲାବେଳକୁ ମୁହଁ ଅନ୍ଧାର ହୋଇ ଆସିଥିଲା । ରେଲ୍ ଷ୍ଟେସନକୁ ଯିବା ମଟରଟା ଷ୍ଟାଟ ହେବା ଉପରେ । ସରୋଜିନୀ ହଠାତ୍ ମଟର ଆଗକୁ ହାତ ଦେଖାଇ ଦେଲା । ଡ଼୍ରାଇଭର ଷ୍ଟାଟ ବନ୍ଦକରି ଦେବାରୁ ଦୁହେଁ ମଟର ଭିତରକୁ ଉଠିଗଲେ ।

 

ସେଦିନ ମଟରଷ୍ଟେସନ ଲୋକାରଣ୍ୟ । ନାରୀନେତ୍ରୀ ବିମଳା ଦେବୀଙ୍କୁ ସମ୍ୱର୍ଦ୍ଧନା କରିବା ପାଇଁ ଭଦ୍ରଖ ଅଞ୍ଚଳର ଶହ ଶହ ନରନାରୀ ମୁସାଫେରିଖାନା ସମେତ ଷ୍ଟେସନର ଚାରିପାଖେ ଘେରି ରହିଥାଆନ୍ତି । ଯାତ୍ରୀବାହୀ ମଟରଟି ଷ୍ଟେସନରେ ପହଞ୍ଚିଲା । ଯାତ୍ରୀମାନେ ମଟରରୁ ଓହ୍ଲାଇ ଟିକେଟ୍ କିଣିବା ଲାଗି ବୁକିଂ ଅଫିସଆଡ଼େ ଦୌଡ଼ିଗଲେ ।

 

କାହାକୁ କିଛି ନ ପଚାରି ସୁଦ୍ଧା ସରୋଜିନୀ ଆଉ ଶଶି ଦୁହେଁ ଜାଣିପାରିଲେ ଯେ- ନାରୀନେତ୍ରୀ ବିମଳା ଦେବୀ ବାଲେଶ୍ୱର ଜିଲ୍ଲାର ନାରୀସଂଗଠନ କାର୍ଯ୍ୟରେ ଆସିଥିଲେ । ସେ ବର୍ତ୍ତମାନ ରାଇରଙ୍ଗପୁରସ୍ଥିତ ତାଙ୍କର ବଦରିକା ଆଶ୍ରମକୁ ଫେରିଯାଉ ଅଛନ୍ତି । ତାଙ୍କୁ ଅଭ୍ୟର୍ଥନା କରିବା ହିଁ ଏତେ ଜନସମାଗମର କାରଣ ।

 

ବିମଳା ଦେବୀଙ୍କ ସହିତ ସରୋଜିନୀ କିମ୍ୱା ଶଶି କେହି ଜଣେ ଆଗରୁ ପରିଚିତ ହୋଇଥିଲେ, ଦୌଡ଼ିଯାଇ ଆଗେ ତାଙ୍କ ସହିତ ସାକ୍ଷାତ କରି ଥାଆନ୍ତେ । କିନ୍ତୁ ଦୁହେଁ କେହି ହେଲେ ଆଗରୁ ତାଙ୍କର ପରିଚିତା ନୁହନ୍ତି । ତେଣୁ ହଠାତ୍ ତାଙ୍କ ପାଖକୁ ଯାଇ କିଛି ଜଣାଇବା ସଂଗତ ବୋଧ କଲେନାହିଁ । ଆହୁରି ମଧ୍ୟ ଲୋକ ଭିଡ଼ ହେତୁ ବିମଳା ଦେବୀଙ୍କ ସହିତ ସାକ୍ଷାତ କରିବା ସେ ସମୟରେ ସମ୍ଭବ ହୋଇ ପାରନ୍ତାନାହିଁ ।

 

ବୀରବାଟି ଷ୍ଟେସନରୁ ଓହ୍ଲାଇ ବଦରିକା ଆଶ୍ରମକୁ ଯିବାପାଇଁ ହୁଏ । ତେଣୁ ବିମଳା ଦେବୀଙ୍କୁ ରେଳ ଟିକେଟ ବୀରବାଟି ଷ୍ଟେସନକୁ ନେବା ସ୍ୱାଭାବିକ ହୋଇଥିବ । ସରୋଜିନୀ ମଧ୍ୟ ବୀରବାଟି ଷ୍ଟେସନ ଯାଏଁ ଦୁଇଖଣ୍ଡ ଟିକେଟ କିଣିଲା ।

 

ନିର୍ଦ୍ଦିଷ୍ଟ ସମୟରେ ଜନତା ଟ୍ରେନ ଭଦ୍ରଖ ଷ୍ଟେସନରେ ପହଞ୍ଚିଲା । ଯାତ୍ରୀମାନେ ଗଣ୍ଠିଲା ପତ୍ର ଧରି ତରତର ହୋଇ ଓହ୍ଲାଇଲେ ଯେତିକି, ଠିକ୍ ସେହି ରୀତିରେ ଗାଡ଼ି ଚଢ଼ିଲେ ତା’ର ଦୁଇଗୁଣ କି ତିନିଗୁଣ ଲୋକ ।

 

ବିମଳା ଦେବୀ ଯେଉଁ ବଖରାରେ ବସିଲେ, ସେହି ବଖରାରେ ସରୋଜିନୀ ଆଉ ଶଶି ଦୁହେଁ ଜାଣି ଶୁଣି ବସିଲେ ସୁଦ୍ଧା ଗାଡ଼ି ଭିତରେ ବିମଳା ଦେବୀଙ୍କୁ ପଦେ ହେଲେ ପାଟି ଫିଟାଇ ଦେଇ ନାହଁନ୍ତି, ଏହିମାତ୍ର ଅନାବଶ୍ୟକ ଭାବରେ ବିମଳା ଦେବୀଙ୍କ ଆଖି ଏମାନଙ୍କ ଉପରେ ପଡ଼ି ଯାଇଥିବ ।

 

ରାତି ତିନିଟାରୁ ବେଶି ହେବ ‘ବୀରବାଟି’ ଷ୍ଟେସନରେ ଗାଡ଼ି ପହଞ୍ଚିଲା । ଛୋଟ ଷ୍ଟେସନଟିଏ, ଯାତ୍ରୀ ସମାଗମ ଖୁବ୍ କମ ହୁଏ । ସେଦିନ ବିମଳା ଦେବୀଙ୍କ ସମେତ ସାତ ଆଠଜଣ ଯାତ୍ରୀ ବୀରବାଟି ମୂଷାଫେରିଖାନାରେ ଆଶ୍ରୟ ନେଇ ରହିଲେ । ମୂଷାଫେରିଖାନାର ସିମେଣ୍ଟ ବେଞ୍ଚଟି ଉପରେ ବିମଳା ଦେବୀ ନିଦର ଖଦଡ଼ ବିଛଣା ଚାଦରଟି ବିଛେଇ ଟିକିଏ ବିଶ୍ରାମ ନେବା ଉପକ୍ରମ ଆରମ୍ଭ କଲାବେଳକୁ ସରୋଜିନୀ ଆଉ ଶଶି ଦୁହେଁ ତାଙ୍କ ଗୋଡ଼ତଳେ ଲମ୍ୱହୋଇ ପଡ଼ିଗଲେ । ବିମଳା ଦେବୀ ଏ ଘଟଣାରେ ବିସ୍ମିତ ହେବା ସ୍ୱାଭାବିକ ହୋଇ ପଡ଼ିଲା । କାରଣ ଟ୍ରେନ ଭିତରେ ଏ ଦୁହିଁଙ୍କୁ ଦେଖି ବିମଳା ଦେବୀ ତାଙ୍କ ସମ୍ପର୍କରେ ଅନେକ ଗୁଡ଼ିଏ ବିଷୟ ଚିନ୍ତାକରି ମନେ ମନେ ଦୁଃଖ ଅନୁଭବ କରିଛନ୍ତି । ସରୋଜିନୀ ଆଉ ଶଶିର ସୁନ୍ଦରପଣିଆହିଁ ବିମଳା ଦେବୀଙ୍କର ତାଙ୍କ ସମ୍ପର୍କୀୟ ଦୁର୍ଭାବନାକୁ ବିଶେଷ ସହାୟତା କରିଛି । ସାଙ୍ଗରେ କେହି ଜଣେ ପୁରୁଷ ବ୍ୟକ୍ତି ନ ଥାଇ ଟ୍ରେନ ଯାତ୍ରାକଲାବେଳେ ଯୁବତୀମାନଙ୍କ ପ୍ରତି ଯେ ଯାହା ଭାବିପାରିଲା ? ପରାଧୀନ ଦେଶରେ ଯୁବତୀ, ସେମାନେ ପୁଣି ପୁରୁଷ ଲୋକ ସାଥିରେ ନ ନେଇ ଗାଡ଼ିରେ ଯିବା ଆସିବା କରିବେ । ଏହି ଅତୀତ ପରମ୍ପରା ଓ ପ୍ରଚଳିତ ରୀତିକୁ ଆଖି ଆଗରେ ଥୋଇ ବିମଳା ଦେବୀ ଏଇ ଯୁବତୀ ଦୁଇଜଣଙ୍କ ଟ୍ରେନ ଯାତ୍ରାକୁ କଦର୍ଯ୍ୟ ଭାବରେ ଗ୍ରହଣ କରି ପକାଇଥିଲେ । ଅର୍ଥାତ୍ ବିମଳା ଦେବୀ ଭାବିଥିଲେ ଝିଅ ଦୁଇଟି ବଡ଼ ଟାଉନ୍‍ରେ ରହି ବେଶି ରୋଜଗାର ଆଶାରେ ବୋଧହୁଏ କଲିକତା ଯାଉଛନ୍ତି । ସେମାନଙ୍କୁ ଦିପଦ ଶୁଣାଇବେ ବୋଲି ତାଙ୍କର ଇଚ୍ଛା ବି ହେଉଥିଲା । ପୁଣି ଭାବିଲେ, ସାମାନ୍ୟ ଦୁଇ ପଦ କଥାରେତ ସେମାନଙ୍କୁ ଭଲ ବାଟକୁ ଆଣି ହେବନି, ବରଂ ସେମାନେ ଯଦି ମୋ କଥାରେ ଅସନ୍ତୁଷ୍ଟ ହୋଇ ନିଷ୍ଠୁର ଉତ୍ତର ଦିଅନ୍ତି, ତେବେ ଅଯଥା ମନ କଷ୍ଟ ହେବ । ଏବେ ଦେଶର ପରିସ୍ଥିତି ଭଲ ନୁହେଁ ।

 

ଝିଅ ଦୁଇଟି ବିମଳା ଦେବୀଙ୍କ ପାଦ ତଳେ ପଡ଼ୁ ପଡ଼ୁ ବିମଳା ଦେବୀ ଦୁଇଜଣ ଯାକଙ୍କ ହାତ ଧରି ଉଠାଇ ନେଇ ନିଜ ଛାତିରେ ଯାକି ଧଇଲେ । ଏ ଦୃଶ୍ୟ ଦେଖିବାକୁ ସେଠାରେ ଯେଉଁ କେତେଜଣ ମଫସଲିଆ ଯାତ୍ରୀ ଜୁଳୁ ଜୁଳୁ କରି ଚାହୁଁଥିଲେ କେବଳ ଅଭିନୟଟା ଦେଖିବା ବ୍ୟତୀତ ରହସ୍ୟ ଭେଦକରିବା ଶକ୍ତି ସେମାନଙ୍କର ନ ଥିଲା । ବିମଳା ଦେବୀ ଦୁହିଁଙ୍କ ମନରେ ସାନ୍ତ୍ୱନା ଦେବା ପରେ ଦୁହେଁ ସମସ୍ତ ଘଟଣା ପ୍ରାଞ୍ଜଳଭାବେ ବ୍ୟକ୍ତ କରିଦେଲେ । ସବୁକଥା ଶୁଣି ସାରିବାରେ ଦୀର୍ଘ ନିଶ୍ୱାସଟିଏ ମାରି ବିମଳା ଦେବୀ କହିଲେ, ଏହି ସାମାନ୍ୟ କଥା ସିନା, ଦେଶ ସ୍ୱାଧୀନ ହେବା ଯାଏଁ ମୁଁ ତୁମ ଦୁଇଜଣଙ୍କୁ ଏପରି ଭାବରେ ରଖି ପାରିବି ଯେ ଚନ୍ଦ୍ର ସୂର୍ଯ୍ୟଙ୍କର ଦୃଷ୍ଟି ସୁଦ୍ଧା ତୁମ ଉପରେ ପଡ଼ି ପାରିବ ନାହିଁ, ଅଥଚ ତୁମେ ତୁମର ପ୍ରଧାନ ଉଦ୍ଦେଶ୍ୟ ଦେଶର କାମ ଖୁବ୍ ଭଲ ଭାବେ କରିବା ପାଇଁ ସୁଯୋଗ ପାଇପାରିବ । ମୁଁ ଯାହା ସବୁ ଦେଖିବାକୁ ପାଇଲିଣି ଖୁବ୍ ନିକଟରେ ଦେଶ ସ୍ୱାଧୀନ ହେବ ବୋଲି ଜାଣିପାରୁଚି । ଭାରତର ଆଭ୍ୟନ୍ତରୀଣ ସମସ୍ୟା ପର୍ଯ୍ୟବେକ୍ଷଣ କରିବାଲାଗି ଗୋରା ପ୍ରତିନିଧିମାନେ ଆସି ଭାରତ ସୀମାରେ ପହଞ୍ଚିଗଲେଣି । ତୁମେ ଟିକିଏ ହେଲେ ବ୍ୟସ୍ତ ହୁଅନି । ସରୋଜିନୀ ରୁମାଲରେ ବାନ୍ଧିଥିବା ସୁନା ଗହଣାତକ ବିମଳା ଦେବୀଙ୍କ ହାତକୁ ବଢ଼ାଇଦେଲା । ବିମଳା ଦେବୀ ତା’ ସବୁ ଦେଖିବାମାତ୍ରେ ଛି-ଛି ଏସବୁ କ’ଣ କହି ପିନ୍ଧାଇ ଦେବାପାଇଁ ଯେତେ ଚେଷ୍ଟା କଲେ ସୁଦ୍ଧା ପାରିଲେ ନାହିଁ । ସରୋଜିନୀ ଆଉ ଶଶି ଦୁହେଁ ବିମଳା ଦେବୀଙ୍କ ଯତ୍ନରେ ବଦରିକା ଆଶ୍ରମରେ ନିରାପଦ ରହି ଆଶ୍ରମର କାର୍ଯ୍ୟ ପରିଚାଳନା କଲେ ।

 

ଏଣେ ଶଶିଘରର ବ୍ୟବସ୍ଥା ଯାହା ତାହା । ମାତ୍ର ସରୋଜିନୀ ଘରୁ ଦିନରାତି ଅଗ୍ନି ଜାତ ହେଉଥାଏ । କୋରଡ଼ା ମାଡ଼ରେ ଚାକର ଚାକରାଣୀଗୁଡ଼ିଙ୍କର ଅବସ୍ଥା ସାଙ୍ଘାତିକ ହୋଇସାରିଲାଣି-। ଝିଅର ଚିନ୍ତା ଆଉ ମଙ୍ଗରାଜଙ୍କର ଭର୍ତ୍ସନାରେ ସରୋଜିନୀର ବୋଉ କତରାଲଗା ହୋଇଗଲେଣି-। ମଙ୍ଗରାଜେ ଦେଶ ତମାମ ହୁଲିଆ କରିଛନ୍ତି, ଖବରକାଗଜମାନଙ୍କରେ ସରୋଜିନୀର ଫଟୋ ପ୍ରତିଦିନ ବାହାରୁଚି, ‘‘ଯେ ସରୋଜିନୀର ସନ୍ଧାନ କରିଦେବ ସେ ଦଶହଜାର ଟଙ୍କା ପୁରସ୍କାର ପାଇବ । ସରୋଜିନୀ ଆଉ ଶଶିର ଆତ୍ମଗୋପନ ଫଳରେ ଦେଶସାରା ଦୁଲଦୁଲ କମ୍ପୁଚି ।

 

ଲୁଣା ଅଞ୍ଚଳର ଲୋକେ ସରୋଜିନୀର ସୁଗୁଣମାନ ସୁମରଣା କରି ମର୍ମାହତ ହେଉଛନ୍ତି-। କିଏ କହୁଚି ଏ ରାକ୍ଷସ ମଙ୍ଗରାଜଠାରୁ ଋଷିକନ୍ୟାଟିଏ ଜନ୍ମ ହେଲା କିପରି ? ଆଉ କିଏ ଦୃଷ୍ଚାନ୍ତ ଦେଉଛି ଗୋବର ଗାଡ଼ିଆରୁ ବ୍ରହ୍ମଜାତି ହୀରା ଆସିଲା କୁଆଡ଼ୁ ? ସରୋଜିନୀର ଭଲପଣିଆ ନେଇ କିଏ କେତେ ପ୍ରଶ୍ନ ଉତ୍ତର ଆପେ ଆପେ କରୁ ଥାଆନ୍ତି ତା’ର ପର୍ଯ୍ୟନ୍ତ ନାହିଁ । ମାଇପି ମହଲରୁ ଶୁଣାଯାଏ, ମା ଭଗବତୀ ! ଯେଉଁଠି ଥାଉ ପଛକେ ସରୋଜିନୀର ମଙ୍ଗଳ କର । ତା’ପରି ପର ଉପକାରୀ ଝିଅଟିଏ ସାରା ପୃଥିବୀରେ ମିଳିପାରିବ ନାହିଁ । ସରୋଜିନୀର ଖୋଜଖବର ନେବାପାଇଁ ହଜାର ହଜାର ପୋଲିସ, ଚୋରାପୋଲିସ୍ ଲୁଣା ଅଞ୍ଚଳ ତମାମ ଘେରିଗଲେ । ଏହି ତଦନ୍ତ ବାହାନାରେ କେତେ ନିରୀହ ପ୍ରାଣୀ ଯେ ଜୀଅନ୍ତା କଲବଲ ହୋଇଛନ୍ତି, ତା’ର ହିସାବ ରଖୁଚି କିଏ ? କେବଳ ସମସ୍ତେ ଠାକୁରଙ୍କୁ ଡ଼ାକୁଥାଆନ୍ତି । ମଙ୍ଗରାଜକୁ ଅପଘାତ ହେଉ ।

 

ଜେଲଖାନା ଭିତରେ ବଳରାମବାବୁ ଓ ବୈକୁଣ୍ଠବାବୁ ସରୋଜିନୀ ଆଉ ଶଶିର ଖବର, ସମ୍ୱାଦପତ୍ରମାନଙ୍କରୁ ପଢ଼ି ବିଶେଷ ବ୍ୟଥିତ ହେଉଥାଆନ୍ତି । ମାତ୍ର ସେମାନଙ୍କର ସ୍ପଷ୍ଟ ଧାରଣାଥାଏ ଯେ ଦୁହେଁ ନିଜ ଇଚ୍ଛାରେ କେଉଁଠି ହେଲେ ଅଣ୍ଡରଗ୍ରାଉଣ୍ଡ କରିଛନ୍ତି ।

 

ବିରଜାବାବୁଙ୍କ ବିବାହ ତ ବନ୍ଦ ହେଲା । ବନ୍ଦ ହେବାର କାରଣ ସ୍ୱରୂପ ସେ ଯେତେବେଳେ ଶୁଣିବାକୁ ପାଇଲେ, ସରୋଜିନୀ ସଫା ମଙ୍ଗରାଜଙ୍କ ମୁହେଁ ମୁହେଁ କହି ଦେଇଛି, ‘‘ଦେଶ ଦ୍ରୋହୀ ଓ ନରହତ୍ୟାକାରୀ ବିରଜା ବାବୁଙ୍କୁ ସେ କେବେହେଲେ ବିବାହ ହୋଇପାରିବ ନାହିଁ,’’ ଏହା ହିଁ ତାଙ୍କ ମନରେ ଦାରୁଣ ଆଘାତ ଦେଉଥାଏ । ମନକୁ ମନ ସେ ପ୍ରଶ୍ନ କରୁ ଥାଆନ୍ତି, ସତରେ ମୁଁ କ’ଣ ଦେଶଦ୍ରୋହୀ ? ହୃଦୟ ଭିତରୁ ଉତ୍ତର ଆସେ ହଁ ! ଦେଶଦ୍ରୋହୀ ନୁହେଁ କିପରି ? ଭାରତମାତାର ମୁକ୍ତି ଲାଗି ଲକ୍ଷ ଲକ୍ଷ ଭାରତ ଜନତା ଜୀବନ ପଣ କରୁଥିଲା ବେଳେ ସେହି ବିଦେଶୀ ସରକାରର ଦରମାଖିଆ ହୋଇ ନିଜ ଭାଇ ଭଉଣୀଙ୍କୁ ହତ୍ୟା କରୁଥିବା ଭାରତସନ୍ତାନଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେବାରେ ଭୁଲ କେଉଁଠି ରହିଲା ? ଆଉ ନରହତ୍ୟାକାରୀ ? ନରକୁ ଯେ ହତ୍ୟାକରେ ସେ ନରହତ୍ୟାକାରୀ ! ତୁମେ ତ ଜଣେ ନୁହେଁ ଦୁଇ ଜଣ ନୁହେଁ ନଅ ଜଣ ସତ୍ୟାଗ୍ରହୀଙ୍କୁ ହତ୍ୟା କରିଛ ! ଏ ସବୁ ଭାବିଲାବେଳେ ବିରଜାବାବୁଙ୍କ ମୁଣ୍ଡଟା ଚହଲିଯାଏ । ଖବର କାଗଜଟାରେ ସରୋଜିନୀର ଛବିଟିକୁ ଅପଲକ ନୟନରେ ବହୁ ସମୟ ଚାହିଁ ରହି ପାଗଳ ପରି ମନକୁ ମନ ଗପି ଯାଆନ୍ତି । ବାସ୍ତବିକ ମୁଁ ଦେଶଦ୍ରୋହୀ, ଆଉ ନରହତ୍ୟାକାରୀ ନ ହୋଇଥିଲେ ଏହି ସରୋଜିନୀ ପରି, ଅନିନ୍ଦ୍ୟ ରୂପବତୀ ଓ ସରଳମତି କିଶୋରୀ ମତେ କ’ଣ ଦେଶଦ୍ରୋହୀ ଆଉ ନରହତ୍ୟାକାରୀ ଆଖ୍ୟାଦେଇ ପ୍ରାଣ ବିନିମୟରେ ମୋ ସହିତ ପ୍ରେମମିଳନକୁ ପଦାଘାତ କରିଥାନ୍ତା-? ନା ! ପ୍ରକୃତରେ ମୁଁ ଦେଶଦ୍ରୋହୀ, ନରହନ୍ତା, ବିଦେଶୀର ଗୋଲାମ, କୁକୁର । ତେବେ ଏହାର ପ୍ରାୟଶ୍ଚିତ୍ତ କ’ଣ ? ସାମାନ୍ୟ ଚାକିରୀ ଛାଡ଼ିଦେବାଟା ଏତେଗୁଡ଼ାଏ ମହାପାପର କ’ଣ ପ୍ରାୟଶ୍ଚିତ୍ତ ହୋଇପାରେ ? ମନ ଭିତରୁ ଉତ୍ତର ଆସେ, ଚାକିରୀ ଛାଡ଼ିବା ସଙ୍ଗେ ସଙ୍ଗେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ସତ୍ୟାଗ୍ରହୀ ସାଜି ଦେଶମାତୃକାର କିଛି ସେବା କରି ପାରିଲେ କରାଯାଇ ଥିବା ପାପର ସାମାନ୍ୟ ପ୍ରାୟଶ୍ଚିତ୍ତ ହେଲା ବୋଲି ଧରି ନେବାକୁ ହୁଅନ୍ତା ।

 

ବିରଜାବାବୁ ଇଂରେଜରେ ଟାଇପ୍ କରିଥିବା ଇସ୍ତଫା ପତ୍ର ଖଣ୍ଡି ପଢ଼ିବା ମାତ୍ରେ, ବେରିନ ସାହେବ ଛାନିଆ ହୋଇ ପଡ଼ିଲେ । ବିରଜା ବାବୁଙ୍କ ମୁହଁକୁ ଏକ ଲୟରେ ମିନିଟିଏ କାଳ ଚାହିଁବା ପରେ ପ୍ରଶ୍ନ କଲେ ।

 

Birja Babu, How are you?

I am Quite Well sir.

Then what do you want?

I want quit India.

Unknown

You have already been changed your activities.

Every Indian must do like me.

 

କଲେକ୍ଟର ସାହେବଙ୍କର ଖାସ କାମେରାରେ ଥିବା ବିପଦ ଘଣ୍ଟିଟା ତତ୍‍କ୍ଷଣାତ ଗର୍ଜିଉଠିଲା । ଲାଠି ଓ ସଙ୍ଗୀନଧାରୀ ପୋଲିସମାନେ ଘର ଚାରିପଟେ ଘେରାଉ କରିନେଲେ । ତାପରେ ବିରଜା ବାବୁଙ୍କ ଅବସ୍ଥା ଯାହା ହୋଇଥିବ ସହଜରେ ଅନୁମେୟ ।

 

ଖବରକାଗଜବାଲାମାନେ ତ ଚାତକ ପରି ଚାହିଁ ବସିଛନ୍ତି ଖବରଟିଏ ଶୁଣାଯିବା ସଙ୍ଗେ ସଙ୍ଗେ ତାକୁ ଦେଶ ତମାମ ପରିବେଷଣ କରି ଦେବାପାଇଁ । ଏତେବଡ଼ ଗୁରୁତ୍ୱପୂର୍ଣ୍ଣ ସଂବାଦଟା ଖବର କାଗଜରୁ ବାଦ ପଡ଼ିବ କିପରି ? ଠିକ୍ ରାତି ନଅଟା ବେଳକୁ ଶାଳଗ୍ରାମ ଶୀଳା ପରି ବଡ଼ ବଡ଼ ଅକ୍ଷରରେ ବାହାରି ପଡ଼ିଲା, ‘‘ଫାଷ୍ଟକ୍ଲାସ ମାଜିଷ୍ଟେଟ୍ ଶ୍ରୀଯୁକ୍ତ ବିରଜାକାନ୍ତ ମହାନ୍ତି ରାଜଦ୍ରୋହ ଅପରାଧରେ ୧୦ ବର୍ଷ ସଶ୍ରମ କାରାବାସ ଆଦେଶ ପାଇଲେ ।’’ ତାଙ୍କର ଅତି ପ୍ରିୟ ବେରିନ୍ ସାହେବ ଏହି ଦଣ୍ଡାଦେଶ ଦେଇ ଅଛନ୍ତି । ବିଶେଷ ବିବରଣୀ ଜଣାଯାଇ ନାହିଁ ।

 

ଅନ୍ୟାନ୍ୟ ରାଜନୈତିକ ବନ୍ଦୀମାନଙ୍କ ପରି ବିରଜା ବାବୁଙ୍କୁ ମଧ୍ୟ କେନ୍ଦ୍ର ଜେଲକୁ ପଠାଇ ଦିଆଗଲା ।

 

ଜେଲରେ ଥିବା କଂଗ୍ରେସବାଲାମାନେ ବିରଜା ବାବୁଙ୍କ ଜେଲ ଖବର ସଂବାଦପତ୍ରମାନଙ୍କରୁ ବହୁବାର ପଢ଼ିଥିଲେ ସୁଦ୍ଧା, ବିଶଦଭାବରେ ପ୍ରତ୍ୟକ୍ଷବାଦୀଙ୍କଠାରୁ ଶୁଣିବା କୌତୁହଳ ପ୍ରାୟ ସମସ୍ତଙ୍କ ମନରେ ଥାଏ । ବିରଜାବାବୁ ଜେଲ ଫାଟକ ଡ଼େଇଁ ଭିତରକୁ ଗୋଡ଼ ଦେଇଛନ୍ତି କି ନାହିଁ, ତାଙ୍କର ପରିଚିତ ଅପରିଚିତ ସମସ୍ତେ ଏକାବେଳକେ ପଚାରିଲେ, ଆଜ୍ଞା ଆପଣଙ୍କ ଦଶା ଏପରି କ’ଣ ହେଲା ? ସମସ୍ତଙ୍କ ପ୍ରଶ୍ନର ବେଶି କିଛି ଉତ୍ତର ନ ଦେଇ ବିରଜାବାବୁ ଗୋଟିଏ ସଂକ୍ଷିପ୍ତ ଉତ୍ତରରେ କହିଲେ, ମୁଁ ଜଣେ ଭାରତ ସନ୍ତାନ ତ, ମୋ ମନରେ ଦେଶାତ୍ମବୋଧ ଉଦୟ ହୋଇ ନ ଥିଲା । ଯେତେବେଳେ ଦେଖିଲି ମାଆର ମୁକ୍ତି ପାଇଁ ପୁଅ ହିସାବରେ ମୋର ମଧ୍ୟ ଯଥେଷ୍ଟ କର୍ତ୍ତବ୍ୟ ରହିଛି....... ତା ପରେ ଏହି ଦଶା........

 

ବଳରାମ ବାବୁ ଓ ବଇବାବୁ ରହିଥିବା କୋଠରୀଟିରେ ଆଉ ଗୋଟିଏ ସିଟ୍ ଖାଲିଥାଏ-। ତାହା ବିରଜାବାବୁ ହିଁ ପୂରଣ କଲେ ।

 

ବଳରାମ ବାବୁଙ୍କୁ ଦେଖିବା ମାତ୍ରେ, ବିରଜାବାବୁ ଯେ ନ ଚିହ୍ନିଛନ୍ତି ଏପରି ନୁହେଁ । ବଳରାମ ବାବୁ ମଧ୍ୟ ବିରଜା ବାବୁଙ୍କୁ ଚିହ୍ନି ପାରୁଛନ୍ତି । ମାତ୍ର ଉଭୟେ ଗୋଟିଏ କୋଠରୀରେ ରହି ସୁଦ୍ଧା ତିନି ଚାରି ଦିନ ଯାଏଁ ପରସ୍ପର କଥାବାର୍ତ୍ତା ହେଉ ନାହାନ୍ତି । ଦିନେ ବିରଜା ବାବୁ ବଳରାମ ବାବୁଙ୍କୁ ଲକ୍ଷ୍ୟ କରି କହିଲେ, ପିଛିଲା ଖବର କାଗଜ କେତେଖଣ୍ଡ ମିଳି ପାରିବ କି ? ବଳରାମ ବାବୁ ନିଜ ବିଛଣା ତଳୁ ଖବର କାଗଜଗୁଡ଼ିକ ବାହାର କରି ବିରଜା ବାବୁଙ୍କ ହାତକୁ ବଢ଼ାଇ ଦେଲେ-। ଖବର କାଗଜ ଗୁଡ଼ିକ ଏ ପାଖ ସେ ପାଖ ଓଲଟ ପାଲଟ କରି ଯେଉଁ କେତେ ଖଣ୍ଡିରେ ସରୋଜିନୀର ଫଟୋ ବାହାରି ଥିଲା ତାହା ନିଜ ଖଟ ଉପରେ ରଖି ଅନ୍ୟ କାଗଜଗୁଡ଼ିକ ବିରଜା ବାବୁ ବଳରାମବାବୁଙ୍କୁ ଫେରାଇଦେଲେ । ଅନାବଶ୍ୟକ ଭାବରେ ବଳରାମ ବାବୁ କହିଲେ, ଏଗୁଡ଼ିକ ଦରକାର ନାହିଁ ? ନାହିଁ ଆଜ୍ଞା ! ‘‘ଏହି କେତେଖଣ୍ଡି ମୋର ଦରକାର ଥିଲା’’–କହି ବିରଜା ବାବୁ ସରୋଜିନୀର ଫଟୋଗୁଡ଼ିକୁ ବାରମ୍ୱାର ଚାହୁଁଥାଆନ୍ତି । ବଳରାମବାବୁ ବହୁ ସମୟ ଧରି ବିରଜା ବାବୁଙ୍କ କାର୍ଯ୍ୟକ୍ରମ ଲକ୍ଷ୍ୟକଲାପରେ ପଚାରିଲେ, ‘‘କିଛି ଭାବିବେ ନାହିଁ ଆଜ୍ଞା ! ଏ ସ୍ତ୍ରୀ ଲୋକଟି ଆପଣଙ୍କର ଜଣାଶୁଣା କି ?’’ ନା ଜଣାଶୁଣା ନୁହେଁ ଯେ..... ସେ ଅନେକ କଥା ।

 

କଥାଗୁଡ଼ିକ ଅନ୍ୟ କେହି ଜାଣିବାରେ କ୍ଷତି ହେବ ?

 

କ୍ଷତି କ’ଣ ! ତେବେ ସମସ୍ତେ ଜାଣନ୍ତୁ ଏ ଇଚ୍ଛା ମୋର ନୁହେଁ । କ୍ଷମା କରିବେ ଆଜ୍ଞା ! ଆପଣ ବଳରାମବାବୁ ନାଁ ? ମୁଁ ଆପଣଙ୍କ ନିକଟରେ ଅପରାଧୀ । ମୁଁ ଆପଣଙ୍କ ପାଖରେ ବର ଚିର ଅପରାଧୀ । ଆପଣ ଅପରାଧୀ ନୁହନ୍ତି ବିରଜାବାବୁ ! କହନ୍ତୁ କ’ଣ ସବୁ କଥା । ଏହି ଯୁବତୀଟିର ବାପା ଜଣେ ଖ୍ୟାତନାମା ସର୍ବରାକାର । ସମଗ୍ର ଲୁଣା ଅଞ୍ଚଳଟା ମଙ୍ଗରାଜ ନା ଶୁଣିଲେ ଡ଼ରନ୍ତି । ସରକାରୀ ଚାକିରୀଆ ହିସାବରେ ମୋ ସହିତ ତାଙ୍କର ସମ୍ପର୍କ ଥାଏ । ସେ ନିଜେ ପ୍ରସ୍ତାବ କଲେ ତାଙ୍କ ଝିଅଙ୍କୁ ମତେ ବିବାହ ଦେବା ପାଇଁ । ସବୁ ଦୃଷ୍ଟିରୁ ମୋର ଆପତ୍ତି କରିବାର କିଛି ନଥିଲା । ଫଳରେ କଥାଟା ସ୍ଥିର ହୋଇ ଦିନ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଗଲା । ଝିଅଟି କୁଆଡ଼େ ଶିକ୍ଷିତା । ବାଲେଶ୍ୱର ଆନ୍ଦୋଳନବେଳେ ଆତ୍ମରକ୍ଷା ଦୃଷ୍ଟିରୁ ମୁଁ ଗୁଳି ଚଳାଇବା ଦ୍ୱାରା ନଅଜଣ ସତ୍ୟାଗ୍ରହୀଙ୍କର ମୃତ୍ୟୁ ଘଟିଲା । ଆପଣ ତ ଭୁକ୍ତଭୋଗୀ ! ଗୁଳି ଚାଳନା କଥା ଅଧିକ କ’ଣ କହିବି-? ହଁ କୁହନ୍ତୁ ଏ ଘଟଣା ତା’ପରେ କ’ଣ ହେଲା ? ସରୋଜିନୀ ପରିଷ୍କାର ତାଙ୍କ ବାପାଙ୍କୁ ମନା କରିଦେଲେ ଯେ ତାଙ୍କର ଜୀବନ ଥିବା ଯାଏଁ ଦେଶଦ୍ରୋହୀ ଓ ନରହତ୍ୟାକାରୀ ବିରଜାବାବୁଙ୍କୁ ବିବାହ କରିବେ ନାହିଁ । କହୁ କହୁ ବିରଜାବାବୁଙ୍କ ଆଖିରୁ ଦୁଇଧାର ଲୁହ ଗଡ଼ି ଆସିଲା । ମାତ୍ର ସେ ତାକୁ ସମ୍ଭାଳି ନେଲେ । ମଙ୍ଗରାଜ ତ ବଡ଼ ଏକଜିଦିଆ ଲୋକ, ସେ କୁଆଡ଼େ, ସରୋଜିନୀକୁ କହିଲେ ଅଲବତ୍ ବିରଜାବାବୁଙ୍କୁ ବିଭାହେବୁ । ମୋ ପ୍ରସ୍ତାବ କେହି ହେଲେ ଖଣ୍ଡନ କରି ପାରିବେନି-। ତେଣୁ ସରୋଜିନୀ ବୋଧହୁଏ ବିଚାରକଲେ ନିଜର ମତ ବଜାଏ ରଖିବାକୁ ହେଲେ, ଆତ୍ମହତ୍ୟା କିମ୍ୱା ଆତ୍ମଗୋପନ ତାଙ୍କ ପକ୍ଷେ ଉପଯୋଗୀ । ବର୍ତ୍ତମାନ ତାହା ହିଁ ହୋଇଛି । ସରୋଜିନୀ ଯଦି ଆତ୍ମଗୋପନ କରିଥାଆନ୍ତି, ତେବେ ତ ରକ୍ଷା, ନାହିଁ ଆତ୍ମହତ୍ୟା କରିଥିଲେ...... ବିରଜାବାବୁ ଏଥର ଆଉ ଲୁହ ଧାରକୁ ରୋକି ପାରିଲେ ନାହିଁ । ବଳରାମବାବୁଙ୍କ ସହାୟତାରେ ପ୍ରକୃତିସ୍ଥ ହେଲେ । ସରୋଜିନୀ ମତେ ନ ଦେଖିଥିଲେ ସୁଦ୍ଧା ମୋର ଫଟୋଗୁଡ଼ିକ ନିଶ୍ଚୟ ଦେଖିଥିବେ । ମୋଟ ଉପରେ ବାଲେଶ୍ୱର ଆନ୍ଦୋଳନ ବନ୍ଦ କରିବା ପାଇଁ ମୁଁ ନ ଯାଇଥିଲେ, ସରୋଜିନୀ ମୋତେ କଦାପି ଘୃଣା ଚକ୍ଷୁରେ ଦେଖି ନଥାନ୍ତେ ଏବଂ ଜୀବନ ପଣ କରି ମୋ ବିବାହ ପ୍ରସ୍ତାବକୁ ଉପେକ୍ଷା କରି ନ ଥାନ୍ତେ । ବହୁତ ଭାବି ଚିନ୍ତି ସାରିବା ପରେ ମୁଁ ସ୍ଥିର ସିଦ୍ଧାନ୍ତ ଗ୍ରହଣ କରିନେଇଛି ଯେ ସରୋଜିନୀ ମତେ ଯେଉଁ ଆଖ୍ୟା ପ୍ରଦାନ କରିଛନ୍ତି ମୁଁ ବାସ୍ତବିକ୍ ସେଇଆ । ମତେ ବିବାହ ନ କରିବା ଦ୍ୱାରା ଭାରତୀୟ ନାରୀଜଗତର ତଥା ଭାରତମାତାର ସମ୍ମାନ ସେ ରଖି ପାରିଛନ୍ତି । ସରୋଜିନୀଙ୍କ ସହିତ ଇହ ଜଗତରେ ସାକ୍ଷାତ ସୁଯୋଗ ପାଇଲେ ତାଙ୍କୁ ମୋର ଗୁରୁ ଭାବରେ ସମ୍ୱର୍ଦ୍ଧନା ଜଣାଇବି ଏହା ହିଁ ମୋର ଆନ୍ତରିକ କାମନା । ମୁଁ ଯେଉଁ ନରହତ୍ୟା ଅପରାଧ କରିଛି ସେଥିରୁ ମୁକ୍ତି ପାଇବା ବାଟ ନ ଥିଲେ ସୁଦ୍ଧା, ଭାବୁଛି ଦେଶ ସେବକ ସତ୍ୟାଗ୍ରହୀମାନଙ୍କର ସେବାରେ ନିଯୁକ୍ତ ହେଲେ ଟିକିଏ ମୁକ୍ତି ମିଳିବ ପରା-?

 

ସରୋଜିନୀ ସମ୍ପର୍କୀୟ ସମସ୍ତ କଥା ଗୁଡ଼ିକ ବଳରାମବାବୁଙ୍କ ଶିରା ପ୍ରଶିରା ଭେଦକରି ଯାଉଥାଏ । ତାଙ୍କ ମନରୁ ସ୍ୱତଃ ଯେଉଁ ସରସତା ଜାତ ହେଉଥାଏ ତଦ୍ୱାରା ସେ ସରୋଜିନୀର ସ୍ଥିତି ଖୁବ୍ ନିରାପଦ ହୋଇଛି ବୋଲି ବିଚାରୁ ଥାଆନ୍ତି ।

 

ବଳରାମବାବୁ ବିରଜାବାବୁଙ୍କ ପ୍ରତି ଲକ୍ଷ୍ୟକରି କହିଲେ, ‘‘ସରୋଜିନୀଙ୍କର ଆତ୍ମହତ୍ୟା କିମ୍ୱା ଆତ୍ମଗୋପନ ଦୁଇଟି ବିଷୟ ଆପଣ ଭାବୁଛନ୍ତି, ମୁଁ କିନ୍ତୁ ତହିଁରୁ ଦ୍ୱିତୀୟଟି ଠିକ୍ ବୋଲି ସ୍ଥିର କରିଛି । ଅବଶ୍ୟ ସରୋଜିନୀ ମୋର ପରିଚିତା ନୁହଁନ୍ତି, କିମ୍ୱା ତାଙ୍କ ସମ୍ପର୍କରେ ମୁଁ କେବେହେଲେ ଆସିନାହିଁ । ଏଇ ଦୁଇ ନମ୍ୱର ସିଟ୍‍ରେ ବୈକୁଣ୍ଠବାବୁ ନାମରେ ସେଇ ଲୁଣା ଅଞ୍ଚଳର ଉଚ୍ଚ ଶିକ୍ଷିତ ବ୍ୟକ୍ତି ଜଣେ ରାଜବନ୍ଦୀ ଭାବରେ ଅଛନ୍ତି । ଶୁଣିଥିଲି ତାଙ୍କର ଗୋଟିଏ ଭଉଣୀ ଶଶି, ସରୋଜିନୀଙ୍କ ସହିତ କୁଆଡ଼େ ପଳାଇ ଯାଇଛନ୍ତି । ତେଣୁ ମୋର ଅନୁମାନ ସାଙ୍ଗ ସାଥିହୋଇ ତ ଆଉ ଆତ୍ମହତ୍ୟା କରି ହୁଏନି, ବରଂ ଆତ୍ମଗୋପନ କରାଯାଇ ପାରେ ?’’

 

ତେବେ ବଳରାମବାବୁ ! ଆପଣ ଯାହା କହୁଛନ୍ତି ଏହା କ’ଣ ବାସ୍ତବ ସତ କଥା ?

 

ରହନ୍ତୁ, ବୈକୁଣ୍ଠବାବୁ ଆସିଲେ ମୋ କଥାର ସତ୍ୟତା ଆହୁରି ପ୍ରମାଣିତ ହୋଇଯିବ ।

 

ସରୋଜିନୀର ସନ୍ଧାନରେ ଥାନା ପୁଲିସଠାରୁ ଆରମ୍ଭ କରି ଚୋରା ପୋଲିସ ପର୍ଯ୍ୟନ୍ତ କେତେଥର ଯେ ବଦରିକା ଆଶ୍ରମ ଉପରେ ଆଖି ପକେଇଛନ୍ତି ତା’ର ସୀମା ନାହିଁ, କିନ୍ତୁ ବିମଳା ଦେବୀଙ୍କ ଚତୁରତା ନିକଟରେ ସମସ୍ତେ ପରାସ୍ତ ସ୍ୱୀକାର କରି ଫେରିବା ସାର ହୋଇଛି ।

 

ହସ ହସ ହୋଇ ଶଶି କହିଲା ଦେଖ ସରୋଜିନୀ, ତୋରି ଲାଗି ବିଚରା ବିରଜା ବାବୁଟିର ଅବସ୍ଥା କ’ଣ ହୋଇଗଲା । ଶଶି ତୋର ସେଇ ଥଟ୍ଟାଳିଆ କଥା କେବେ ହେଲେ ଗଲାନି-। ଯେଉଁ ବିରଜାବାବୁଙ୍କର ହୃଦୟ ପଥରଠାରୁ ଆହୁରି କଠିନ, ସେ ବିବାହଟେ ହୋଇ ପାରିଲା ନି ବୋଲି ଏଡ଼େ ବେଗି ତରଳି ଯିବ । କେତେ ଯୁବତୀ ଝିଅ ବୋହୂଙ୍କୁ ଘରଭିତରୁ ଟାଣିନେଇ ଇଜ୍ଜତ ସାରୁଥିବ ତା’ର ଠିକଣା ନାହିଁ, ଶୁଣିନୁ ସେ ଦିନ ମା କ’ଣ କହୁଥିଲେ ? ମା, କ’ଣ ବିରଜାବାବୁଙ୍କ କଥା କହୁଥିଲେ ? ବିରଜା କଥା କହୁ ନ ଥିଲେ ଯେ– ବରଜା କଥା କହୁଥିଲେ-। ସେମାନେ ସବୁ ଏକା ଲାଉର ମଞ୍ଜି । ତୁ ଏବେ ଯେଉଁ ଘୋଷା ଧରିଚୁ ମଣିଷମରା ବିରଜାବାବୁ ସତ୍ୟାଗ୍ରହୀ ହୋଇ ଜେଲଗଲା ବୋଲି, ସେ କଥା ଖାଲି ମିଛ । କେତେ ବିରଜା ତ ଅଛନ୍ତି, ଆଉ ଗୋଟାଏ କିଏ ହୋଇଥିବ ।

 

ନାଇଁ ନାଇଁ ସରୋଜିନୀ ତୋରି ବିରହରେ ବିରଜା ବାବୁଟିକୁ ସଂସାର ପିତା ହୋଇଗଲା । କ’ଣ ସବୁ ଭୁଲଭାଲ କରି ଦେଇ ଜେଲ ଯାଇଚି ।

 

ମୋ ବିରହରେ ସେ କାହିଁକି ଜେଲ ଯିବ ? ସେ ମୋ ସୀମା ମାଡ଼ିଚି, ନା, ମୁଁ ତା ସ୍ୱରୂପ ଦେଖିଛି ।

 

ତୋ ଫଟୋ ଦେଖୁ ଦେଖୁ ତ ତା’ର ଅବସ୍ଥା ଏପରି ଆଉ ଖୋଦ ଦେଖିଥିଲେ, ସେ ମୋଟେ ଦେହ ଧରି ପାରି ନ ଥାନ୍ତା ।

 

ଝିଅ ଚାଲିଯିବା ଦିନରୁ ମଙ୍ଗରାଜଙ୍କ ଅବସ୍ଥା କହିଲେ ନ ସରେ । ଲୋକଙ୍କ ମୁହଁରେ ହାତ ଦେବ କିଏ ? ଯାହା ତୁଣ୍ଡକୁ ଯାହା ଆସୁଚି ସେ ତା’ ଗାଇ ଯାଉଛନ୍ତି । ତେବେ ଏତିକି ବାପର ନିନ୍ଦା ଅପେକ୍ଷା ଶହେ ଗୁଣରେ ସରୋଜିନୀର ପ୍ରଶଂସା ସବୁରି ତୁଣ୍ଡରୁ ଶୁଣା ଯାଉଚି । ସରୋଜିନୀ ସର୍ବ ଶୁଭରେ ଫେରି ଆସୁ ଏଇଚିନ୍ତା ରାଇଜଟା ଯାକର ପେଟରେ ଘାଣ୍ଟି ହେଉଚି । କେବଳ ଏଇଥି ଲାଗି ସରୋଜିନୀର ବୋଉ ଦେହଧରି ରହି ପାରିଛନ୍ତି ।

 

ଆସ୍ତେ ଆସ୍ତେ ସରକାରଙ୍କର ବିଶ୍ୱାସ ମଙ୍ଗରାଜଙ୍କ ଉପରୁ ତୁଟି ଆସିଲା । କ୍ଷମତା ତେଜଟା କମି ଆସିବା ପରେ, କ୍ଷମତାନ୍ଧମାନଙ୍କୁ ପଚାରେ ବା କିଏ ? ବିଶ୍ୱସ୍ଥ ଭାବରେ ମଙ୍ଗରାଜଙ୍କୁ ଏ ଘଟଣାରେ ଗ୍ରହଣ କରିବା ଦୂରେ ଥାଉ ବିରଜାବାବୁଙ୍କ ଇସ୍ତଫା ଦେବାର ମୂଳରେ ମଙ୍ଗରାଜଙ୍କର ହାତଅଛି ବୋଲି ସରକାରଙ୍କର ବିଶ୍ୱସ୍ଥ ଗୋଇନ୍ଦା ବିଭାଗ ମନ୍ତବ୍ୟ ପ୍ରକାଶ କଲେ । ମଙ୍ଗରାଜେ ଏକୂଳ ସେକୂଳ ଦୁଇ କୂଳ ଛାଡ଼ି ମଝି ନଈରେ ଉବୁଟୁବୁ ହୋଇ କେବଳ ଘର ଭିତରେ ହିଁ ଲୁଚି ରହିଲେ । ଲୁଣା ଅଞ୍ଚଳର ପରି, ଲୋକେ ମଙ୍ଗରାଜଙ୍କ ଦ୍ୱାରା ଯେଉଁ ପରି ଭାବରେ ଉତ୍ପୀଡ଼ିତ ହୋଇ ଆସିଛନ୍ତି ଏ ସୁଯୋଗରେ ସେମାନେ ଦାଉ ସାଧିଲାବେଳେ, ସେମାନଙ୍କୁ କିଏ କିପରି ବା କ୍ଷାନ୍ତ କରାଇବ ? ଏପରିକି ମଙ୍ଗରାଜଙ୍କର ଶହ ଶହ ରୟତ, ଖାତକ, ଚାକରବାକରମାନେ ସୁଦ୍ଧା ମଙ୍ଗରାଜଙ୍କୁ ଯେ କେବଳ ସ୍ୱୀକାର କଲେନି, ତା ନୁହେଁ ସେହିମାନେ ହିଁ ପ୍ରତ୍ୟକ୍ଷ ପ୍ରତିହିଂସା ସର୍ବାଦୌ ଆରମ୍ଭ କଲେ । ରୟତ, ଖାତକମାନେ ନିଜ ନିଜର ଦେୟ ପରିଶୋଧ କଲେ ନାହିଁ । ଚାକରବାକରମାନେ ଘର ଲୁଟତରାଜ କରିବାର ବ୍ୟବସ୍ଥାରେ ରହିଲେ । ପରିଶେଷରେ ନିଜର ବାସନ କୁସନ ବିକ୍ରିକରି ମଙ୍ଗରାଜଙ୍କୁ ଅନ୍ନ ସଂସ୍ଥାନ କରିବାକୁ ପଡ଼ିଲା । ତଥାପି ଲୋକସାଧାରଣଙ୍କର କୋପ ତାଙ୍କ ଉପରୁ କମି ନଥାଏ । କଥାରେ ଅଛି ‘‘ଚିତା ଚିନ୍ତା ଦ୍ୱୟୋର୍ମଧ୍ୟେ ଚିନ୍ତା ଏବ ଗରୀୟସୀ’’ ମଙ୍ଗରାଜଙ୍କ ଶରୀରରେ କେବଳ ଚିନ୍ତାହିଁ ରାଜୁତି କଲା । ତେଣୁ ସେ ନାନାବିଧ ବ୍ୟାଧିଗ୍ରସ୍ତ ହୋଇ ନିଜର ଚଳନଶକ୍ତି ପର୍ଯ୍ୟନ୍ତ ହରାଇ ବସିଲେ । ଏହି ଅବସରରେ ଆପଣାର ପୂର୍ବକୃତ ଦୁଷ୍କର୍ମଗୁଡ଼ିକ ମଧ୍ୟ ତାଙ୍କୁ ଉପହାସ କରୁଥାଏ ।

 

ଭାରତକୁ ଆସିଥିବା ଗୋରାପ୍ରତିନିଧିଦଳ ଭାରତୀୟମାନଙ୍କର ରାଜନୈତିକ ଚେତନା ହୃଦୟଙ୍ଗମ କରି ଯେଉଁ ମତ ଦେଲେ, ସେଥିରେ ଗୋରାସରକାରଙ୍କର ଭାରତ ଛାଡ଼ିବା ବ୍ୟତୀତ ଉପାୟାନ୍ତର ନ ଥିଲା । ଫଳରେ ବିଶିଷ୍ଟ ଜାତୀୟ ଅନୁଷ୍ଠାନ କଂଗ୍ରେସ ହାତରେ ଶାସନକ୍ଷମତା ଛାଡ଼ି ଗୋରା ସରକାର ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କଲା ।

 

ଦୀର୍ଘ ଦେଢ଼ ଶହ ବର୍ଷରୁ ଅଧିକ କାଳ ପରେ ଭାରତ ପରାଧୀନତା ଶୃଙ୍ଖଳରୁ ମୁକ୍ତ ହୋଇଛି । ସେହିହେତୁ ଭାରତୀୟମାନଙ୍କର ଆନନ୍ଦ ଉତ୍ସବର ଚିତ୍ର ଅବତାରଣା କ’ଣ ଅବା କରାଯାଇପାରେ ? ସ୍ୱାଧୀନତା ପ୍ରାପ୍ତିର ଚିର ସ୍ମରଣୀୟ ଶୁଭ ଦିବସରେ ହିଁ ବନ୍ଦୀମାନଙ୍କୁ ମୁକ୍ତ କରି ଦିଆଗଲା ।

 

ନଜରବନ୍ଦୀ ହୋଇ ବିଭିନ୍ନ ଜେଲରେ ଥିବା ନେତାମାନଙ୍କ ମଧ୍ୟରେ ରାଜନୀତି ତଥା ଭାରତର ଭବିଷ୍ୟତ କର୍ମଯୋଜନା ଚର୍ଚ୍ଚା ହୁଏ ବୋଲିବା ବାହୁଲ୍ୟ । ଏହିଭଳି ଚର୍ଚ୍ଚାରୁ କେତେକ ନେତା ତଥା କର୍ମୀମାନଙ୍କ ମଧ୍ୟରେ ମତାନ୍ତର ଉପୁଜି କେତେକ ନେତା ତଥା କର୍ମୀ ‘‘ପ୍ରଗତି’’ ଦଳ ନାମରେ ଆଉ ଗୋଟିଏ ଦଳ ଗଠନ କରି ଥାଆନ୍ତି । ପ୍ରଗତି ଦଳର ମତ ଥିଲା ଦେଶରୁ ବିଦେଶୀ ଶାସନ ଲୋପ ହେବା ପରେ ରାଜା, ଜମିଦାର ମହାଜନ ପୁଞ୍ଜିପତି, ଦଳେଇ, ଦଳବେହେରା, ସର୍ବରାକାର ଆଦି ଯେତେ ଯେତେ ସାମନ୍ତବାଦୀ ସଂସ୍ଥା ସ୍ୱାଧୀନତା ଆନ୍ଦୋଳନରେ ବିଦେଶୀ ସରକାରକୁ ସାହାଯ୍ୟ କରିଛନ୍ତି ‘ଇନ୍ଦ୍ରତକ୍ଷକାୟ’ ନୀତିରେ ସେମାନଙ୍କର ଧ୍ୱଂସ ସାଧନ କରିବାକୁ ହେବ । କିନ୍ତୁ ଚିନ୍ତାଶୀଳ ବହୁ ସଂଖ୍ୟକ କଂଗ୍ରେସବାଲା ଏଭଳି ନୀତିରେ ଏକ ମତ ହୋଇ ପାରିଲେ ନାହିଁ । ସେମାନେ ମତ ଦେଲେ ବିଦେଶୀ ସରକାର ସିନା ଏ ଦେଶରୁ ଚାଲିଯିବ, ଏମାନେ ଯିବେ କୁଆଡ଼େ ? ଅବଶ୍ୟ ସେମାନଙ୍କର ମନ୍ଦ ସ୍ୱଭାବ ଆସ୍ତେ ଆସ୍ତେ ଲୋପ କରିବାକୁ ପଡ଼ିବ । ବହୁ ସଂଖ୍ୟକ କଂଗ୍ରେସବାଲାଙ୍କର ଏଭଳି ସମଦର୍ଶୀ ମନ୍ତବ୍ୟରେ ‘ପ୍ରଗତି’ ଦଳ ଏକମତ ହୋଇପାରିଲେ ନାହିଁ । ଫଳରେ ସେମାନଙ୍କର ମତର ପକ୍ଷପାତୀମାନେ କଂଗ୍ରେସରୁ ଅଲଗା ହୋଇଗଲେ, ଆଉ ଅନ୍ୟାନ୍ୟ କାରଣ ନେଇ କୌଣସି କୌଣସି ଦଳ ଯେ ନ ବାହାରିଛନ୍ତି ଏପରି ନୁହେଁ । ତେବେ ଆମର ଆଲୋଚ୍ୟ ବିଷୟରେ ସେମାନଙ୍କ ସମ୍ପର୍କୀୟ ଚର୍ଚ୍ଚାର ଆବଶ୍ୟକତା ନ ହେଉଥିବାବେଳେ ଅକାରଣେ ସେମାନଙ୍କୁ ଏହା ଭିତରକୁ ଟାଣି ଆଣିବା କାହିଁକି ?

 

ଏଇ ଜେଲଖାନା ଭିତରେ ବଳରାମବାବୁ ଓ ବୈକୁଣ୍ଠବାବୁଙ୍କ ସହିତ ବିରଜାବାବୁଙ୍କର ସଂପର୍କ ଯଥେଷ୍ଟ ବଢ଼ିଯାଇଛି ।

 

ସ୍ୱାଧୀନତା ଉତ୍ସବ ଦିନ ବଳରାମବାବୁ ପ୍ରଭୃତି ଜେଲଖାନା ଭିତରୁ ପଦାକୁ ବାହାରୁଥିବାବେଳେ ବୈକୁଣ୍ଠବାବୁ ଖଣ୍ଡିଏ ଚିଠି ପାଇଲେ । ଚିଠି ଖଣ୍ଡି ଉପରେ ଆଖି ପଡ଼ିବାମାତ୍ରେ ସେ ଆନନ୍ଦରେ ବିଭୋର ହୋଇପଡ଼ିଥିଲେ । କାରଣ ଚିଠିଖଣ୍ଡି ଶଶି ଲେଖିଚି । ଜେଲ ଜୀବନର ବିଭିନ୍ନ ଭାବନା ମଧ୍ୟରେ ଶଶିର ଚିନ୍ତା ବୈକୁଣ୍ଠବାବୁଙ୍କୁ ଅଧୀର କରି ପକାଉଥିଲା ।

 

ଶଶି ଲେଖିଚି ଭାଇ ! ବିମଳା ଦେବୀଙ୍କ ତତ୍ତ୍ୱାବଧାନରେ ସରୋଜିନୀ ଆଉ ମୁଁ ଦୁହେଁ ବଦରିକା ଆଶ୍ରମରେ ଖୁବ୍ ଭଲରେ ଅଛୁ । ଏପରିକି ଦୁହେଁ ଚିରଦିନ ଏଠାରେ ରହି ନିରୀହ ଜନସାଧାରଣଙ୍କର ସେବା କରିବୁ ବୋଲି ଏକ ପ୍ରକାର ସ୍ଥିର କରି ନେଇଛୁ ।

 

ବୈକୁଣ୍ଠବାବୁଙ୍କ ମନ ଅଥୟ ହୋଇ ଉଠିଲା । ସ୍ନେହର ଛୋଟ ଭଉଣୀ ଶଶିର ଖବର ଏତେଦିନ ପରେ ପାଇଛନ୍ତି ସାଙ୍ଗେ ସାଙ୍ଗେ ରାଇରଙ୍ଗପୁର ଯିବାପାଇଁ ସେ ବାହାରିଲେ ।

 

ବଳରାମବାବୁ ବୈକୁଣ୍ଠବାବୁଙ୍କର ଚଞ୍ଚଳତା ପ୍ରତି ଲକ୍ଷକରି କହିଲେ ବୈକୁଣ୍ଠ ! ତୁ ଖୁବ୍ ବ୍ୟଗ୍ର ଥିବା ପରି ଜଣା ପଡ଼ୁଚୁ ତ ? ଶଶି ଚିଠି ଦେଇଛି ପରା । ବଳରାମ ବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଶଶି ଚିଠି ଦେଇଛି । ଆଉ ସରୋଜିନୀ ? ସେ ମଧ୍ୟ ତାରି ସାଙ୍ଗରେ ବୋଲି କହି ବୈକୁଣ୍ଠବାବୁ ଚିଠିଖଣ୍ଡି ବଳରାମବାବୁଙ୍କ ହାତକୁ ବଢ଼ାଇ ଦେଇ କହିଲେ ମୁଁ ମେଲରେ ରାଇରଙ୍ଗପୁର ଯାଉଚି, ତୁମେ ସବୁ ସ୍ୱାଧୀନତା ଉତ୍ସବରେ ଯୋଗଦିଅ । ମୋର ମନ ଚଞ୍ଚଳ ହେଉଛି । ମୁଁ ଆଉ ସ୍ୱାଧୀନତା ଉତ୍ସବରେ ଯୋଗଦେଇ ପାରିବି ନି ।

 

କିରେ ବୈକୁଣ୍ଠ ! ଜେଲ ଭିତରେ କଥା, କ’ଣ ପଦାକୁ ଆସୁ ଆସୁ ଭୁଲିଯାଉଛୁ କି ? ସ୍ୱାଧୀନତା ଉତ୍ସବରେ ଆମର କ’ଣ ଅଛି । କଂଗ୍ରେସବାଲା ତ ଶାସନ କ୍ଷମତା ନେଲେଣି, ସେହିମାନେ ହିଁ ଉତ୍ସବ ପାଳିବେ । ଆଉ ତାଙ୍କ ସାଙ୍ଗରେ ହାତ ମିଳାଇବାକୁ ସେହି ସାମନ୍ତବାଦୀ ଦଳ ବରାବର ରେଡ଼ି ହୋଇ ଯିବେଣି । ହଉ ରାଇରଙ୍ଗପୁର ତ ନିଶ୍ଚେ ଯିବାର କଥା, ଆଗେ ଚା’ଲେ ରାଜଧାନୀରେ ଟିକିଏ ସ୍ୱାଧୀନତା ଉତ୍ସବଟା ଦେଖିବା । ଦେଖିବୁ କେତେ ରଜା, ଜମିଦାର, ମହାଜନ, ପୁଞ୍ଜିପତି, ମିଲ ମାଲିକ ପ୍ରଭୃତି ରାତି ଦି’ଘଡ଼ି ଥାଉ ଥାଉ କଂଗ୍ରେସବାଲା ସାଜି ସ୍ୱାଧୀନତା ଉତ୍ସବରେ ଅଗ୍ରଣୀ ହୋଇଥିବେ । ଆମେ ସମସ୍ତେ ସାଥି ହୋଇ ସେଠାକୁ ଗଲେ ତୋର କିଛି ଆପତ୍ତି ଅଛିକି ? ବୈକୁଣ୍ଠବାବୁ କହିଲେ ମୋର ଆପତ୍ତି କ’ଣ ମ ? ସାଥି ହୋଇ ଗଲେ ଖୁବ୍ ଭଲ ହୁଅନ୍ତା, ମୁଁ ତାହାହିଁ ଭାବୁଥିଲି ।

 

ସେଦିନ ବଦରିକା ଆଶ୍ରମରେ ସ୍ୱାଧୀନତା ଉତ୍ସବ ପାଳିତ ହେଉଥାଏ, ଲୋକ ସମାଗମର କଳନା ନାହିଁ । ବିମଳା ଦେବୀ, ସରୋଜିନୀ ଆଉ ଶଶି ଉପରେ ତ ଆଶ୍ରମର ସମସ୍ତ ଦାୟିତ୍ୱ ଛାଡ଼ିଦେଇ ଥାଆନ୍ତି ଆଜିର ଉତ୍ସବରେ ବି ସେଇଆ କେବଳ ଆଗନ୍ତୁକ ଭଦ୍ରବ୍ୟକ୍ତିମାନଙ୍କର ଚର୍ଚ୍ଚା ବିମଳା ଦେବୀଙ୍କ ଉପରେ ଥାଏ । ବିମଳା ଦେବୀଙ୍କର ଅପରିଚିତ ଭାବରେ ମଧ୍ୟ ଯେତେବେଳେ, ବଳରାମବାବୁ, ବିରଜାବାବୁ ଓ ବୈକୁଣ୍ଠବାବୁ ବଦରିକା ଆଶ୍ରମରେ ପହଞ୍ଚିଲେ, ସେମାନେ ଟିକିଏ ହେଲେ ଅତିଥି ସମ୍ୱର୍ଦ୍ଧନାରେ ତ୍ରୁଟି ଲକ୍ଷ୍ୟ କରିପାରି ନାହାଁନ୍ତି । ଏମାନଙ୍କର ଚର୍ଚ୍ଚା ବୁଝିବା ପରେ ଅନ୍ୟ ଆଗନ୍ତୁକମାନଙ୍କର ବିଷୟ ବୁଝିବା ପାଇଁ ବିମଳା ଦେବୀ ଇତସ୍ତତଃ ହେଉ ଥାଆନ୍ତି । ସରୋଜିନୀ ଆଉ ଶଶି ଦୁହେଁ ଆଶ୍ରମ ଭିତରେ କାର୍ଯ୍ୟ ବ୍ୟସ୍ତ । କେତେ ସମୟ ବସିବା ପରେ ବୈକୁଣ୍ଠବାବୁ ଖଣ୍ଡିଏ କାଗଜରେ କ’ଣ ଲେଖି ଶଶିପାଖକୁ ପଠାଇ ଦେବାରେ, ଆଶ୍ରମର କେତେଗୁଡ଼ିଏ ନାରୀକର୍ମୀଙ୍କ ସହିତ ବିମଳା ଦେବୀ, ଶଶି, ସରୋଜିନୀ ସମସ୍ତେ ଆସି ଏମାନଙ୍କ ନିକଟରେ ହାଜର । ବିମଳା ଦେବୀ ବଳରାମବାବୁ ପ୍ରଭୃତିଙ୍କୁ ଲକ୍ଷ୍ୟ କରି କହିଲେ, ଆପଣମାନେ ଶଶିରେଖାର ଭାଇ ଏକଥା ମତେ ଲୁଚେଇ ରଖିଚନ୍ତି କାହିଁକି ?

 

ଏଇଥିପାଇଁ ଲୁଚେଇ ରହିଥିଲୁ, ଆପଣମାନଙ୍କର କାର୍ଯ୍ୟରେ ବାଧା ପଡ଼ିବ ବୋଲି । ଆପଣମାନେ ବହୁଲୋକଙ୍କର ଚର୍ଚ୍ଚାରେ ନିଯୁକ୍ତି ଅଛନ୍ତି, ଆମେ ଆଗରୁ ଜାଣିଥିଲେ ହୁଏ ତ ଆଜି ଏଠାକୁ ଆସି ନ ଥାନ୍ତୁ । ଆମଯୋଗୁଁ ହୁଏତ ଆପଣମାନଙ୍କର ସ୍ୱାଧୀନତା ଉତ୍ସବ ପାଳନରେ ବାଧା ପଡ଼ିଲା । ବଳରାମବାବୁଙ୍କଠାରୁ ଏଭଳି କଥା ଶୁଣି ବିମଳା ଦେବୀ କହିଲେ ସ୍ୱାଧୀନତା ଉତ୍ସବରେ ଆପଣମାନେ ଯୋଗଦାନ କରିବ ଦ୍ୱାରା ଏ ଉତ୍ସବର ମହତ୍ତ୍ୱ ଯେତେ ଦୂର ବୃଦ୍ଧି ପାଇଛି ତା କ’ଣ କହିବି ? ଆପଣମାନେ ହିଁ ସ୍ୱାଧୀନତା ପ୍ରାପ୍ତିର ହେତୁ । ଏ ଉତ୍ସବ ହିଁ ପ୍ରକୃତରେ ଆପଣମାନଙ୍କର । ନାହିଁ ଆଜ୍ଞା ଏ ଉତ୍ସବ ଆମର ନୁହେଁ, ଏ ଉତ୍ସବ କଂଗ୍ରେସବାଲା, ଆଉ ସ୍ୱାଧୀନତା ଆନ୍ଦୋଳନବେଳେ ଯେଉଁ ସାମନ୍ତବାଦୀ ରାଜା, ଜମିଦାର, ମହାଜନ ଆଦି ସତ୍ୟାଗ୍ରହୀମାନଙ୍କର ପଛରୁ ଛୁରୀ ମାରିଥିଲେ ସେହିମାନଙ୍କର । ବିମଳା ଦେବୀ ଟିକିଏ ବିସ୍ମିତ ହୋଇ ପଚାରିଲେ ଦୟାକରି ଆପଣଙ୍କର ପରିଚୟ ଭଲଭାବରେ ପାଇପାରିବି କି ? ବୈକୁଣ୍ଠବାବୁ ପରିଚୟ ଦେବାକୁ ଯାଇ ଯେତେବେଳେ ବଳରାମବାବୁଙ୍କ ପିଠିରେ ହାତମାରି କହିଲେ ଏ ହେଉଛନ୍ତି, ‘‘ପ୍ରଗତି’’ ଦଳର ନେତା ‘ବଳରାମ ଦାସ’ ବିମଳା ଦେବୀ ଅଜଣା ଭାବେ ଜିଭ କାମୁଡ଼ି ପକାଇଲେ । ତା‘ପରେ ବିରଜାବାବୁଙ୍କୁ ଦେଖାଇଦେଇ, ଏ ବାବୁ ବିରଜାକାନ୍ତ ମହାନ୍ତି ବୋଲି କହିବାରେ ଅନ୍ୟ କିଏ କ’ଣ ଭାବିଥିବେ କେଜାଣି ମାତ୍ର ସରୋଜିନୀ ଆଉ ଶଶି ଦୁହେଁ ଦୁହିଁଙ୍କର ମୁହଁକୁ ଚାହିଁ ମୁରୁକି ହସା ମାଇଲେ । ଶେଷରେ ବଳରାମବାବୁ ବୈକୁଣ୍ଠ ବାବୁଙ୍କ ପିଠିଟାକୁ ଥାପୁଡ଼ାଇଦେଇ କହିଲେ ଏ ବାବୁ ଶ୍ରୀଯୁକ୍ତ ବୈକୁଣ୍ଠନାଥ ମହାପାତ୍ର, ଆପଣଙ୍କ ଆଶ୍ରମରେ ଥିବା ଶ୍ରୀମତୀ ଶଶିରେଖା ଦେବୀଙ୍କର ଭାଇ ।

 

ବୈକୁଣ୍ଠ ବାବୁ ସରୋଜିନୀ ଆଉ ଶଶିକୁ ଲକ୍ଷ୍ୟ କରି କହିଲେ ତୁମେ ଦୁହେଁ ବଳରାମ ବାବୁଙ୍କୁ ଚିହ୍ନି ପାରୁଚ ? ଚିହ୍ନିବ ବା କିପରି ? ତାଙ୍କର ଅଣ୍ଡରଗ୍ରାଉଣ୍ଡବେଳେ ଦେଖିଥିଲେ ସିନା ? ସେତେବେଳେ ସେ ଯେ ଭିନ୍ନ ଅବତାର ହୋଇଥିଲେ । ଆଚ୍ଛା ସରୋଜିନୀ ତୁ ବିରଜା ବାବୁଙ୍କୁ ଆଗରୁ ଦେଖିଥିଲୁ ? ସରୋଜିନୀ ନୀରବରେ ତଳକୁ ମୁଣ୍ଡ ନୁଆଁଇ ଦେଲା ! ଆପଣ ବିରଜା ବାବୁ, ସରୋଜିନୀକୁ ଦେଖିଥିଲେ କି ନାହିଁ ? ବିରଜାବାବୁ ହସି ହସି କହିଲେ ଏକଲବ୍ୟ ଦ୍ରୋଣଙ୍କର ମୂର୍ତ୍ତି ସ୍ଥାପନ କରି ଗୁରୁ ଭାବରେ ପୂଜା କଲାଭଳି ମୁଁ ସରୋଜିନୀ ଦେବୀଙ୍କୁ ଗୁରୁ ଭାବରେ ଗ୍ରହଣ କରି ନେଇଛି ସତ ମାତ୍ର ତାଙ୍କର ସାକ୍ଷାତ ସୁଯୋଗ କେବେହେଲେ ପାଇପାରି ନ ଥିଲି । ଆଜି ମୋର ସୁଦିନ ଗୁରୁଙ୍କର ଦର୍ଶନ ପାଇଛି । ବିରଜା ବାବୁଙ୍କର ଏଭଳି ଉକ୍ତିରେ ଉପସ୍ଥିତ ତିନିଚାରି ଜଣଙ୍କ ବ୍ୟତୀତ ଅନ୍ୟ ସମସ୍ତେ ସ୍ତମ୍ଭୀଭୂତ ହୋଇଗଲେ । ଏତେ ଲୋକ ସମାଗମ ଓ ବହୁ ବିଷୟର ଆଲୋଚନା ଭିତରେ ସୁଦ୍ଧା ସରୋଜିନୀ ବଳରାମ ବାବୁଙ୍କୁ ସୁବିଧା କ୍ରମେ ବରାବର ନିରୀକ୍ଷଣ କରିବାରେ ବ୍ୟସ୍ତ ଥାଆନ୍ତି । ବଳରାମ ବାବୁ ବି ଠିକ୍ ସେଇଆ । ମଝିରେ ମଝିରେ ଆଖି ଚାରିଗୋଟି ଏକାଠି ହୋଇଗଲାବେଳେ ଲାଜରେ ମୁଣ୍ଡ ପୋତି ଦିଅନ୍ତି ।

 

ରାଇରଙ୍ଗପୁର ନାଲି ରାସ୍ତାରେ ପ୍ରଚଣ୍ଡ ଧୂଳି ଉଠାଇ ଖଣ୍ଡେ ପ୍ରାଇଭେଟ ମଟରକାର ଆସୁଥିବା ଦୂରରୁ ଦେଖାଗଲା । କାର ଖଣ୍ଡି ନିଜର ଗତିକୁ କ୍ରମଶଃ ଶିଥିଳ କରି ଆଶ୍ରମ ଗେଟ୍ ନିକଟରେ ଠିଆ ହେଉ ହେଉ ବିମଳା ଦେବୀ ତା ପାଖକୁ ଦଉଡ଼ି ଗଲେ ସତ ମାତ୍ର କିଛିହେଲେ ଭେଦ ପାଇ ପାରିଲେନି । କାର ଖଣ୍ଡି ନିଶ୍ଚଳ ଭାବେ ରହିବା ପରେ ଦୁଇଜଣ ଲୋକ ଜଣେ ରୁଗ୍ଣ ବ୍ୟକ୍ତିର କାଖ ଖୋଲରେ ହାତରଖି ତଳକୁ ଘେନି ଆସିଲେ । ରୁଗ୍ଣ ବ୍ୟକ୍ତି ଜଣକ ମୁହଁ ଟେକି ବିମଳା ଦେବୀଙ୍କୁ ଚାହିଁ ପଚାରିଲେ ମା’ ମୋ ସରୋଜିନୀ ଏଠାରେ ଅଛି ? ବିମଳା ଦେବୀ କୌଣସି ଉତ୍ତର ଦେବା ପୂର୍ବରୁ, ସରୋଜିନୀ ଦୌଡ଼ି ଆସି ତା’ର ବାପାଙ୍କ ଗୋଡ଼ତଳେ ପଡ଼ିଗଲା । ଶଶି ଆଉ ବୈକୁଣ୍ଠ ବାବୁ ମଙ୍ଗରାଜଙ୍କୁ ସାଷ୍ଟାଙ୍ଗ ଦଣ୍ଡବତ ହେଲେ । ଏ ଘଟଣାରେ ବଳରାମ ବାବୁ ବେଶି କିଛି ବିସ୍ମିତ କିମ୍ୱା ଦୁଃଖିତ ନ ହୋଇଥିଲେ ସୁଦ୍ଧା ବିରଜା ବାବୁ ତାଟକା ହୋଇ ପଡ଼ିଲେ । ଅନ୍ୟ ଦେଖଣାହାରୀମାନେ କେବଳ ମୂକସାକ୍ଷୀ ପରି ଛିଡ଼ା ହୋଇ ଥାଆନ୍ତି । ମଙ୍ଗରାଜଙ୍କର ଛାତିଫଟା କାନ୍ଦରେ ଉପସ୍ଥିତ ସ୍ତ୍ରୀ ପୁରୁଷମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ । ସ୍ୱାଧୀନତା ପ୍ରାପ୍ତିର ଆନନ୍ଦ ଉତ୍ସବ ପାଳିତ ହେଉଥିବା ସମୟରେ କିଛିକ୍ଷଣ ଧରି ଗୋଟାଏ ଶୋକର ଢେଉ ଖେଳିଗଲା । ମଙ୍ଗରାଜେ ସରୋଜିନୀ ଆଉ ଶଶିକୁ ଦୁଇ ହାତରେ ଯାକି ଧରି କହିଲେ ମା’ ମୋର ଚାଲ ଆମ ରାଇଜକୁ ଫେରିଯିବା । ତେଣେ ହଜାର ହଜାର ଲୋକ ତୁମମାନଙ୍କୁ ଚାତକ ପରି ଚାହିଁ ବସିଚନ୍ତି । ବୁଢ଼ୀଟାର ଜୀବନ କେଉଁ ଦିନଠୁ ଚାଲି ଯାଆନ୍ତାଣି, ମାତ୍ର ତୋରି ଅପେକ୍ଷାରେ ରହିଛି । ମୋରତ ନିଷ୍ଠୁର ପ୍ରାଣ ସେ କ’ଣ ସହଜେ ଛାଡ଼ୁଚି । ହଁ ମା ଆଗେ କହିବୁଟି, ମୋର ସେହି ସଜୀବ ଠାକୁରାଣୀ ବିମଳା ଦେବୀ କେଉଁଠି ଅଛନ୍ତି ? ମୁଁ ଆଗେ ତାଙ୍କୁ ଶହେଥର ମୁଣ୍ଡିଆ ମାରିଦିଏ । ସରୋଜିନୀ ବିମଳା ଦେବୀଙ୍କୁ ଧରି କହିଲା, ‘‘ଏଇପରା ଆମ ମା’ ବିମଳା ଦେବୀ’’, ମଙ୍ଗରାଜେ ଭୂଇଁ ଭରା ଦେଇ ବିମଳା ଦେବୀଙ୍କ ଆଡ଼କୁ ଚାଲି ଆସିଲେ ଏବଂ ତାଙ୍କ ପାଖକୁ ଯାଇ ମୁଣ୍ଡଟାକୁ ତଳେ ଲଗାଇଲାବେଳକୁ ବିମଳା ଦେବୀ ମଙ୍ଗରାଜଙ୍କୁ ଧରି ପକାଇ କହିଲେ, ଆପଣ ଏ କ’ଣ କରୁଚନ୍ତି । ଏପରି କଲେ ଦେଶର ଅମଙ୍ଗଳ ହେବ ? ସରୋଜିନୀ ଆପଣଙ୍କର ଝିଅ, ମୁଁ କ’ଣ ଝିଅ ନୁହେଁ ? ତୁ ମୋ ଝିଅ, ତୋ ବାପା ଯାହା କହିବ ତୁ ତା କରିବୁ ? ହଁ ନ କରିବି କାହିଁକି ? ତେବେ ଚାଲେ, ତୋର ସାନ ଭଉଣୀ ସରୋଜିନୀ ଆଉ ଶଶିକୁ ସାଙ୍ଗରେ ଧରି ଘରକୁ ଚାଲେ ।

 

ବୈକୁଣ୍ଠ ବାବୁ କହିଲେ, ମଉସା ବଳରାମ ବାବୁ ଏଇଠି ଅଛନ୍ତି ତାଙ୍କୁ ଚିହ୍ନି ପାରୁଚ ତ ? ଏଁ..... ବଳରାମ ବାବୁ ଏଇଠାରେ ଅଛନ୍ତି । ସାକ୍ଷାତ ଦେବତା ସେ । ମୋର ପାପ ଆଖି ତାଙ୍କୁ ଦେଖି ପାରିବ ନି; କାହାନ୍ତି ସେ କେଉଁଠି ଅଛନ୍ତି ? ବଳରାମ ବାବୁ ଉଠିଆସି ମଙ୍ଗରାଜଙ୍କ ପାଖକୁ ଲାଗି ବସିଲେ । ମଙ୍ଗରାଜ ବଳରାମ ବାବୁଙ୍କ ପିଠିରେ ହାତ ବୁଲାଉ ବୁଲାଉ କହିଲେ, କାଳ ଅଶୁଦ୍ଧ ନ ହୋଇ ଥାଆନ୍ତା କି, ଆଜି ଏଇଠାରେ ମୋର ଏ ଜନ୍ମର କାମତକ ତୁଟେଇ ଦେଇ ଥାଆନ୍ତି । ମଙ୍ଗରାଜଙ୍କର ଏଇକଥା ଶୁଣି ବଳରାମ ବାବୁ ତଳକୁ ମୁଣ୍ଡ ପୋତିଦେଲେ । ସରୋଜିନୀ ଆଶ୍ରମର ଭିତର ଘର ଆଡ଼କୁ ଚାଲିଗଲା । ବୈକୁଣ୍ଠ ବାବୁ ପୁଣି କହିଲେ, ‘‘ମଉଷା ବିରଜା ବାବୁଙ୍କୁ ଦେଖିଚ-? ନାଁ ମୁଁ ଆଉ ବିରଜା ବାବୁଙ୍କୁ ଦେଖିବି କାହିଁକି ? ଶୁଣିଥିଲି ସେ କୁଆଡ଼େ ଚାକିରୀ ଛାଡ଼ି ଜେଲରେ ଅଛନ୍ତି । ଛାଡ଼ ତାଙ୍କ କଥା ଆଉ ପକେଇଲେ କ’ଣ ହେବ । ନିଧିପଧାନେ ମଙ୍ଗରାଜଙ୍କ ତୁଣ୍ଡରୁ କଥାଟା ଛଡ଼େଇ ନେଇ ବୈକୁଣ୍ଠ ବାବୁଙ୍କୁ କହିଲେ, ବୁଝିଲ ପୁଅ, ଆଉ ସେ ବିରଜା ବାବୁଙ୍କ ନାଁ ଧରନି, ସେଇଥିଯୋଗୁଁ ଆମ ଲୁଣା ଅଞ୍ଚଳର ଅବସ୍ଥା ଗାଆଣି ଗାଇ ପାରୁନି । ସରୋଜିନୀ ଏତେକାଳ ଏଆଡ଼େ ନ ରହିଥିଲେ, ଯେପରି କାମ ସବୁ ଆଗେଇ ଯାଇଥିଲା, ଲୁଣା ରାଇଜରେ ସୁନା ଫଳି ଥାଆନ୍ତା । କ’ଣ କହୁଚ ପରିଡ଼ା, ମୁଁ ଯାହା କହିଲି ମିଛ ? ମିଛ ସତରୁ ଆଉ କ’ଣ ମିଳିବ ଯେ– ବଳି ମଙ୍ଗରାଜଙ୍କ ଭାଗ୍ୟକୁ ଏ ସବୁ ଘଟଣା ହେଲା ବୋଲି ମୁଁ ତ ବିଚାରୁ ନାହିଁ, ମୁଁ ଖାଲି ବିଚାରୁଛି ଆମରି ଲୁଣାବାଲାଙ୍କର ମନ୍ଦଗ୍ରହ ଯୋଗୁଁ ଏପରି ଘଟିଲା । ନିଧିଭାଇ ଆଉ ଡେରି ଡେରି କଲେ କ’ଣ ହେବ ? ଆସିଲାବେଳେ ତିନିଶହ ମୌଜାର ଲୋକ ଏକାଠି ହୋଇ କ’ଣ କହିଛନ୍ତି ମନେ ଅଛିଟି ? ଆମେ ନ ପହଞ୍ଚିବା ଯାଏଁ ସେମାନେ ଠାକୁରଙ୍କ ପାଖରେ ଭୋଗ ମଧ୍ୟ କରିବେ ନାହିଁ ।

 

ନାଇଁ, ଆଉ ଡେରି କଲେ ଚଳିବନି, ହଁ, ମୋର ବଡ଼ଝିଅ କୁଆଡ଼େ ଗଲା ? ସମସ୍ତେ ତ ମଟରରେ ବସି ଚାଲିଯିବା । ମୁଁ କ’ଣ ବିମଳାକୁ ଛାଡ଼ି ଯାଇପାରିବି ? ବିମଳା ଦେବୀ ତରତର ହୋଇ ଆସି କହିଲେ ବାପା, ଏ କ’ଣ କହୁଚ ? ଏମିତି ବେଳରେ ଲୋକ ଯାଆନ୍ତି । ତୁମେ ଏଠାରେ କିଛିଦିନ ନ ରହିଲେ ମୁଁ ଛାଡ଼ିବି ନାହିଁ ।

 

ମୁଁ ତ ତତେ ବର୍ତ୍ତମାନ ସାଥିରେ ନ ନେଇ ଯାଇ ପାରିବିନି । ସେ ଆଡ଼େ ପରା ତିନି ଶହ ମୌଜାର ଲୋକ ବୁଢ଼ା ପୀରଙ୍କଠାରେ ମଉଛା କରୁଛନ୍ତି, କଥା ଦେଇଛନ୍ତି, ସରୋଜିନୀକୁ ସାଥିରେ ଧରି ତୁମେମାନେ ଏଠାରେ ନ ପହଞ୍ଚିବା ଯାଏଁ ଠାକୁରଙ୍କୁ ଭୋଗ ଲାଗି ପାରିବ ନାହିଁ । ଏପରି ଅବସ୍ଥାରେ ରହି ପାରିବା କିପରି ? ମା, ତୁ ଚଞ୍ଚଳ ବାହାରିଲୁ । ବିମଳା ଦେବୀ ନିଜର ଯେତେ ଅସୁବିଧା ଜଣାଇଲେ ସୁଦ୍ଧା ମଙ୍ଗରାଜେ ଶୁଣିଲେ ନାହିଁ । ସମସ୍ତଙ୍କୁ ସାଙ୍ଗରେ ଧରି ଆସିଲେ ।

 

ସରୋଜିନୀଙ୍କର ସମ୍ବାଦ ପାଇବା ପରେ ବୁଢ଼ାପୀରଙ୍କ ଠାରେ ଭୋଗ ଲଗାଇବା ପାଇଁ ଲୁଣାଅଂଚଳବାସୀମାନେ ବହୁ ଆଗରୁ ମନାସୀଥିଲେ । ସରୋଜିନୀର ଶୁଭ ଖବର ଚିଠି ପତ୍ର ଯୋଗେ ପାଇବାରେ ମଉଛା ଆୟୋଜନରେ ସମସ୍ତେ ଲାଗି ପଡ଼ିଛନ୍ତି । ଠାକୁରଙ୍କୁ ଭୋଗ କରିବା ଉଦ୍ଦେଶ୍ୟରେ କେତେ ଯେ ଖାଦ୍ୟଦ୍ରବ୍ୟ ସଂଗୃହିତ ହୋଇଛି ତା’ର କଳନା ନାହିଁ । ହଜାର ହଜାର ଲୋକ ଭୋଗ ସାମଗ୍ରୀ ପ୍ରସ୍ତୁତ କରିବା ଭିତରେ ମଟର ଆବାଜକୁ କାନ ଡେରି ରହିଥାଆନ୍ତି । ଠିକ୍ ରାତି ନଅଟା ହେବ ମଟର ଆଲୁଅ ଦେଖାଗଲା । ଚାହୁଁ ଚାହୁଁ ମଟରଟି ଆସି ପୀର ଗୋସେଇଁଙ୍କ ମେଳନ ପଡ଼ିଆରେ ପହଞ୍ଚିଗଲା । ହଜାର ହଜାର ସଂଖ୍ୟାରେ ଆବାଳବୃଦ୍ଧବନୀତା ସରୋଜିନୀକୁ ଦେଖିବା ପାଇଁ ମଟର ପାଖକୁ ଦୌଡ଼ି ଗଲେ । ସରୋଜିନୀ ମଟରରୁ ଓହ୍ଲାଇବା କ୍ଷଣି, ଉପସ୍ଥିତ ଅସଂଖ୍ୟ ଜନତା ତା ପ୍ରତି ଯେଉଁଭଳି ମଧୁର ବ୍ୟବହାର ଦେଖାଇଲେ, ସେଥିରେ ବିମଳା ଦେବୀ ବଳରାମ ବାବୁ ଓ ବିରଜାବାବୁ ପ୍ରଭୃତି ଜଡ଼ପ୍ରାୟ ଅବାକ୍ ହୋଇ ରହି ଥାଆନ୍ତି । ସରୋଜିନୀ ନିଜର ମାନ୍ୟବ୍ୟକ୍ତିମାନଙ୍କ ଗୋଡ଼ତଳେ ମୁଣ୍ଡ ଲଗାଇଲାବେଳେ ସେମାନଙ୍କର ଆନନ୍ଦାଶ୍ରୁ ନିର୍ଗତ ହେଉଥାଏ । ଛୋଟପିଲାମାନଙ୍କୁ ଦେଖିଲେ ସରୋଜିନୀ କୋଳରେ ଯାକିଧରି ଗେଲ କରୁଥାଏ ଏବଂ କୋମଳ ଭାବରେ କାହାକୁ କେଉଁ ପ୍ରଶ୍ନ ପଚାରି ଖବର ବୁଝେ । ଲୁଣାଅଂଚଳ ବାସୀମାନଙ୍କଠାରୁ ସରୋଜିନୀ, ଶଶି, ବୈକୁଣ୍ଠବାବୁ ଏହି ତିନିଜଣ ଆପଣାର ଲୋକ ହିସାବରେ ସ୍ନେହ ଆଦର ପାଇବା ବ୍ୟତୀତ ବିମଳା ଦେବୀ ବଳରାମବାବୁ ଓ ବିରଜାବାବୁ କମ୍ ଅଭ୍ୟର୍ଥନା ପାଇନାହାଁନ୍ତି ।

 

ନୂତନ ସଂବିଧାନ ଅନୁଯାୟୀ ଭାରତରେ ସାବାଳକ ଭୋଟ ପ୍ରଥା ପ୍ରଚଳନ କରାଯାଇ ଅଛି । କୌଣସି ବ୍ୟକ୍ତିଙ୍କୁ ବା ବ୍ୟକ୍ତିମାନଙ୍କୁ ଶାସନଭାର ଅର୍ପଣ କରିବା କ୍ଷମତା ଜନତା ଉପରେ ହିଁ ନ୍ୟସ୍ତ । ଜନତାର ପ୍ରତିନିଧିତ୍ୱ ଗ୍ରହଣ କରିବା ଉଦ୍ଦେଶ୍ୟରେ ବିଭିନ୍ନ ବ୍ୟକ୍ତି ତଥା ବିଭିନ୍ନ ରାଜନୈତିକ ଅନୁଷ୍ଠାନମାନଙ୍କ ତରଫରୁ ବହୁବ୍ୟକ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ସଜବାଜ ହେଉଛନ୍ତି-। କ୍ଷମତା ଲୋଭରେ କିଏ କେତେ ପ୍ରକାର କୂଟ କପଟ ନୀତିରେ ଭୋଟ ସଂଗ୍ରହ କରିବାରେ ସୂତ୍ରପାତ କରୁଛନ୍ତି ।

 

ବୁଢ଼ାପୀରଙ୍କ ବେଢ଼ାରେ ହୋଇଥିବା ନିଷ୍ପତ୍ତି ଅନୁସାରେ ନିର୍ବାଚନ ପ୍ରାର୍ଥୀ ହେବା ପାଇଁ ଲୁଣାଅଂଚଳର ମୁଖ୍ୟ ବ୍ୟକ୍ତିମାନେ ସରୋଜିନୀକୁ ଅନୁରୋଧ କଲେ । ମାତ୍ର ସରୋଜିନୀ କହିଲା, ବଳରାମବାବୁ ହିଁ ଆମମାନଙ୍କର ଆଖି ଖୋଲି ଦେଇଛନ୍ତି । ଆମ ଅଂଚଳ ଘୋର ଅଂଧାରରେ ଥିଲାବେଳେ ପ୍ରଥମ ଆଲୁଅ ତାଙ୍କରିଦ୍ୱାରା ଜଳା ହୋଇଛି । ତେଣୁ ମୋର ଇଚ୍ଛା, ସତ୍ୟାଗ୍ରହୀଙ୍କୁ ସମ୍ମାନ ଦେଖାଇବା ଲାଗି ଏବଂ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବାର ଚିହ୍ନ ସ୍ୱରୂପ ପ୍ରଥମ ଗଣ ନିର୍ବାଚନରେ ପ୍ରତିନିଧି ଭାବେ ତାଙ୍କୁ ହିଁ ଗ୍ରହଣ କରିବା । ସରୋଜିନୀର ଏଭଳି ପ୍ରସ୍ତାବରେ କେହିହେଲେ ବିରୋଧ କରି ପାରିଲେ ନାହିଁ । କେହି କେହି କହିଲେ ଆମେମାନେ ତୁମ ଉପରେ ଭାର ଦେଲୁ ତେଣିକି ତୁମ ଇଚ୍ଛା ଯାହା କରିବ ।

 

ବଳରାମବାବୁ ପ୍ରଗତିଦଳର ସଭାପତି ହିସାବରେ ନିଜଦଳର ନୀତିବାଦ ପ୍ରଚାର କରିବାରେ ଲାଗି ପଡ଼ିଛନ୍ତି ଯୁଗ୍ମ ସଂପାଦକ ଦାୟିତ୍ୱରେ ଥାଇ ବିରଜାବାବୁ ଓ ବୈକୁଣ୍ଠବାବୁ ନିଜ ଦଳର କଳେବର ବୃଦ୍ଧି ନିମିତ୍ତ ମନ ପ୍ରାଣ ଢାଳି ଦେଇଛନ୍ତି । ଖୁବ୍ ଅଳ୍ପ ଦିନ ମଧ୍ୟରେ ଶହ ଶହ ଲୋକ ପ୍ରଗତିଦଳର ସଭ୍ୟହୋଇ କାର୍ଯ୍ୟରେ ଲାଗି ପଡ଼ିଲେଣି ।

 

ଲୁଣାଅଂଚଳର ରୟତ, ଖାତକ ଆଦିଙ୍କ ପାଖରେ ମଙ୍ଗରାଜଙ୍କର ଯାହା ଯାହା ସବୁ ପ୍ରାପ୍ୟ ଥିଲା ସରୋଜିନୀ ନିଜ ଘରେ ଗୋଡ଼ ଦେଉ ଦେଉ ସେମାନେ ପରିଶୋଧ କରିବା ପାଇଁ ଯୋଗାଡ଼ କରିଦେଲେ, ମାତ୍ର ସରୋଜିନୀ ନିରୀହ ଗରିବମାନଙ୍କ ନିକଟରୁ ନିଜର ପ୍ରାପ୍ୟ ଗ୍ରହଣ କରିବାରେ ଆଦୌ ରାଜି ହେଲାନାହିଁ । ତେବେ ଯେଉଁ ମାନଙ୍କର ଅବସ୍ଥା ଭଲ ସେମାନଙ୍କଠାରୁ ନିଜର ଚଳାଚଳ ପାଇଁ କିଛି କିଛି ଗ୍ରହଣ କଲା । ମଙ୍ଗରାଜେ ବି ଆଉ ସେ କାଳର ମଙ୍ଗରାଜ ହୋଇ ନାହାଁନ୍ତି । ଏଥିରେ ସେ ମଧ୍ୟ ଖୁବ୍ ସନ୍ତୋଷ । କାରଣ ସେ ଯଥେଷ୍ଟ ଭାବେ ବୁଝି ସାରିଲେଣି ସର୍ବଶକ୍ତି ଅପେକ୍ଷା ଲୋକଶକ୍ତି ହିଁ ବାସ୍ତବରେ ବଡ଼ ।

 

ଦିନେ ନିଧିପଧାନେ ପଚାରିଲେ, ‘‘ମଙ୍ଗରାଜେ ଆଜ୍ଞା ଆଉ ଅପେକ୍ଷା କରିବାରେ କ’ଣ ଅଛି ? ବରପାତ୍ର ତ ଆଗରୁ ଆପେ ଆପେ ଠିକ୍ ହୋଇ ରହିଛି, ଏହାରି ମଝିରେ କାମଟା ତୁଟେଇ ଦେଲେ ଖୁବ୍ ଭଲ ହୁଅନ୍ତା । ହଁ ପଧାନେ ଏକଥା ପଚାରୁଚ, କାଳ ଅଶୁଦ୍ଧ ହୋଇଥିଲା ପରା ? ଏଇ ବଇଶାଖ ଆରମ୍ଭରେ ସେ କାମ ବଢ଼େଇଦେବା । ଏସବୁ ଭୋଟ ଫୋଟ କାମ ସେତେବେଳକୁ ତୁଟି ଯାଇଥିବ, ପିଲାମାନେ ନିରୋଳା ହୋଇ ଯାଇଥିବେ, କାମଟା କରି ନେବା । ମୋର ସେଥିରେ ଅଛି କ’ଣ ? ତୁମେ ସବୁ ତ ନିଜେ କରିବ । ମୁଁ ଖାଲି ଜନ୍ମ ଦେଇଚି ବୋଲି ବସିଥାଇ ଦେଖିବି । ହଁ ତା ନୁହେଁ କ’ଣ ? ସରୋଜିନୀ ଆଉ କେବଳ ମଙ୍ଗରାଜଙ୍କର ଝିଅ ନୁହେଁ, ସେ ସମସ୍ତଙ୍କର । ସାରା ରାଇଜଟା ଯାକ ସରୋଜିନୀ କଥା ଭାବୁଚନ୍ତି । ହଁ ପରିଡ଼େ ! ତୁମେ ରାଜଧାନୀକୁ ଯିବ ପରା ? ସରୋଜିନୀ ଆଜି ତା ବୋଉକୁ କହୁଥିଲା, ତୁମେ ବଳରାମବାବୁ ପାଖକୁ ଯିବ ବୋଲି । ହଁ ସରୋଜିନୀ ମୋ ସାଙ୍ଗରେ ଲଗେଇଚି କହୁଚି ମଉସା ତୁମେ ନଗଲେ ହେବନାହିଁ । ତା କଥା କ’ଣ ଭାଙ୍ଗି ହେବ, ଯେତେ କାମ ଥାଉ ପଛେ ଯିବି ।

 

ରାତି ନଅଟାରେ ନିଧି ପରିଡ଼ା ରାଜଧାନୀ ଛକରେ ମଟରରୁ ଓହ୍ଲାଇ ପଡ଼ିଲେ ସିନା, ମାତ୍ର ପ୍ରଗତିଦଳ ଅଫିସ୍ ତ ସେ ଦେଖି ନାହାନ୍ତି । ୟାକୁ ତାକୁ ପଚାରି ରାତି ଏଗାରଟା ବେଳେ ପ୍ରଗତି ଅଫିସରେ ପହଞ୍ଚିଲାବେଳକୁ ପ୍ରଗତିଦଳ ସଭ୍ୟମାନଙ୍କର ଗୁପ୍ତ ବୈଠକ ଚାଲିଛି । ନିଧି ପରିଡ଼ା ଅଫିସ ପିଅନ ହାତରେ ଖବର ଦେବାରେ ବଳରାମବାବୁ ଓ ବୈକୁଣ୍ଠବାବୁ ତର ତର ହୋଇ ଉଠିଆସିଲେ । ପରିଡ଼ାଙ୍କୁ ଅତି ଆଦର କରି ଗୋଟିଏ କୋଠାରୀରେ ରହିବା ଓ ଖାଇବା ପିଇବାର ସୁବନ୍ଦୋବସ୍ତ କରାଇ ଦେଇ ପୁଣି ଦଳର ଗୁପ୍ତ ବୈଠକରେ ଯୋଗଦେଲେ । ତହିଁ ଆରଦିନ ସକାଳେ ନିଧି ପରିଡ଼ା ବଳରାମବାବୁଙ୍କୁ କହିଲେ ବାବୁ । ଲୁଣା ଅଞ୍ଚଳ କମିଟି ମତେ ତୁମ ପାଖକୁ ପଠେଇଛନ୍ତି । ତୁମେ ଆସନ୍ତା ଭୋଟରେ ଆମ ଅଞ୍ଚଳର ପ୍ରତିନିଧି ହେବାପାଇଁ ସମସ୍ତେ ଚାହିଁ ବସିଛନ୍ତି ।

 

ପରିଡ଼ାଙ୍କର ‘‘ସମସ୍ତେ’’ ଏହି ଶବ୍ଦର ଅର୍ଥ ବଳରାମବାବୁ ଯଥେଷ୍ଟ ବୁଝିପାରିଲେ । ତାଙ୍କର ଜାଣିବାକୁ ବାକି ରହିଲା ନାହିଁ ଯେ– ସମସ୍ତେ ଅର୍ଥାତ୍ ସରୋଜିନୀ । ସରୋଜିନୀ ଶିଖାଇ ଦେଇଥିବା ଅନୁସାରେ ନିଧି ପରିଡ଼ା କଥାବାର୍ତ୍ତା କରୁଥାଆନ୍ତି । ବଳରାମବାବୁ କହିଲେ ମଉସା, ତୁମ ଅଞ୍ଚଳରେ ମୋ ଅପେକ୍ଷା ଅଧିକ ଶକ୍ତିଶାଳୀ ଲୋକ ଥାଉ ଥାଉ ଆପଣମାନେ ମତେ ଏ ଗୁରୁ ଦାୟିତ୍ୱ ଦେବାପାଇଁ କାହିଁକି ଇଚ୍ଛା କଲେ ? ସରୋଜିନୀ ନାରୀ ହେଲେ କ’ଣ ହେଲା ପୁରୁଷଙ୍କ ଅପେକ୍ଷା ତାଙ୍କର କାର୍ଯ୍ୟକାରିତା ଶକ୍ତି, ଜନସେବା, ବଦାନ୍ୟତା ଆଦି ଗୁଣଗୁଡ଼ିକ ଯଥେଷ୍ଟ ଅଧିକ । ତେଣୁ ସେ ଆପଣମାନଙ୍କର ପ୍ରତିନିଧି ହେବା ସବୁ ଦିଗରୁ ଠିକ୍ ନିଧି ପରିଡ଼ା କଥା ପ୍ରସଙ୍ଗରେ ସରୋଜିନୀ ବତେଇ ଦେଇଥିବା ବିଷୟଟି ଭୁଲି ଯାଇ କହିଲେ ଏସବୁ ଯାହା ବ୍ୟବସ୍ଥା ହେଉଛି, ତା ସବୁ ସେହି ସରୋଜିନୀର କାମ । ଆଉ କାହାର ନୁହେଁତ ? ପରିଡ଼ାଙ୍କ କଥାରେ ବଳରାମବାବୁ ଟିକିଏ ହସି ଦେଇ କହିଲେ, ନାଇଁ ମଉସା ! ‘‘ମୋ ପରି ଜଣେ ବାରବୁଲା ଫକୀର ଉପରେ ଏଡ଼େ ବଡ଼ ଦାୟିତ୍ୱ ଦିଅନ୍ତୁ ନାହିଁ । ମୋ ଜୀବନର ଗତି ଭିନ୍ନ ପ୍ରକାର । ମୁଁ କୌଣସି ବନ୍ଧନରେ ପଡ଼ିବିନି ବୋଲି ସ୍ଥିର କରି ନେଇଛି । ଏଁ.....ବାବୁ କ’ଣ କହିଲ, ବନ୍ଧନରେ ପଡ଼ିବନି ? ମଙ୍ଗରାଜ ପରା ବଇଶାଖ ମାସଟାକୁ ଚାତକ ପରି ଚାହିଁ ବସିଛି । ଖାଲି ମଙ୍ଗରାଜ କ’ଣ ମ, ସମଗ୍ର ଲୁଣା ଅଞ୍ଚଳଟା ଚାହିଁ ବସିଚି । ସରୋଜିନୀକୁ ତୁମ ହାତରେ ଛନ୍ଦି ଦେଇ, ମଣି କାଞ୍ଚନ ସଂଯୋଗ କରିବେ ବୋଲି । ଏ ଭାବନାତ ଆଜିର ନୁହେଁ ବାବୁ ! ଏ କଥା ଲୁଣାହାଟ ସଭାରେ ଯେଉଁ ଦିନ ତୁମେ ଧରା ହେଲ, ସେଇ ଦିନଠୁ ସବୁରି ମନରେ ଏଇ ବିଚାର ସ୍ଥାନ ପାଇ ଯାଇଚି ।

 

ବଳରାମବାବୁ ପରିଡ଼ାଙ୍କ କଥାରେ ମନେ ମନେ କେତେ ଯେ– ଆନନ୍ଦ ଅନୁଭବ କଲେ ତାହା ତାଙ୍କୁ ହିଁ ଜଣା; ମାତ୍ର କହିଲେ, ବୁଝିଲ ମଉସା, ଏ ଦିଗରେ ତୁମ ସରୋଜିନୀ ଆମମାନଙ୍କର ଗୁରୁଭଳି । ବିମଳା ଦେବୀ ସେଦିନ ଯାହା ସବୁ କହିଲେ, ସେ କାର୍ଯ୍ୟ ତ ମୋ ହାତରେ ଆଦୌ ହୋଇ ପାରନ୍ତା ନାହିଁ । ତେଣୁ ଆପଣମାନେ ଉପଯୁକ୍ତ ପ୍ରତିନିଧି ହିସାବରେ ସରୋଜିନୀ ଦେବୀଙ୍କୁ ମନୋନୀତ କରନ୍ତୁ ।

 

ପରିଡ଼ା ବିଚରା ଆଉ କ’ଣ କହିବେ, କିଛିକ୍ଷଣ ନୀରବ ହେବା ପରେ କହିଲେ, ‘‘ହଉ ବାବୁ, ସରୋଜିନୀ କଥା ତୁମକୁ କହିଲି, ତୁମ କଥା ତାକୁ କହିବି । ମୋର ଉପାୟ କ’ଣ ! ମୁଁ ଯାଉଚି ମଟର ବେଳ ହୋଇ ଗଲାଣି ।

 

ସେଦିନ ଅକ୍ଲାନ୍ତ ପରିଶ୍ରମ ସହକାରେ ତିନିଟା ବଡ଼ ବଡ଼ ସଭାରେ ଭାଷଣ ଦେଇ ବଳରାମବାବୁ ଅଫିସକୁ ଫେରି ଥାଆନ୍ତି । ଅଫିସରେ ଅନ୍ୟ କେହି ନ ଥିବା ହେତୁ ନିରୋଳାରେ ଟିକିଏ କ୍ଲାନ୍ତି ଦୂରକରିବା ଲାଗି, ଆରାମ ଚେୟାରଟା ଉପରେ ପଡ଼ିଯାଇ ଥିଲେ । ପିଅନ ଖଣ୍ଡିଏ କାଗଜ ନେଇ ହାତକୁ ବଢ଼ାଇ ଦେବା ମାତ୍ରେ ବଳରାମବାବୁ କାଗଜ ଖଣ୍ଡି ଉପରେ ଆଖି ପକାଉ ପକାଉ ଧଡ଼ କରି ବାହାରକୁ ଚାଲି ଆସି କହିଲେ ଆପଣତ ଖୁବ୍ ସାହେବି କାଇଦାରେ ଚଳିଲେଣି-? ସର୍ବସାଧାରଣଙ୍କ ଅନୁଷ୍ଠାନକୁ ଆସିବାରେ ଅନୁମତିର ଆବଶ୍ୟକତା କ’ଣ ? ସରୋଜିନୀ କହିଲେ, ସର୍ବସାଧାରଣ ଅନୁଷ୍ଠାନ ହେଲେ ମଧ୍ୟ ଅନୁଷ୍ଠାନର କର୍ମକର୍ତ୍ତା ପୁଣି ତ ଅଛନ୍ତି-? କାଳେହେଁ ସେମାନେ ଅନ୍ୟର ସାକ୍ଷାତ ଅବସ୍ଥାରେ ନ ଥିବେ ? ସରୋଜିନୀ ଦେବୀ ! ଆପଣ ନିଶ୍ଚୟ ଜାଣନ୍ତି, ଏ ଅନୁଷ୍ଠାନର କର୍ମକର୍ତ୍ତାମାନେ ସମସ୍ତେ ଫକୀର । ହଁ ଫକୀର ହେଲେ ବି, ସେମାନଙ୍କର ତ ପୁଣି ଦାନ, ଧ୍ୟାନ ରହିଛି । ବଳରାମବାବୁ ହସି ହସି, ସରୋଜିନୀ ସଙ୍ଗେ ଉପର ମହଲକୁ ଉଠିଲେ । ଉଭୟଙ୍କ ମଧ୍ୟରେ ବହୁକଥା ଚାଲିବା ପରେ, ସରୋଜିନୀ କହିଲା, ‘‘ଅନୁନ୍ନତ ଲୁଣା ଅଞ୍ଚଳବାସୀଙ୍କ ତରଫରୁ ମୁଁ ଆପଣଙ୍କ ନିକଟକୁ ନିମନ୍ତ୍ରଣ ନେଇ ଆସିଛି । ଆପଣ ଆମ ଅଞ୍ଚଳରୁ ନୂଆ ଗଣଭୋଟରେ ପ୍ରାର୍ଥୀ ହୁଅନ୍ତୁ, ଏହା ହିଁ ସେମାନଙ୍କର ଇଚ୍ଛା ।’’ ବଳରାମବାବୁ ହସି ହସି କହିଲେ, ‘‘ନିଧି ମଉସାଙ୍କୁ ମୁଁ ମୋର ମତାମତ ଜଣାଇ ଦେଇ ଥିଲି ତ ଏବଂ ଲୁଣା ଅଞ୍ଚଳର ପ୍ରକୃତ ଲୋକ ପ୍ରତିନିଧି କିଏ ତାହା ମଧ୍ୟ କହି ଦେଇଛି । ହଁ, ତା ସତ୍ତ୍ୱେ ସେମାନେ ପୁନର୍ବାର ମତେ ପଠାଇ ଅଛନ୍ତି । ସେମାନଙ୍କର ଦାବୀ, ଆପଣ ପ୍ରଥମେ ଲୁଣା ଅଞ୍ଚଳରେ ପ୍ରବେଶ କରି ମାନବିକତାର ବିକାଶମାର୍ଗ ଯେତେବେଳେ ଦେଖାଇ ଦେଇଛନ୍ତି । ‘‘ଆଜି ପ୍ରତିନିଧିତ୍ୱ ଗ୍ରହଣ କରିବାରେ ପଶ୍ଚାତପଦ ହେବେ କାହିଁକି ? ମୋ ଅପେକ୍ଷା ଖୁବ୍ ଯୋଗ୍ୟ ପ୍ରତିନିଧି ସେଠାରେ ଥାଉ ଥାଉ ମୋର ପ୍ରଶ୍ନ ଉଠୁଚି କିପରି ? ଯାହାଙ୍କର ଇଙ୍ଗିତରେ ନିଧି ମଉସା ମୋ ପାଖକୁ ଆସିଥିଲେ ସେହି ସରୋଜିନୀ ଦେବୀଙ୍କ ଦ୍ୱାରା ଲୁଣା ଅଞ୍ଚଳ ପ୍ରତିନିଧି ସ୍ଥାନ ପୂରଣ ହୋଇଯିବ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ସଙ୍ଗଠନ କାର୍ଯ୍ୟରେ ସରୋଜିନୀ ଦେବୀଙ୍କୁ ମୁଁ ମଧ୍ୟ ମୋର ଗୁରୁ ସ୍ଥାନରେ ରଖି ଦେଇଛି । ଯାହାହେଉ ବଳରାମବାବୁ ଆପଣ ଜଣେ ଉପଯୁକ୍ତ ଗୁରୁ ପାଇଛନ୍ତି । ଆଚ୍ଛା ସେଇ ଗୁରୁ ଯଦି ଆଦେଶ ଦିଅନ୍ତି, ଆପଣ ଲୁଣା ଅଞ୍ଚଳ ପ୍ରତିନିଧି ହୁଅନ୍ତୁ ବୋଲି । ତେବେ କ’ଣ କରିବେ ? ବଳରାମବାବୁ ହସି ହସି କହିଲେ ବାଧ୍ୟ ହୋଇ ପାଳନ କରିବି । ସରୋଜିନୀ ସେହିପରି ମୁରୁକି ହସି ଦେଇ କହିଲା ଖାଲି ଏତିକି ନୁହେଁ ଗୁରୁଙ୍କର ପ୍ରତ୍ୟେକ ଆଦେଶ ପାଳନ କରିବାକୁ ହେବ ।

 

ନିର୍ବାଚନ କାମ ଖୁବ୍ ନିର୍ବିଘ୍ନରେ ଶେଷ ହୋଇଛି । ଲୁଣା ଅଞ୍ଚଳରେ ବଳରାମବାବୁଙ୍କ ସହିତ ପ୍ରତିଦ୍ୱନ୍ଦିତା କରୁଥିବା ସରକାରୀ ଦଳର ପ୍ରାର୍ଥୀ ଅନାମବାବୁ ଡିପୋଜିଟ ପର୍ଯ୍ୟନ୍ତ ହରାଇଛନ୍ତି-। ଅବଶ୍ୟ ସରକାରୀ ଦଳ ଏହି ଲୁଣା ଅଞ୍ଚଳରୁ ଭୋଟପାଇବା ଆଶା ଯେ ରଖିଥିଲେ ଏପରି ନୁହେଁ । ମାତ୍ର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଛିଡ଼ା କରାଇବା ନୀତି ରକ୍ଷା ଦୃଷ୍ଟିରୁ ଅନାମ ବାବୁଙ୍କୁ ପ୍ରାର୍ଥୀରୂପେ ଛିଡ଼ା କରାଯାଇଥିଲା ।

 

ମଙ୍ଗରାଜଙ୍କର ତ ଏ ନିର୍ବାଚନ ଆଦିରେ ମନ ନ ଥାଏ । ସେ କେବଳ ଟିପ ଗଣୁ ଥାଆନ୍ତି ସିଂହ ବୃହସ୍ପତି କେବେ ଶେଷ ହେବ । ଆଉ କେଉଁ ତିଥିରେ ବଳରାମବାବୁଙ୍କ ସହିତ ସରୋଜିନୀର ବିବାହମେଳନ ମାହେନ୍ଦ୍ର ଯୋଗରେ ଯୁ଼ଟିବ । ସୁଯୋଗକୁ ଯେଉଁଦିନ ନିର୍ବାଚନ ଫଳ ଘୋଷଣା ହେଲା ସେହି ଦିନହିଁ ସରୋଜିନୀର ବିଭାଘର । ବିବାହ ଉତ୍ସବରେ ବିମଳା ଦେବୀ, ବୈକୁଣ୍ଠବାବୁ, ଶଶି ପ୍ରଭୃତି ମୁଖ୍ୟ ଅଂଶଗ୍ରହଣ କରି ଥାଆନ୍ତି । ଲୁଣା ଅଞ୍ଚଳର ପ୍ରତ୍ୟେକ ଲୋକ ମନପ୍ରାଣ ଢ଼ାଳି ଦେଇ ଭୋଜି ଭାତର ଆୟୋଜନରେ ଲାଗି ପଡ଼ିଥାଆନ୍ତି । ବୈଦିକ ବିଧି ଅନୁସାରେ ବିଭାଘର କାର୍ଯ୍ୟ ଶେଷ ହେଲା । କାର୍ଯ୍ୟର ଗୁରୁତ୍ୱ ଦୃଷ୍ଟିରୁ ବଳରାମବାବୁ ରାଜଧାନୀରେ ରହିବା ନିତାନ୍ତ ଦରକାର । ତେଣୁ ଚଉଠି ବିଧାନଟା ରାଜଧାନୀଠାରେ ହେବ ବୋଲି ସ୍ଥିର ହୋଇଥାଏ । ମାତ୍ର ବାରଟି ଘଣ୍ଟା ପାଇଁ ସେ ରାଜଧାନୀ ଛାଡ଼ିଥିଲେ । ଚାହୁଁ ଚାହୁଁ ସଂଧ୍ୟାବେଳ ହୋଇ ଆସିଲା । ପ୍ରାଇଭେଟ ସର୍ଭିସ ବସର ଦେଖା ମିଳିଲାନି । ଅନୁସନ୍ଧାନରୁ ଜଣାଗଲା ହରିହରପୁର ଖରାଦିନିଆ କାଠପୋଲ ଭାଙ୍ଗିଯିବାରୁ ବସ ଆକ୍ସିଡ଼େଣ୍ଟ ହୋଇ ଯାଇଛି । ଏ ଖବର ଶୁଣିବା ପରେ ବଳରାମବାବୁ ବଡ଼ ବିବ୍ରତ ହୋଇପଡ଼ିଲେ ଏବଂ ସ୍ଥିର କଲେ ରାତି ରାତି ଯାଇ ଜଗତପୁର ଠାରେ ଭୋର ବସ ଧରିବାକୁ ହେବ । ଝିଅ ଜ୍ୱାଇଁ ଏତେଗୁଡ଼ାଏ ବାଟ ଚାଲି ଚାଲି ଯିବେ, ଏଥିରେ ମଙ୍ଗରାଜେ ବ୍ୟସ୍ତହୋଇ ପାଲିଙ୍କିର ବ୍ୟବସ୍ଥା କରୁଥିଲେ । ମାତ୍ର ସରୋଜିନୀ ମଣିଷ କାନ୍ଧରେ ଚଢ଼ି ଯିବନାହିଁ ବୋଲି ମନା କରିବାରୁ ସେ ପ୍ରସ୍ତାବ ବନ୍ଦହେଲା । ଫଳରେ ନିମନ୍ତ୍ରିତ ହୋଇ ଆସିଥିବା କେତେକ ଭଦ୍ରଲୋକମାନଙ୍କ ସମେତ ବଳରାମବାବୁ, ସରୋଜିନୀ, ବୈକୁଣ୍ଠବାବୁ ପ୍ରଭୃତି ରାତି ରାତି ବାଟ ଚାଲିବା ଆରମ୍ଭ କଲେ ।

 

ବାଟ ଚାଲିବା ଅବସରରେ ଢିଙ୍କିଶାଳରୁ ଢେଙ୍କାନାଳ ଯାଏ କେତେ କେତେ କଥାର ଆଲୋଚନା ଚାଲିଥାଏ । ସରୋଜିନୀର ପାଦ ଟିକିଏ ଥକିଯିବାରୁ ସେ କଚ୍ଚା ସଡ଼କଟା ଉପରେ ବସିପଡ଼ି କହିଲା ଏତିକିବେଳେ ଖଣ୍ଡିଏ କାର ମିଳିଯାଆନ୍ତା କି ? ବାସ୍ତବିକ ଏ ଯୁଗରେ ଗାଡ଼ି ମଟର ବିନା କୌଣସି କାମ ହୋଇ ପାରିବନି; କିନ୍ତୁ ଆମପରି ଦରିଦ୍ରଲୋକ ଏଭଳି ଆଶା କରିବା ବୃଥା । ବିମଳା ଦେବୀ କହିଲେ ବୃଥା କାହିଁକି, ତୁମମାନଙ୍କପରି ଦେଶସେବାମାନଙ୍କ ପକ୍ଷରେ କାର ଖଣ୍ଡିଏ କ’ଣ ବଡ଼ କଥା ? ମୁଁ ତ ଦେଖିଛି ଆମ ଦେଶର ସ୍ତ୍ରୀଲୋକଗୁଡ଼ିକ ଯାହା ହାତରେ ପାହୁଲାକର କାମ ହେବନି, ସେଇମାନେ ତାଙ୍କରି ବେକରେ ଗୋଟିଏ ଗୋଟିଏ କାର ମୂଲ୍ୟର ସୁନା ଜବତ କରି ବସିଛନ୍ତି । ଅଥଚ ପ୍ରକୃତ କର୍ମୀ ଯେଉଁମାନେ ସେମାନେ ନିଜର ଆବଶ୍ୟକୀୟ ଖର୍ଚ୍ଚ ପାଇଁ ପଇସାଟିଏ ସୁଦ୍ଧା ପାଉ ନାହାନ୍ତି । ଦେଶ ତ ପରାଧୀନ ଥିଲା, ଅନେକ ବ୍ୟତିକ୍ରମ ରହିଯାଇଛି । ଏ ସବୁର ସମାଧାନ ହେବପରା ? ବିମଳା ଦେବୀଙ୍କ କଥାକୁ ଖାପ ଖୁଆଇଲାଭଳି ବଳରାମବାବୁ କହିଲେ, ‘‘ନାଇଁ ଆଜ୍ଞା ଆପଣମାନେ ଯାହା ସବୁ ଭାବୁଚନ୍ତି ତା ହୋଇପାରିବ ନାହିଁ-। କେବଳ ଦେଶବାସୀଙ୍କ ଧର୍ମବଳ ଆଉ ମହାତ୍ମାଗାନ୍ଧୀଙ୍କର କର୍ମଫଳ ସ୍ୱରୂପ ସ୍ୱାଧୀନତାଟା ମିଳିଯାଇଛି, ମାତ୍ର ଆଉ ଅଧିକ କିଛି ହୋଇପାରିବନାହିଁ । ଆମ ସରକାରୀ ବଳ, ଧନୀ, ପୁଞ୍ଜିପତି, ରାଜା, ଜମିଦାର, ମହାଜନ ଆଦି ଯେଉଁମାନେ ସ୍ୱାଧୀନତା ଆନ୍ଦୋଳନର ମୂଳତ୍ପାଟନ କରି ଦେବାକୁ ବସିଥିଲେ, ସେହିମାନଙ୍କ ସଙ୍ଗେ ହାତ ମିଳେଇ ସାରିଲେଣି । ଆପଣ ଦେଖିଥିବେ କି ନାହିଁ ମୁଁ ଜାଣେନା, ମାତ୍ର ବୈକୁଣ୍ଠବାବୁଙ୍କୁ ପଚାରନ୍ତୁ, ସ୍ୱାଧୀନତା ଉତ୍ସବଦିନ କେତେ ରାଜା, ମହାରାଜା, ଧନୀ, ଜମିଦାର, ମିଲମାଲିକ ଖଦଡ଼ ପିନ୍ଧି ମଟର ଆଗରେ ତ୍ରିରଙ୍ଗା ପତକା ଉଡ଼ାଇ ସରକାରୀ ଦଳର ସହଯୋଗରେ ସ୍ୱାଧୀନତା ଉତ୍ସବ ପାଳନ କରୁଥିଲେ । ମୁଁ ଆପଣଙ୍କୁ ସେଇ କାରଣରୁ ଆଶ୍ରମରେ କହିଲି, ଏ ଉତ୍ସବ ଆମର ନୁହେଁ ବୋଲି । ଦେଖୁନାହାନ୍ତି ସରକାରୀ ଦଳ ଓ ସରକାରୀ କଳ ଭିତରେ ଗୋଳମାଳିଆ ପରିସ୍ଥିତି ନ ଉପୁଜିଥିଲେ, ସାମନ୍ତବାଦୀମାନେ ଏ ନିର୍ବାଚନରେ ଅଧେ ସ୍ଥାନ ଦଖଲ କରିପାରି ଥାଆନ୍ତେ ?

 

ଦେଶରେ ସାବାଳକ ଭୋଟ ପ୍ରଥା ଚାଲୁ ହେବାପରେ ପ୍ରତ୍ୟେକ ନାଗରିକଙ୍କର ଭୋଟ ଦେବା ଅଧିକାର ଆସିଗଲା । ଆମ ଲୋକସାଧାରଣଙ୍କ ସରଳ ବିଶ୍ୱାସର ସୁଯୋଗ ନେଇ ସାମନ୍ତବାଦୀମାନେ ବ୍ୟବସ୍ଥା ସଭାର ପ୍ରାୟ ଅର୍ଦ୍ଧେକ ସ୍ଥାନ ଦଖଲ କରିନେଲେ । ମୋଟ ଦୁଇଶହ ଏକ ସ୍ଥାନ ମଧ୍ୟରୁ ବିରୋଧିଦଳ ଭାବରେ ସାମନ୍ତବାଦୀମାନେ ଶହେ ସ୍ଥାନ ପାଇଥାଆନ୍ତି । ସରକାରୀ ଦଳ ମଧ୍ୟ ସେତିକି ଜାଗା ଦଖଲ କରିପାରିଛନ୍ତି । ନିୟମାନୁଯାୟୀ ମୋଟ ସଭ୍ୟ ସଂଖ୍ୟାର ଅର୍ଦ୍ଧେକରୁ ବେଶି ସଭ୍ୟ ଯେଉଁ ଦଳର ‘‘ନାଇଁ ଆଜ୍ଞା । ଆପଣମାନେ ଯାହା ସବୁ ଭାବୁଚନ୍ତି ତା ହୋଇପାରିବ ନାହିଁ । କେବଳ ଦେଶବାସୀଙ୍କ ଧର୍ମବଳ ଆଉ ମହାତ୍ମାଗାନ୍ଧୀଙ୍କର କର୍ମଫଳ ସ୍ୱରୂପ ସ୍ୱାଧୀନତାଟା ମିଳିଯାଇଛି, ମାତ୍ର ଆଉ ଅଧିକ କିଛି ହୋଇପାରିବନାହିଁ । ଆମ ସରକାରୀ ଦଳ, ଧନୀ ପୁଞ୍ଜିପତି, ରାଜା, ଜମିଦାର, ମହାଜନ ଆଦି ଯେଉଁମାନେ ସ୍ୱାଧୀନତା ଆନ୍ଦୋଳନର ମୂଳୋତ୍ପାଟନ କରି ଦେବାକୁ ବସିଥିଲେ, ସେହିମାନଙ୍କ ସଙ୍ଗେ ହାତ ମିଳେଇ ସାରିଲେଣି । ଆପଣ ଦେଖିଥିବେ କି ନାହିଁ ମୁଁ ଜାଣେନା, ମାତ୍ର ବୈକୁଣ୍ଠବାବୁଙ୍କୁ ପଚାରନ୍ତୁ, ସ୍ୱାଧିନତା ଉତ୍ସବଦିନ କେତେ ରାଜା, ମହାରାଜା, ଧନୀ, ଜମିଦାର ମିଲମାଲିକ ଖଦଡ଼ ପିନ୍ଧି ମଟର ଆଗରେ ତ୍ରିରଙ୍ଗା ପତାକା ଉଡ଼ାଇ ସରକାରୀ ଦଳର ସହଯୋଗରେ ସ୍ୱାଧିନତା ଉତ୍ସବ ପାଳନ କରୁଥିଲେ । ମୁଁ ଆପଣଙ୍କୁ ସେଇ କାରଣରୁ ଆଶ୍ରମରେ କହିଲି, ଏ ଉତ୍ସବ ଆମର ନୁହେଁ ବୋଲି । ଦେଖୁନାହାନ୍ତି ସରକାରୀ ଦଳ ଓ ସରକାରୀ କଳ ଭିତରେ ଗୋଳମାଳିଆ ପରିସ୍ଥିତି ନ ଉପୁଜିଥିଲେ, ସାମନ୍ତବାଦୀମାନେ ଏ ନିର୍ବାଚନରେ ଅଧେ ସ୍ଥାନ ଦଖଲ କରିପାରି ଥାଆନ୍ତେ ?

 

ଦେଶରେ ସାବାଳକ ଭୋଟ ପ୍ରଥା ଚାଲୁ ହେବାପରେ ପ୍ରତ୍ୟେକ ନାଗରିକଙ୍କର ଭୋଟ ଦେବା ଅଧିକାର ଆସିଗଲା ଆମ ଲୋକସାଧାରଣଙ୍କ ସରଳ ବିଶ୍ୱାସର ସୁଯୋଗ ନେଇ ସାମନ୍ତବାଦୀମାନେବ୍ୟବସ୍ଥା ସଭାର ପ୍ରାୟ ଅର୍ଦ୍ଧେକ ସ୍ଥାନ ଦଖଲ କରିନେଲେ । ମୋଟ ଦୁଇଶହ ଏକ ସ୍ଥାନ ମଧ୍ୟରୁ ବିରୋଧିଦଳ ଭାବରେ ସାମନ୍ତବାଦୀମାନେ ଶହେ ସ୍ଥାନ ପାଇଥାଆନ୍ତି । ସରକାରୀ ଦଳ ମଧ୍ୟ ସେତିକି ଜାଗା ଦଖଲ କରିପାରିଛନ୍ତି । ନିୟମାନୁଯାୟୀ ମୋଟ ସଭ୍ୟ ସଂଖ୍ୟାର ଅର୍ଦ୍ଧେକରୁ ବେଶି ସଭ୍ୟ ଯେଉଁ ଦଳର ହୋଇପାରିବେ ସେମାନେ ଶାସନକ୍ଷମତା ହାତକୁ ନେବେ । ବର୍ତ୍ତମାନ ମନ୍ତ୍ରୀମଣ୍ଡଳ ଗଠନ ନେଇ ରାଜଧାନୀ ଦୁଲ ଦୁଲ କମ୍ପୁଚି । କିଏ ମନ୍ତ୍ରୀମଣ୍ଡଳ ଗଢ଼ିବ କିଛି ସ୍ଥିର ହୋଇ ପାରୁନାହିଁ । ବଳରାମବାବୁଙ୍କର ଉଗ୍ର ରାଜନୈତିକ ଚେତନା ଅନୁଭବ କରିଥିବା କଂଗ୍ରେସବାଲାମାନେ ତାଙ୍କୁ ନିଜ ଦଳକୁ ଆଣିବା ପ୍ରଶ୍ନ ପର୍ଯ୍ୟନ୍ତ ଉଠାଇ ପାରୁନାହାନ୍ତି । ଅନ୍ୟଦଳ ବଳରାମବାବୁଙ୍କୁ ଟାଣିଆଣିବା ନିତାନ୍ତ ଅସମ୍ଭବ ଏହା ଦେଶର ଜଣାଶୁଣା ମହଲ ବିଚାରିବା ଅତି ସ୍ୱାଭାବିକ । କିନ୍ତୁ ଉକ୍ତ ସାମନ୍ତବାଦୀ ଦଳର ସଭ୍ୟମାନେ ତ ବଳରାମବାବୁଙ୍କ ବିଷୟରେ ବେଶି କିଛି ଜାଣି ନ ଥାନ୍ତି, କେବଳ ସେ ବିରୋଧୀ ସଭ୍ୟ ହୋଇଥିବା ଯୋଗୁଁ ଦିନକ ଭିତରେ ପ୍ରାୟ ଦଶ ପଚାଶ ଥର ତାଙ୍କ ବସା ଦୁଆରକୁ ଆସିଲେଣି । ବଳରାମବାବୁ ଅନୁପସ୍ଥିତି ଥିବା ହେତୁ ନିରାଶ ହୋଇ ଫେରି ଯାଆନ୍ତି ।

 

ସରୋଜିନୀ ଆଉ ଅନ୍ୟମାନଙ୍କ ସହ ବଳରାମବାବୁ ନିଜ ବସାରେ ପହଞ୍ଚୁ ପହଞ୍ଚୁ ଗୋଟାଏ ସାଉଣ୍ଡଲେଶ୍ ନୂଆ କାର୍ ଆସି ତାଙ୍କ ଦୁଆରେ ପହଞ୍ଚିଲା ଏବଂ ତାହାମଧ୍ୟରୁ ଜଣେ ଦୀର୍ଘକାୟ ଯୁବକ ଖୁବ୍ କ୍ଷିପ୍ର ବେଗରେ ଓହ୍ଲାଇ ପଡ଼ିଲେ । ଯୁବକଟି ମଟର ଭିତରୁ ବାହାରି ପଦାକୁ ଆସିବାମାତ୍ରେ ସେ ଚକଡ଼ାଟା ତମାମ ମହ ମହ ସୁବାସରେ ଚମକିଗଲା । ବଳରାମବାବୁଙ୍କୁ ଦେଖିବା କ୍ଷଣି ଆଗନ୍ତୁକ କହିଲେ, ‘‘ଆଜ୍ଞା ଆପଣଙ୍କ ସାକ୍ଷାତ ପାଇଁ ମୁଁ ଆଜି ଏଠାକୁ ପ୍ରାୟ ପଚାଶଥର ଆସିଥିବି । କେବଳ ଆପଣ ନ ଥିବା ଯୋଗୁଁ ଆମର କିଛିହେଲେ ଫାଇନାଲ ହେଇ ପାରୁନି । ସମସ୍ତେ ଅପେକ୍ଷା କରିଛନ୍ତି, ଦୟା କରି ଶୀଘ୍ର ମଟରରେ ବସନ୍ତୁ ।

 

ବଳରାମବାବୁ କହିଲେ, ଆଜ୍ଞା କ୍ଷମା କରିବେ ମୁଁ ଆପଣଙ୍କୁ ଏଥି ପୂର୍ବରୁ କୌଣସି ଜାଗାରେ ଦେଖିଚି, ମାତ୍ର ଦୁଃଖର କଥା, ପରିଚୟଟା ଭଲ ପାଇ ପାରିନି ? ମୁଁ କିନ୍ତୁ ଆପଣଙ୍କୁ ଭଲ ଭାବେ ଜାଣିଛି, ଆଜ୍ଞା ! ମୁଁ ପରା ‘ନୀଳାଦ୍ରି ପ୍ରସାଦ’ ନିର୍ବାଚନ ମଣ୍ଡଳୀର ସଭ୍ୟ ‘ମାନ୍ଧାତା ଭୂପତି ହରିଚନ୍ଦନ ଜଗଦ୍ଦେବ ଗଜପତି ବାହାଦୂର ସାମନ୍ତ ଶ୍ରୀ ଚନ୍ଦ୍ରଶେଖରେଶ୍ୱର ନରେନ୍ଦ୍ର ନାଥ ବିକ୍ରମସିଂହ ଭଞ୍ଜ ଦେଓ, ବର୍ମା ଏମ. ଏଲ. ଏ. । ସେ ଆଡ଼େ ଆପଣଙ୍କ ଅପେକ୍ଷାରେ ବହୁତ ଲୋକ ବସିଚନ୍ତି । ଆମର ଲୋକ ଆପଣଙ୍କ ଦୁଆରେ ବରାବର ଦୁଇଦିନ ହେଲା ଜଗି ବସିଥିଲା । ଆପଣ ପହଞ୍ଚିବାମାତ୍ରେ ସେ ଯାଇ ଖବର ଦେବାରୁ, ମହାରାଜା ମତେ ପଠାଇଲେ ମୁଁ ଆସିଲି । ହଁ ଆପଣ ଆସିଲେ ଯେ– ଆପଣଙ୍କ ଅଫିସରେ ମୋର କାମ କ’ଣ ? ଆଜ୍ଞା ମୁଁ ସେ ସବୁ କଥା କିଛି ହେଲେ କହି ପାରିବିନି, ଆପଣ ସେଠାକୁ ଗଲେ ସବୁ ଜାଣିପାରିବେ । ଭଦ୍ରତା ଅନୁରୋଧରେ ବଳରାମବାବୁ ମଟରରେ ବସିଲେ ।

 

ସରୋଜିନୀ ଏଥି ପୂର୍ବରୁ ରାଜଧାନୀରେ ନୂଆ ନୁହେଁ କି ବଳରାମବାବୁଙ୍କ ବସାରେ ନୂଆ ନୁହେଁ । ତଥାପି ସେ ଆମର ପରମ୍ପରା ପ୍ରତି ଟିକିଏ ନଜର ଦେଇ ମଫସଲ ପାଟକକୁଳର ବୋହୂ ପରି ନ ଲୁଚିଲେ ମଧ୍ୟ ବସାରେ ପହଞ୍ଚିବାଠାରୁ ଗୋଟିଏ କୋଠରୀରେ ବସି ରହିଥାଏ । ସାଇପଡ଼ିଶା ଘରର କେତେଗୁଡ଼ିଏ ଝିଅ ବୋହୂ ନୂଆବୋହୂ ଦେଖିବା ଉଦ୍ଦେଶ୍ୟରେ ଆସି ସେଠାରେ କଥାବାର୍ତ୍ତା ଆରମ୍ଭ କରି ଦେଇଛନ୍ତି ।

 

ବିମଳା ଦେବୀଙ୍କର ଚଞ୍ଚଳ ଫେରିଯିବା କଥା, ମାତ୍ର ବଳରାମବାବୁ ଫେରିବା ପୂର୍ବରୁ ସେ କୌଣସିମତେ ଯାଇ ପାରୁନାହାନ୍ତି । ଦେଖୁ ଦେଖୁ ଦୁଇଦିନ ବିତିଗଲା । ବଳରାମବାବୁ ଫେରିଲେ ନାହିଁ । ବାଧ୍ୟ ହୋଇ ସରୋଜିନୀକୁ କୁହାବୋଲା କରି ବିମଳା ଦେବୀ ତାଙ୍କ ଆଶ୍ରମକୁ ଚାଲିଗଲେ । ବସାରେ ତିନି ଚାରି ଜଣଙ୍କ ବ୍ୟତୀତ ବାହାରର ଲୋକ ଆଉ କେହି ନଥାନ୍ତି । ବଳରାମବାବୁ ଦୁଇଦିନ ଧରି ବସାକୁ ନ ଫେରିବା ଦ୍ୱାରା ଏବଂ ଗୋଟାଏ ଅପରିଚିତ ଲୋକର ଆହ୍ୱାନ କ୍ରମେ ମଟରରେ ବସି ଚାଲିଯାଇଥିବାରୁ ଏଣେ ପ୍ରାଦେଶିକ ରାଜନୀତିର ଘନଘଟା ବିକୃତଭାବେ ବହୁଳ ପ୍ରଚାରିତ ହେଉଥିବା ହେତୁ କେତେ ପାପ ଚିନ୍ତା ଯେ ଏକଜୁଟ ହୋଇ ସରୋଜିନୀର ପେଟ ଭିତରେ ପଶି ଯାଆନ୍ତି ତା’ର ସୀମା ନାହିଁ । ଉପାୟ କ’ଣ ? ପ୍ରଗତିଦଳ ଅଫିସର ଲୋକମାନେ ସୁଦ୍ଧା ବଳରାମଙ୍କ ଖୋଜ ଖବର ଦେଇ ପାରୁ ନାହାନ୍ତି । ରାତି ପାଇଲେ ପୁଆଣିଘର ଅଥଚ ଜ୍ୱାଇଁଙ୍କର ଦେଖା ସାକ୍ଷାତ ନାହିଁ ଏଥିରେ ସରୋଜିନୀ ବୋଉଙ୍କର ମନ କିପରି କ’ଣ ହେଉଥିବ ତାହା ଅନୁମାନ ସାପେକ୍ଷ । ସରୋଜିନୀ ବୋଉକୁ ନାନାଭାବରେ ସାନ୍ତ୍ୱନା ଦେଲେ ସୁଦ୍ଧା ନିଜ ପେଟକଥା ନିଜେ ଜାଣନ୍ତି । ନାନା ପାପ ଚିନ୍ତାରେ ତା ଆଖି ଛଳ ଛଳ ହୋଇ ଆସୁଥିଲେ ବି ସେ ତାହା ଅନ୍ୟମାନଙ୍କୁ ଜଣାଇ ଦିଏ ନାହିଁ । ଏଣେ ଖବର କାଗଜମାନଙ୍କରରେ ନାନାପ୍ରକାର ସନ୍ଦେହଜନକ ଖବର ପ୍ରକାଶ ପାଉଥାଏ । ହକରମାନେ ଖବର ଗୁଡ଼ିକୁ ନାନାବିଧ ଚିତ୍ରଣ କରି ଡାକି ଡାକି ରାଜଧାନୀର ଏ ପାଖରୁ ସେ ପାଖଯାଏଁ କାଗଜ ବିକ୍ରି କରୁଥାଆନ୍ତି । ଏସବୁ ଘଟଣାର ସାରମର୍ମ ବଳରାମବାବୁଙ୍କ ବସାରେ ଥିବା ଚାକର ବାକର ଏବଂ ସରୋଜିନୀର ବୋଉ ପ୍ରଭୃତି ନ ଜାଣିପାରୁଥିଲେ ମଧ୍ୟ ଏଥିଲାଗି ସରୋଜିନୀର ମୁଣ୍ଡ ବେଳେ ବେଳେ ବିଗିଡ଼ି ଯାଉଚି । ତିରିଶି ତାରିଖ ରାତି ନଅଟା ବେଳେ ଖବର ବାହାରିଲା, ନବ ନିର୍ବାଚିତ ଆସେମ୍ଲି ସଭ୍ୟମାନଙ୍କର କିଣା ବିକା ପରେ ବିରୋଧିଦଳ ମନ୍ତ୍ରୀମଣ୍ଡଳ ଗଠନ ପ୍ରସ୍ତାବ ସିଦ୍ଧାନ୍ତ କଲେ । ପ୍ରଗତିଦଳର ସଭ୍ୟ ବଳରାମଦାସଙ୍କୁ ବିରୋଧୀମାନେ ଲକ୍ଷେ ଟଙ୍କା ମୂଲ୍ୟରେ ଖରିଦ୍ କରି ନିଜ ଦଳକୁ ଟାଣି ନେଇଛନ୍ତି । ବିରୋଧୀ ଦଳର ଦଳପତି ଭାବେ ବଳରାମବାବୁ ମନୋନୀତ ହୋଇଛନ୍ତି-। ଆସନ୍ତାକାଲି ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ପ୍ରଗତିଦଳର ନେତା ବଳରାମବାବୁ ମୁଖ୍ୟମନ୍ତ୍ରୀଭାବେ ମନୋନୀତ ହୋଇଛନ୍ତି । ନୂଆ ବିବାହ ପରେ ନୂଆମଟର, ନୂଆ ଗହଣା, ଓ ନୂଆ କ୍ଷମତା ତାଙ୍କୁ ଅନ୍ଧ କରିଦେଇଛି । ଏହାପରେ ଆହୁରି କ’ଣ ନୂଆ ପରିସ୍ଥିତି ଉପୁଜିବ ତାହା ଲକ୍ଷ୍ୟ କରିବାକଥା । ‘‘ରାଜନୀତିର ଭେକଧରି ବିଭତ୍ସଭାବେ ସ୍ୱାର୍ଥ ସିଦ୍ଧି କରୁଥିବା ବ୍ୟକ୍ତିମାନଙ୍କର ନେତାଭାବରେ ପ୍ରଗତିଦଳର ନେତା ଓ ଶ୍ରୀ ବଳରାମ ଦାସ ଆତ୍ମପ୍ରକାଶ କଲେ । ନିଳାଦ୍ରି ପ୍ରସାଦର ପ୍ରମୋଦ ଭବନରେ ସଭ୍ୟ ବିକା କିଣା ବଜାର ପ୍ରତିଷ୍ଠିତ ହେଲା ଇତ୍ୟାଦି– କେଉଁ ଖବର କାଗଜ କିଭଳି ଭାବରେ ଯେ ବିଷୟ ବ୍ୟାଖ୍ୟାକଲେ ତାହା ସବୁ ସ୍ମରଣ ନାହିଁ । ମୋଟକଥା ବଳରାମବାବୁ ଲକ୍ଷେ ଟଙ୍କାରେ ନିଜକୁ ବିକ୍ରୟ କରିଦେଇଛନ୍ତି । ନିଜ ନୀତିବାଦର ସଂପୂର୍ଣ୍ଣ ବିରୋଧୀ, ସାମନ୍ତବାଦୀଦଳ ନିକଟରେ ଦେଶସାରା ଯୁଆଡ଼େ ଶୁଣିବ ଖାଲି ଏଇ କଥା । ବଳରାମବାବୁଙ୍କ ସମ୍ପର୍କରେ ଏଭଳି ଘଟଣା ବିଭିନ୍ନ ସୂତ୍ରରୁ ବହୁବାର ଶୁଣୁଥିଲେ ମଧ୍ୟ ସରୋଜିନୀ ପୂର୍ଣ୍ଣଭାବରେ ବିଶ୍ୱାସ କରି ପାରୁନାହାଁନ୍ତି । ବଳରାମବାବୁଙ୍କ ମୁହଁରୁ ଖୁବ୍ ନିକଟ ଅତୀତରେ ଦେଶ ସମସ୍ୟା ନେଇ ସେ ଯାହା ସବୁ ଶୁଣିଛନ୍ତି ଆଜିର ଏ ସମ୍ୱାଦ ତାଙ୍କ ପକ୍ଷରେ ସେହି କାରଣରୁ ବିଶ୍ୱାସ ଯୋଗ୍ୟ ହୋଇ ପାରୁନାହିଁ । ତଥାପି ମନୁଷ୍ୟର ପରିବର୍ତ୍ତନ ତ ! କାଳେହେଁ କ’ଣ ହୋଇଥିବ, ଏଇ ଧାରଣାରେ ସେ ଦଣ୍ଡେହେଲେ ନିଶ୍ଚିନ୍ତ ହୋଇପାରୁ ନାହାନ୍ତି । ଏହା ଯଦି ପ୍ରକୃତ ସତ ହୋଇଥାଏ ତେବେ ନିଜର କର୍ତ୍ତବ୍ୟ କ’ଣ ତାହା ମଧ୍ୟ ସରୋଜିନୀ ସ୍ଥିର ନ କରି ଛାଡ଼ି ନାହାନ୍ତି-। ଠିକ୍ ସନ୍ଧ୍ୟା ଛଅଟା ହେବ ବୈକୁଣ୍ଠବାବୁ ବଳରାମବାବୁଙ୍କ ବସାରେ ପହଞ୍ଚିଲାବେଳକୁ ସରୋଜିନୀ ମୁହଁମାଡ଼ି ବିଛଣାଟା ଉପରେ ପଡ଼ିଛନ୍ତି । ସରୋଜିନୀକୁ ଏପରି ଅବସ୍ଥାରେ ଦେଖିବାମାତ୍ରେ ବୈକୁଣ୍ଠବାବୁ ବେଶ୍ ବୁଝି ପାରିଲେ ସରୋଜିନୀର ଅବସ୍ଥା କ’ଣ ଓ କାହିଁକି ? ବୈକୁଣ୍ଠବାବୁଙ୍କୁ ଦେଖିବା ପରେ ମନର ଦୁର୍ବଳତାକୁ ପେଟ ଭିତରେ ଗୋପନକରି ସରୋଜିନୀ କହିଲେ ବଇଭାଇ ତୁମେ ବି ଦି ଦିନ ହେଲା କୁଆଡ଼େ ଯାଇଥିଲ ? ନା ମୁଁ କୁଆଡ଼େ ଯାଇ ନ ଥିଲି ତ ? ସେଇ ପାର୍ଟି ଅଫିସରେ ବସିଚି, ବାଟ ଘାଟରେ ଲୋକେ ଯାହା ଗୋଟାଏ ହୁଆ ଉଠେଇଚନ୍ତି ସେଥିରେ ଘରୁ ବାହାରି ହେଉନି । ଦଳେ ବଜାରୀଟୋକା ଆମ ଅଫିସକୁ ଆଜି ଦିପହରବେଳେ ଟେକା ପଥର ମାଡ଼କଲେ, ଯାହା ତୁଣ୍ଡରେ ଧରି ହେବନି ତା ସବୁ ଅଫିସ ଦୁଆରଟାରେ କହୁଛନ୍ତି । ମୁଁ ତ ଏ ସବୁର ରହସ୍ୟ ମୋଟେ ବୁଝିପାରୁନି । ବଇଭାଇ ବଳରାମ ବାବୁଙ୍କ ସମ୍ପର୍କରେ ତୁମେ କିଛିହେଲେ ସଠିକ୍ ସନ୍ଧାନ ପାଇନାହଁ ? ବର୍ତ୍ତମାନ ସେ କେଉଁଠି ଅଛନ୍ତି କହିଲ । ସେ ନିଳାଦ୍ରି ପ୍ରସାଦ ପ୍ରମୋଦଭବନରେ ଅଛନ୍ତି ଏ ଖବର ମୁଁ ଜାଣେ, ମାତ୍ର ତାଙ୍କ ନାଁରେ ଆଉ ଯେତେ ଯେତେ ଖବର ବାହାରିଲାଣି ତା ସବୁ କିଛି ହେଲେ ଜାଣି ପାରୁନି ? ତେବେ ସେ ପ୍ରମୋଦ ଭବନରେ ଥିବା ଖବରଟା ନିଶ୍ଚୟତ ? ହଁ । ହେଇଟି ଟେଲିଗ୍ରାମ ଦେଖୁନୁ, ପ୍ରମୋଦ ଭବନରୁ ଲେଖିଛନ୍ତି । କହି ବୈକୁଣ୍ଠବାବୁ ଟେଲିଗ୍ରାମଟି, ସରୋଜିନୀ ହାତକୁ ବଢ଼େଇ ଦେଲେ । ସେଥିରେ ଲେଖା ହୋଇଛି । Pragati office, Capital, Arrive, with hundred gent 9 P.M. do necessary arrangements according our proposal. Remitted one Thousand, Balaram. ଟେଲିଗ୍ରାମଟି ସରୋଜିନୀ ପଢ଼ି ସାରିବା ପରେ ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ି କହିଲା ବଇଭାଇ ଖବର କାଗଜ, ତଥା ଲୋକମୁହଁରୁ ଯାହା ଶୁଣା ଯାଉଛି, ତା ନିତାନ୍ତ ସତ୍ୟ, ସେଥିରେ ତିଳେହେଲେ ସନ୍ଦେହ କରିବାର କିଛିନାହିଁ । ଏଇ ଆଠ ଦିନ ତଳେ ‘‘ପ୍ରମୋଦ ଭବନର’’ ଇତିହାସ ମତେ ସେ ଯାହା ଶୁଣାଇଥିଲେ, ମୁଁ ସେ ସବୁ ଶୁଣି ଆଶ୍ଚର୍ଯ୍ୟ ହେଲି ଯେତିକି ତାଠାରୁ ଶହେ ଗୁଣ ଦୁଃଖିତ ହେଲି । କିନ୍ତୁ ଶେଷରେ ମତ ଦେଲେ ଯେ- ପ୍ରମୋଦ ଭବନରେ ଅଜ୍ଞାତଭାବେ ପାଦ ପକାଇଲେ ବି ପାପ ଲାଗିବ । ତେଣୁ ମୁଁ କହୁଚି ବଳରାମ ବାବୁ ପ୍ରମୋଦ ଭବନରେ ଯେତେବେଳେ ଦୁଇ ଦିନ ରହି ସାରିଲେଣି, ସେ ମହା ପାପରେ ଲିପ୍ତ ହୋଇଥିବା କଥା ଏକବାରେ ଠିକ୍ । ବୈକୁଣ୍ଠବାବୁ କହିଲେ ନା ସରୋଜିନୀ ତୁ ବଳରାମ ବାବୁଙ୍କ ବିଷୟରେ ହଠାତ୍ ଏପରି ଗୋଟାଏ ଧାରଣା କରିବା ଉଚିତ ନୁହେଁ । ଆଜିକାଲି ରାଜନୀତି ଭିତରେ ଏପରିଭାବେ ବିଷାକ୍ତ କୂଟନୀତି ପଶି ଯାଇଛି ଯେ– କୌଣସି ଘଟଣା ପ୍ରତ୍ୟକ୍ଷ ଅନୁଭବରେ ନ ଆଣିଲେ, ସେଥିରେ ବିଶ୍ୱାସ କରିବା ଠିକ୍ ନୁହେଁ । ଏହି ରାଜନୈତିକ ଦଳର ପ୍ରଭାବରେ ଦେଶ ଭିତରୁ ସମ୍ୱାଦିକତା ମୂଳପୋଛ ହୋଇ ଯାଇଛି । ଯେଉଁ ଦଳ ଯେଉଁ ଖବର କାଗଜବାଲାଙ୍କୁ ହାତ କରି ପାରୁଛନ୍ତି ସେ ହୋଇଯାଉଛନ୍ତି ତାଙ୍କର ଏବଂ ଅନ୍ୟ ଦଳ ବିରୁଦ୍ଧରେ କୁତ୍ସା ରଟନା ଯେ କେବଳ କରୁଛନ୍ତି ତା ନୁହେଁ, ଅମୂଳକ ସମ୍ୱାଦ ମଧ୍ୟ ଲୋକମୁଖରେ ଖବର ଭାବରେ ପ୍ରକାଶ କରି ଦେଉ ଅଛନ୍ତି । ବଳରାମ ବାବୁ ତ ରାତି ନଅଟାରେ ଆସି ପହଞ୍ଚିବେ, ସବୁ କଥା ଦୁଇ ତିନି ଘଣ୍ଟା ପରେ ଜଣାପଡ଼ିଯିବ ନାହିଁ କି ? ହେଇଟି ବିରଜା ବାବୁ ଆସିଲେଣି । ସେ ନିଶ୍ଚୟ କିଛି ନା କିଛି ସତ୍ୟ ସମ୍ୱାଦ ସଂଗ୍ରହ କରିଥିବେ । ବିରଜା ବାବୁ ପହଞ୍ଚିବା ପରେ, ବୈକୁଣ୍ଠ ବାବୁ ପଚାରିଲେ, ‘‘ହଇଓ ବିରଜା ବାବୁ । ଦୁଇ ଦିନ ଧରି ବଳରାମବାବୁଙ୍କ ବିଷୟରେ ଯାହା ସବୁ ଶୁଣା ଯାଉଛି, ଏହାର ସତ୍ୟତା କେତେ ଦୂର ? ବିରଜା ବାବୁ ବୈକୁଣ୍ଠବାବୁଙ୍କୁ ଆଖିମାରି ବାହାର ଆଡ଼କୁ ଡାକି ନେଲେ ଏବଂ କହିଲେ, ଏଇ ପରମୁହୂର୍ତ୍ତ ଯାଏଁ ମୋର ସନ୍ଦେହ ଥିଲା, ଖବରଗୁଡ଼ିକ ଅମୂଳକ ବୋଲି । କିନ୍ତୁ ରଘୁ ସି. ଆଇ. ଡ଼ି.ଠାରୁ ଯାହା ସବୁ ଶୁଣିବାକୁ ପାଇଲି ସେଥିରେ ମୋର ଅବିଶ୍ୱାସର କିଛି ହେଲେ କାରଣ ନାହିଁ । ରଘୁ ମୋର ଭାରି ବିଶ୍ୱାସୀ । ସେ ନିଜେ ଘଟଣାସ୍ଥଳକୁ ଯାଇ ସମସ୍ତ ବିଷୟ ଶୁଣି ପାରିଛି । ସେ’ତ ଯାହା ହେବାର ହୋଇଛି । ଟେଲିଗ୍ରାମ କଥା କ’ଣ କରିବା କହିଲ ? ଶହେ ଜଣ ଭଦ୍ରଲୋକଙ୍କ ପାଇଁ ଖାଇବା ପିଇବାର ଯୋଗାଡ଼ ହେଲେ ତ ଚଳେ ? ବୈକୁଣ୍ଠ ବାବୁ କହିଲେ ହଁ । ତା ସତ ଯେ, ମାତ୍ର ଏଠାରେ କିଛି ହେଲେ କରିବା ପାଇଁ ସରୋଜିନୀ ମନା କରୁଚି । ତେବେ ଆମ ଅଫିସରେ କରିବା ।

 

ବିରଜାବାବୁ ଓ ବୈକୁଣ୍ଠବାବୁ ବାହାର ପାଖେ ଯାହା ସବୁ କଥାବାର୍ତ୍ତା ହେଲେ, ତାହା ନ ଶୁଣି ଥାଇ ସୁଦ୍ଧା ସରୋଜିନୀ ବେଶ୍ ଅନୁମାନ କରି ନେଇଛି । ସରୋଜିନୀର ଶାନ୍ତ ସରସ ହସ ହସ ମୁହଁଟିକୁ ଦେଖିବାମାତ୍ରେ ଚାକର ବାକର କ’ଣ, ନିଜେ ତାଙ୍କ ବୋଉ ବି ଡରରେ କିଛି କହି ପାରୁ ନାହାଁନ୍ତି । ଚଉଠିଟାରେ ରାତିରେ ଉପବାସ ନ ଶୋଇବା ପାଇଁ ବୋଉ ଯେତେପରି କହିଲେ ସୁଦ୍ଧା ସରୋଜିନୀ କିଛି ହେଲେ ଶୁଣିଲା ନାହିଁ । ତାଙ୍କର ବିଛଣାପତ୍ର ବନ୍ଧାବନ୍ଧି କରି, ତିନିଟା ଗାଡ଼ିକୁ ଷ୍ଟେସନରେ ଛାଡ଼ିଦେବା ପାଇଁ ରିକ୍ସାବାଲାକୁ ଖବର ଦେବାଲାଗି ଚାକର ଟୋକା ବରୁଜାକୁ ବରାଦ କଲା । ବରୁଜା ବାବୁଆଣୀଙ୍କର ହୁକୁମ ମତେ କାମ କରୁଥାଏ ସତ, ମାତ୍ର ତା’ର ମନ ଭିତରଟା କେଜାଣି କାହିଁକି ଘାଣ୍ଟିଚକଟି ହେଉଥାଏ । ସେ ମୂର୍ଖ ହେଲେ କ’ଣ ହେଲା, ଚଉଠି ଘର ଉତ୍ସବ କେତେ ଜାଗାରେ ଦେଖିଚି । ବିଛଣାପତ୍ରଗୁଡ଼ିକ ବନ୍ଧାବନ୍ଧି କରିଦେଇ, ବରୁଜା ତେଲେଙ୍ଗା ସାହିକୁ ଦୌଡ଼ିଗଲା ଜଣେ ତେଲେଙ୍ଗା ରିକ୍ସାବାଲାଠାରୁ ଦୋଅଣିଟାଏ ଆଣି ବାବୁଆଣୀକୁ ଦେଖାଇଲା । ସରୋଜିନୀର ଗାଡ଼ିକୁ ଯିବା ସଜବାଜ ଦେଖି ବସାରେ ଥିବା ଲୋକ କିଏ କ’ଣ ଭାବୁ ଥାଆନ୍ତି କିନ୍ତୁ ପଚାରିବା ସାହାସ କାହାର ହେଲେ ନ ଥାଏ ।

 

କ୍ୟାପିଟାଲ ଥାନାରେ ଟନ୍‌ଟନ୍ ହୋଇ ଏଗାରଟା ବାଜିବା ପରେ ସାଉଣ୍ଡଲେସ୍ କାର ଖଣ୍ଡିକରେ ବସି ବଳରାମ ବାବୁ ତାଙ୍କ ବସା ଦୁଆରେ ପହଞ୍ଚିଲେ । ଡ୍ରାଇଭର ଓ କ୍ଲିନର ମଟର ଭିତରୁ ଜିନିଷପତ୍ର ବାହାର କରୁ କରୁ ବଳରାମବାବୁ ନିଜ ବସା ଦୁଆରେ ହାତମାରି ବରୁଜା, ବରୁଜା ଡ଼ାକ ପକାଇଲେ । ବରୁଜା ବିଚରା ବହୁ ସମୟ ଯାଏଁ ବସି ବସି ବାରଣ୍ଡାଟିରେ ଗଡ଼ିପଡ଼ିଛି-। ଅନ୍ୟମାନଙ୍କୁ ମଧ୍ୟ ନିଦଲାଗି ଯାଇଛି । ସରୋଜିନୀର ଆଖିକୁ ଯେ ନିଦ ନାହିଁ ଏହା ସତ, ମାତ୍ର ତା’ର ଆକାଶ ପାତାଳ ଭାବନା ଯୋଗୁଁ ବାହାରର ଶବ୍ଦ ତା କାନରେ ପ୍ରବେଶ କରିପାରୁ ନାହିଁ । କେତେ ସମୟପରେ ବରୁଜା ନିଦ ବାଉଳାରେ ଉଠି ଦୁଆରଟାକୁ ଖୋଲିଦେଲା । ବାରଣ୍ଡାରୁ ଜିନିଷପତ୍ର ଗୁଡ଼ାକ ନେଇ ଆସେ ବୋଲି ବଳରାମ ବାବୁ ବରୁଜାକୁ କହି ଦେଇ ନିଜ ଶୋଇବା ଘର ଭିତରକୁ ପଶିଗଲେ । ମାତ୍ର ତାଙ୍କ ଶୋଇବା ଘର ବିଷୟରେ ସେ ଆଗରୁ ଯେଉଁ ମଧୁର ଚିତ୍ର ମନ ମଧ୍ୟରେ ଆଙ୍କି ଦେଇଥିଲେ, ତା’ର ସାମାନ୍ୟ ସୂଚନା ପର୍ଯ୍ୟନ୍ତ ପାଇ ପାରିଲେନି । ସରୋଜିନୀ ଶୋଇବା ଘରର ଗୋଟାଏ କଣରେ ପଡ଼ିଛି । ଚାକରାଣୀ ମରୁଆଟା ଖଣ୍ଡେ ଦୂର ଛାଡ଼ି ତଳଟାରେ ଅସ୍ତବ୍ୟସ୍ତ ହୋଇ ଘୁଙ୍ଗୁଡ଼ି ମାରୁଛି । ଏ ଦୃଶ୍ୟ ଦେଖିବା ପରେ ବଳରାମ ବାବୁଙ୍କର ସ୍ପଷ୍ଟ ଧାରଣା ହେଲା, ସରୋଜିନୀ ନିଶ୍ଚେ.....ମାତ୍ର ଏହା କିପରି ସମ୍ଭବ । ହେଇଟି ପନ୍ଦର ଦିନ ତଳେତ ଖବର ପାଇଥିଲି । ସେ ଚଣ୍ଡୀଖୋଲ ଯିବାକୁ ସେହି କାରଣରୁ ମନା କରି ଦେଇଥିଲା ? ନା, ଏଥିରେ ଆହୁରି କ’ଣ କାରଣ ଅଛି । ମୁଁ ତିନିଦିନ କାଳ ବାହାରେ ରହିଯିବା ଦ୍ୱାରା ସେ ବୋଧହୁଏ ବିରକ୍ତ ହୋଇଯାଇଛି । ନା, ନା, ତା ନୁହେଁ, ମୋର ମତ ପରିବର୍ତ୍ତନ ବୋଧହୁଏ ଏ ସବୁର କାରଣ ? ସରୋଜିନୀ ତ ନିଜେ କହୁଥିଲା, ଏ ଯୁଗରେ ଗାଡ଼ି ମଟର ବିନା ଚଳି ହେବ ନାହିଁ ବୋଲି ? ତେଣୁ ମୋର ମତ ପରିବର୍ତ୍ତନରେ ସେ ଅସନ୍ତୋଷ କାହିଁକି ? ବଳରାମବାବୁ ବରୁଜା ବୋଲି ଡାକିବାରେ ବରୁଜାଟା ତ ଆସି ପାଖରେ ଠିଆ ହେଲା, ମାତ୍ର ବରୁଜାକୁ ଏଡ଼େ ପାଟିରେ ଡାକିବା ତାଙ୍କର ଉଦ୍ଦେଶ୍ୟ ଭିନ୍ନ । ବଳରାମବାବୁଙ୍କ ପାଟି ଶୁଣି ମରୁଆ ତର ତର ହୋଇ ଉଠି ଆଖି ମଳି ମଳି ଘର ଭିତରୁ ପଦାକୁ ଚାଲି ଆସିଲା ।

 

ବଳରାମ ବାବୁ ସରୋଜିନୀର ଦେହକୁ ଲାଗି ବସି ତା ପିଠିରେ ହାତମାରି କହିଲେ, ସରୋଜିନୀ ତୁମର ଦେହ କିଛି ଖରାପ ହେଲା କି ? ଉତ୍ତର ତ ପାଇଲେ ନାହିଁ କିନ୍ତୁ ନିଜେ ଡାକ୍ତରଙ୍କ ଭଳି ନାଡ଼ିରେ ହାତ ଦେବା, କପାଳ ଓ ଛାତିରେ ଉତ୍ତାପ ପରୀକ୍ଷା କରିବା ଇତ୍ୟାଦିରୁ ଦେହ ଅସୁସ୍ଥ ନ ଥିବା କଥା ବେଶ୍ ଜାଣି ପାରିଲେ । ସେତେବେଳକୁ ବଳରାମ ବାବୁ ବୁଝି ସାରିଲେଣି ଯେ– ସରୋଜିନୀ ଆଖିକୁ ନିଦ ମୋଟେ ଛୁଇଁ ପାରିନି । ଅଥଚ ସହସ୍ର ପ୍ରଶ୍ନରେ ବି ପଦେ ଉତ୍ତର ଦେଉ ନାହିଁ, ତାଙ୍କ ମୁଣ୍ଡରେ ଯେପରି ଗୋଟାଏ ପର୍ବତ ମାଡ଼ି ବସିଛି, ତାହାହିଁ ଅନୁଭବ କଲେ । ମନ ଭିତରେ ଟିକିଏ କ’ଣ ଭାବି ହାଣ୍ଡବ୍ୟାଗ୍‍ଟା ଖୋଲିଦେଇ ତା ଭିତରୁ ଦୁଇ ଚାରିଟା ସୁନାର ହାର ବାହାର କରି ସରୋଜିନୀର ମୁଣ୍ଡଟାକୁ ନିଜ ଜଙ୍ଘ ଉପରେ ରଖି ଗୋଟାଏ ହାର ପିନ୍ଧାଇ ଦେବା ଆରମ୍ଭ କରିଛନ୍ତି ସରୋଜିନୀ ବଳରାମବାବୁଙ୍କ ଜଙ୍ଘ ଉପରୁ ମୁଣ୍ଡଟାକୁ ଉଠାଇ ନେଇ ଏପରି ଜୋରରେ ହାତ ଛିଞ୍ଚାଡ଼ି ଦେଲା ଯେ ହାରଟା ଯାଇ ଖଣ୍ଡେ ଦୂରରେ ପଡ଼ିଲା ଏବଂ ସରୋଜିନୀ ଘର ଭିତରୁ ପଦାକୁ ବାହାରି ଆସିବା ଇଚ୍ଛାରେ ଉଠି ଠିଆହେଲା । ସରୋଜିନୀ ଠିଆ ହେବାପରେ ବଳରାମ ବାବୁ ତା ମୁହଁ ଆଗକୁ ଯାଇ ଅଯତ୍ନ ହୋଇ ଯାଇଥିବା ବାଳଗୁଡ଼ିକ ହାତରେ ସଜାଡ଼ି ଦେବାର ଉପକ୍ରମ କରି ଅତି କୋମଳ ଭାବରେ ପଚାରିଲେ ସରୋଜିନୀ । ମୋ ଉପରେ ତୁମ ରାଗ ହୋଇଛି ? ମୁଁ, ଯେ ତୁମକୁ ସନ୍ତୋଷ କରିବାରେ ବରାବର ଲାଗିପଡ଼ିଛି । ସେ ଦିନ କାର କଥା ତୁମେ କହିଲ । ହେଇଟି ଦେଖ, ଦାଣ୍ଡ ପାଖେ କିପରି ଅର୍ଖ ନୂଆ ସାଉଣ୍ଡଲେସ୍ କାର୍ ଥୁଆ ହୋଇଛି । ଶଶିଠାରୁ ଖବର ପାଇଥିଲି, ଆଉ ମୁଁ ମଧ୍ୟ ନିଜେ ଜାଣିଛି । ଗହଣା ଉପରେ ତୁମର ଭାରି ଶ୍ରଦ୍ଧା । ଚାରିବର୍ଷ ତଳର କଥା । ଯେଉଁ ଦିନ ଲୁଣା ହାଟରେ ପ୍ରଥମଥର ପାଇଁ ତୁମକୁ ଦେଖିଲି, ସେ ଦିନର ଗହଣା ପିନ୍ଧିଥିବା ରୂପଟି ମୁଁ କେବେହେଲେ ଭୁଲି ପାରୁନାହିଁ । ସେଇଥିଲାଗି ଏ ସବୁ ଗହଣା ତୁମ ପାଇଁ କିଣି ଆଣି ଦେଇଚି । ବଳରାମ ବାବୁଙ୍କର କୋମଳ ସୋହାଗ କଥାଗୁଡ଼ିକ ସରୋଜିନୀ ମୋଟେ କାନ ଭିତରକୁ ନେଉ ନ ଥାଏ ଏବଂ ଘର ଭତରୁ ପଦାକୁ ଆସିବା ପାଇଁ ବରାବର ଚେଷ୍ଟା କରୁଥାଏ । କିନ୍ତୁ ବଳରାମ ବାବୁ ଟାଣି ଧରିଥିବା ଯୋଗୁଁ ପଦାକୁ ଆସିବା ସମ୍ଭବ ହୋଇପାରେ ନାହିଁ । ସରୋଜିନୀ ନିଜର ହସ ହସ ମୁହଁ ଛିଞ୍ଚାଡ଼ି ଯେତେବେଳେ କହିଲା ମତେ ଛାଡ଼ି ଦିଅ, ମୁଁ ଏଠାରେ ଦଣ୍ଡେହେଲେ ରହିବାକୁ ଚାହେଁନାହିଁ, ବଦରିକା ଆଶ୍ରମ ମୋ ପକ୍ଷରେ ଉପଯୁକ୍ତ ସ୍ଥାନ, ମୁଁ ସେହିଠାକୁ ହିଁ ଚାଲିଯିବି । ଚାରି ବର୍ଷର ସଞ୍ଚିତ ଉତ୍କଣ୍ଠିତ ପ୍ରେମର କବଳରୁ ନିଜକୁ ମୁକ୍ତ କରାଇବା ବଳରାମ ବାବୁଙ୍କ ପକ୍ଷରେ ସମ୍ଭବ ହୋଇ ପାରିଲା ନାହିଁ । ସରୋଜିନୀର ବହୁ ନିଷ୍ଠୁର କଥା ସତ୍ତ୍ୱେ ସେ ବାରମ୍ବାର ମନ ଧରିବା କଥା ହିଁ କହୁ ଥାଆନ୍ତି ଏବଂ ସରୋଜିନୀର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗରେ ହସ୍ତ ସଞ୍ଚାଳନକରି ରାଗିବାର କାରଣ ପଚାରୁ ଥାଆନ୍ତି । ସରୋଜିନୀ ଘର ଭିତରୁ ପଦାକୁ ବାହାରି ଆସିବା ଚେଷ୍ଟାରେ ପରାସ୍ତ ହୋଇ ବରୁଜା, ବରୁଜା ଡାକ ପକାଇଲେ । ବରୁଜା ଟୋକାଟା, ସେ ତ ଆଉ ଭଲ ମନ୍ଦ ହାନି ଲାଭ କିଛି ବୁଝିପାରେ ନାହିଁ, ବାବୁଆଣୀଙ୍କ ଡାକ ଶୁଣି ଘର ଭିତରକୁ ପଶିଗଲା ବରୁଜା ଘର ଭିତରେ ପଶିଯିବା ମାତ୍ରେ ବଳରାମବାବୁ ସରୋଜିନୀ ଉପରୁ ହାତ ବାହାର କରିନେଲେ । ଏହି ଅବସରରେ ସରୋଜିନୀ ପଦାକୁ ଚାଲିଆସିଲା । ସେତେବେଳକୁ ରିକ୍ସାବଲା ଆସି ଦାଣ୍ଡ ଦୁଆର ମୁହଁରେ ହାଜର ହୋଇଗଲାଣି । ଜିନିଷ ପତ୍ରତକ ନେଇ ରିକ୍ସାରେ ରଖିଦେବା ଲାଗି ସରୋଜିନୀ ବରୁଜାକୁ କହିଲା-। ବରୁଜା ମଧ୍ୟ ଠିକ୍ ଆଦେଶ ପାଳନକଲା । ଏ ସବୁ ଘଟଣାରେ ବଳରାମ ବାବୁଙ୍କ ଛାତିରୁ କେବଳ କୋହ ଜାତ ହେଉଥାଏ । ମାତ୍ର ଉପାୟ କ’ଣ ? ସରୋଜିନୀ ତ, ପଦେ ହେଲେ କଥା କହୁ ନାହିଁ ।

 

ସରୋଜିନୀ ରିକ୍ସାରେ ବସିଲା । ବରୁଜା ଆଖିରୁ ଦୁଇଧାର ଲୁହ ବୁହାଇ ଠିଆହୋଇଥାଏ । ବଳରାମବାବୁ କାନ୍ଦ କାନ୍ଦ ହୋଇ କହିଲେ, ଆଚ୍ଛା ସରୋଜିନୀ । ତୁମକୁ ପ୍ରାଣରୁ ବଳି ଯେ ଅଧିକ ସ୍ନେହ କରେ, ତା ଆଗରେ ଏ ରହସ୍ୟ ପଦେହେଲେ କ’ଣ କହିବ ନାହିଁ ? ଶେଷରେ ସରୋଜିନୀ ଏଇ ପଦେମାତ୍ର କହିଲା, ସ୍ୱାର୍ଥଲାଗି ଯେ ଲକ୍ଷ ଲକ୍ଷ ନିରୀହ ଲୋକଙ୍କଠାରେ ବିଶ୍ୱାସ ଘାତକତା କରିପାରେ, ଆବଶ୍ୟକ ହେଲେ ସେ ଯେ– ଜଣେ ସ୍ତ୍ରୀ ଲୋକର ବିଶ୍ୱାସୀ ହୋଇପାରିବ ଏହା କେତେଦୂର ସମ୍ଭବ ? ତୁମ କଥାର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରିଲିନି ସରୋଜିନୀ । ଆଉ ଟିକିଏ ସ୍ପଷ୍ଟ କରିଦିଅ । ବୁଝିପାରିଲ ନି ? ନିର୍ବାଚନ ପୂର୍ବରୁ ଲୁଣା ଅଞ୍ଚଳବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲ ତାହା ସହିତ ଆଜିର କାର୍ଯ୍ୟକୁ ତୁଳନା କଲେ ବେଶ୍ ବୁଝିପାରିବ । ବଳରାମ ବାବୁଙ୍କ ମୁଣ୍ଡ ତଳକୁ ନଇଁ ଆସିଲା । ସେ ପରିଷ୍କାର ସବୁକଥା ବୁଝିପାରିଲେ ଏବଂ କହିଲେ ଦୋଷୀକୁ କ୍ଷମା ଦେଲେ ହୁଅନ୍ତା ନାହିଁ ? ଜାଣି ଶୁଣି ପାପ କରିଥିବା ବ୍ୟକ୍ତିର ମୁକ୍ତି ପ୍ରାୟ ନ ଥାଏ । ବଳରାମବାବୁ ଆଉ ଧୈର୍ଯ୍ୟଧରି ପାରିଲେ ନାହିଁ । ପିଲାଙ୍କ ପରି କଇଁ କଇଁ କାନ୍ଦି ଉଠିଲେ । ସରୋଜିନୀ ରିକ୍ସା ଚଲାଇବା ପାଇଁ କହିବାରୁ ରିକ୍ସା ବାଲାଟି କହିଲା, ଆମା, ବାବୁ କାନ୍ଦୁଚି ପରା ? ଆରେ ତୁ ଚାଲେ, ଜଗତରେ ଯେ ଯାହାର କାନ୍ଦିବା ପାଇଁ ସେ ଦାୟୀ-

 

ସରୋଜିନୀର ବୋଉ ସକାଳୁଉଠି ଦେଖିଲାବେଳକୁ ଘରେ ଜ୍ୱାଇଁ ଝିଅ କେହିହେଲେ ନାହାନ୍ତି । ବରୁଜାଟା ଦାଣ୍ଡ ବାରଣ୍ଡାରେ ଶୋଇପଡ଼ିଛି । କଳା ଛନ ଛନ ନୂଆ ମଟରଟି ସମସ୍ତ ଘଟଣାର ମୂକ ସାକ୍ଷୀ ରୂପେ ଯେପରି ଭାବିବାରେ ଲାଗିଚି ମୋରି ଯୋଗୁଁ ଗୋଟିଏ ନୂଆ ସଂସାର ଭାଙ୍ଗି ଚୂନା ହୋଇଗଲା । ଆଜି ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବା କଥା । ମାତ୍ର ଦଳପତି ବଳରାମ ଦାସଙ୍କର ଖୋଜ ଖବରନାହିଁ । ବିରୋଧୀଦଳର ଶାସନକ୍ଷମତା ଗ୍ରହଣ ଇତିଶ୍ରୀ ହୋଇ ପଡ଼ିଲା । ସେହି ଦିନଠାରୁ ବଳରାମବାବୁଙ୍କ ସମ୍ୱାଦ କେହିହେଲେ କହିପାରୁ ନାହାନ୍ତି । ସରୋଜିନୀ ବଦରିକା ଆଶ୍ରମରେ ରହି ଲକ୍ଷ ଲକ୍ଷ ନିରୀହ, ନିସ୍ୱ ଜନତାର ମା’ପରି ସେବା ଚଳେଇଛି ।

 

ବିମଳା ଦେବୀ ନୂଆ ରାଜଧାନୀଠାରେ ସରୋଜିନୀଠାରୁ ବିଦାୟ ନେଇ ଆସିଲାବେଳେ କାନେ କାନେ କହି ଆସିଥିଲେ ଯେ– କେତେଦିନ ପରେ ଆଶ୍ରମକୁ ଆସିବୁ । ତାଙ୍କର କହିବା ଅନୁସାରେ ସରୋଜିନୀ ଆଶ୍ରମକୁ ଆସିଛି ଏକଥା ଜାଣିବା ବ୍ୟତୀତ ଭିତିରିଆ କଥାଗୁଡ଼ିକ ବିମଳା ଦେବୀ କିପରି ବା ଜାଣନ୍ତେ ? ଅବଶ୍ୟ ଖବର କାଗଜରେ ବଳରାମବାବୁ ସରୋଜିନୀ ଦେବୀ, ପ୍ରଗତିଦଳ’’ ମନ୍ତ୍ରୀମଣ୍ଡଳ ଗଠନ ଫସର ଫାଟିଲା ଇତ୍ୟାଦି ଶୀର୍ଷକ ଲେଖା ଯେ– ପ୍ରକାଶିତ ନ ହୁଏ ଏପରି ନୁହେଁ । ମାତ୍ର ବିମଳା ଦେବୀଙ୍କୁ ଖବର କାଗଜ ସାଙ୍ଗରେ ସାକ୍ଷାତ ହେବାକୁ ବେଳ କାହିଁ ? ରାଇରଙ୍ଗପୁରର ପାହାଡ଼ିଆ ଆଦିବାସୀ ଅଞ୍ଚଳ । ଖବରକାଗଜ ଖଣ୍ଡିଏ ସେଠାରେ ପହଞ୍ଚିବା କାଠିକର ପାଠ ।

 

ମଝିରେ ମଝିରେ ବିମଳା ଦେବୀ, ବଳରାମବାବୁ, ବିରଜାବାବୁ, ବଇବାବୁ ଆଦିଙ୍କ କଥା ପଚାରିଲାବେଳେ ସରୋଜିନୀ ହୁଁ, ହାଁ ମାରିଦେଇ ରହିଯାଏ । ବିମଳା ଦେବୀ କିଛି ବୁଝନ୍ତି କି ନ ବୁଝନ୍ତି, କ’ଣ ଭାବନ୍ତି କେଜାଣି, ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଜାଣିବାରେ ଭିଡ଼ କରନ୍ତି ନାହିଁ, କଥା ସେପରି ଖସିଯାଏ ।

 

ଚାହୁଁ ଚାହୁଁ ସରୋଜିନୀ ଆଶ୍ରମକୁ ଆସିବାର ମାସେ ଖଣ୍ଡେ ହୋଇଗଲା । ବିମଳା ଦେବୀଙ୍କ ମନରେ କ’ଣ ଝୁଙ୍କି ଉଠିଲା କେଜାଣି । ସରୋଜିନୀର ଶୋଇବା ଘରକୁ ହଠାତ୍ ପଶି ଆସି ପଚାରିଲେ ସରୋଜିନୀ- ବଳରାମବାବୁ ଏଠାକୁ ଆସିବା ପାଇଁ ତୁ ମନା କରିଛୁ କି ? ତୁ ଆସିବାର ଏତେ ଗୁଡ଼ାଏ ଦିନହେଲା, ସେ ଏଠାକୁ ଆସୁନାହାଁନ୍ତି କାହିଁକି ? ବାସ୍ତବିକ୍ ଆଜିକାଲିର ଟୋକାଗୁଡ଼ିକ ବଡ଼ ମୁହଁବଢ଼ିଆ ହୋଇଗଲେଣି । ହଉ ହଉ ଚାଲେ ପରଦିନ ମୋର ରାଜଧାନୀକୁ ଯିବାର ଅଛି, ସାଥିହୋଇ ଯିବା । ତୁମ ଘରେ ରହିବାକୁ ମତେ ସୁବିଧା ହେବ, ପାଞ୍ଚ ଛଅଦିନ ଖଣ୍ଡେ ରହିବି । ବିମଳା ଦେବୀ ସରୋଜିନୀ ଆଗରେ ଅପ୍ରତିଦ୍ୱନ୍ଦୀ ବକ୍ତାପରି କେବଳ ଗପି ଯାଉଥାଆନ୍ତି । ସରୋଜିନୀ ମୁଣ୍ଡଟି ତଳକୁ ପୋତି ବସିଥାଏ । ଯେତେବେଳେ ବିମଳା ଦେବୀ ପଚାରିଲେ ସରୋଜିନୀ ପରଦିନ ତୁମ ଘରକୁ ମତେ ସାଙ୍ଗରେ ନେବୁ ତ ? ସରୋଜିନୀ ସେହିପରି ମୂକ ହୋଇ ବସିଥାଏ । ଏତେବେଳେ ଯାଇ ବିମଳା ଦେବୀଙ୍କ ମୁଣ୍ଡରେ ଟିକିଏ ଦକ ପଶିଲା ଯେ, କଥା କ’ଣ ? ଏତେଥର ପଚାରିଲେ ବି, ସରୋଜିନୀ ଉତ୍ତର ଦେଉନି କାହିଁକି ? ସେ ସରୋଜିନୀର ମୁଣ୍ଡଟିକୁ ଧରି ଟିକିଏ ଉପରକୁ ଉଠାଇଦେଲେ, ଏବଂ ଦେଖିଲେ, ସରୋଜିନୀ ଆଖିରୁ ଦୁଇଧାର ଲୁହ ଝରି ଆସୁଛି । ସେ ତଟକା ହୋଇପଡ଼ିଲେ, ମାତ୍ର କଥାଟା କିଛିହେଲେ ବୁଝିପାରିଲେନାହିଁ । ବିମଳା ଦେବୀଙ୍କ ମନ ଅତି ଅଧିର ହୋଇପଡ଼ିଲା, ଯେତେପ୍ରକାର ଆଶ୍ୱାସନା ଦେଇ ପଚାରିଲେ ସୁଦ୍ଧା ସରୋଜିନୀ ଛାତିରୁ କୋହ ଉଠାଇ ଲୁହ ଗଡ଼ାଇବା ବ୍ୟତୀତ ପଦେହେଲେ କିଛି କହିଲା ନାହିଁ-। ବିମଳା ଦେବୀ କଥାର ରହସ୍ୟ ଜାଣିବା ପାଇଁ ବାୟାଣୀ ପରି ହୋଇଗଲେ । ଅବଶ୍ୟ ମୋଟାମୋଟି ଗୋଟାଏ ଧାରଣା ତାଙ୍କର ହେଲା ଯେ– ବଳରାମବାବୁଙ୍କ ସହିତ ସରୋଜିନୀର କିଛି ମନାନ୍ତର ନିଶ୍ଚେ ଘଟିଛି । ସରୋଜିନୀକୁ ଛୋଟ ପିଲାଟି ପରି କୋଳରେ ବସାଇ ବହୁତ ବୁଝାସୁଝା କରି ବିଛଣାରେ ଶୁଆଇ ପକାଇଲେ । ଆଉ ତା’ର ମନସ୍ତାପର କାରଣ ଅନୁସନ୍ଧାନରେ ଲାଗିଲେ । ଆଶ୍ରମରେ ଥିବା ନିରୀହ ହରିଜନ ଆଦିବାସୀ କୋମଳମତି ଛୁଆଗୁଡ଼ିକ ଏ ସମ୍ପର୍କରେ କ’ଣ ଅବା ଜାଣିଛନ୍ତି ଯେ– କହିବେ । କିଏ କିଛି କହି ପାରିଲେନି, ଏତିକି ମାତ୍ର ପନ୍ଦର ଷୋଳବର୍ଷ ବୟସର ହରିଜନ ଝିଅଟିଏ କହିଲା, ମା’ ସାନ ‘ମା’ ତ ଏଥର ଆସିବା ଦିନଠାରୁ ସବୁବେଳେ ଖାଲିଆଖିରୁ ଲୁହ ଗଡ଼ାଉଛନ୍ତି । ସେଦିନ ଡ଼ାକବାଲା ଖଣ୍ଡିଏ ଚିଠି ଦେଇଗଲା, ସାନ, ‘ମା’ ଚିଠି ଖଣ୍ଡିକ ଖୋଲି ଦିଚାରି ପଦ ପଢ଼ିଛନ୍ତି କି ନାହିଁ, ତାଙ୍କ ଆଖିରୁ ଝରଣା ପରି ଲୁହଧାର ବୋହୁଥାଏ । ମୋତିଠାରୁ ଏତକ ଖବର ପାଇ ବିମଳା ଦେବୀ ଆହୁରି ବିସ୍ମିତ ହୋଇପଡ଼ିଲେ । ଏବଂ ମୋତିକୁ କହିଲେ ତୁ ମତେ ଏ ଘଟଣା ଆଗରୁ କହିଲୁ ନାହିଁ କାହିଁକି ? ହଁ, ମା, ମୁଁ କହିଦେଇ ଥାଆନ୍ତି ଯେ- ସାନ ମା, ମତେ ତାଙ୍କ ଶୋଇବା ଘରକୁ ଡାକିନେଇ ମନା କରିଦେଲେ ପରା ?

 

ଆଚ୍ଛା ମୋତି ! ସରୋଜିନୀ ସେ ଚିଠିଖଣ୍ଡିକ କୋଉଠି ରଖିଚି କହିପାରିବୁ ? ହଁ- ତାଙ୍କ ବାକ୍ସରେ ରଖିବାର ମୁଁ ଦେଖିଚି ।

 

ସେତେବେଳକୁ ବହୁତ ରାତି ହୋଇଯାଇଥିଲା । ଶୋଇବା ଲାଗି ସମସ୍ତଙ୍କୁ ବିମଳା ଦେବୀ କହିଲେ, ମାତ୍ର ନିଦ ତାଙ୍କ ନିଜ ଆଖିକୁ ସ୍ପର୍ଶ କରିପାରିଲା ନାହିଁ । ବିଛଣାରେ ପଡ଼ି ଗୁରେଇ ତୁରେଇ ହେଉଥାଆନ୍ତି, ଯେତେ ଭାବିଲେ ସୁଦ୍ଧା କଥାଟାର କୂଳ କିନାରା କିଛିହେଲେ ପାଇପାରନ୍ତି ନାହିଁ । ମନର ଅସ୍ଥିରତାକୁ ସମ୍ଭାଳି ନପାରି ବିମଳା ଦେବୀ ସରୋଜିନୀର ବାକ୍ସରୁ ଚିଠି କେତେଖଣ୍ଡ ଖୋଜି ବାହାର କଲେ । ଦୀର୍ଘ ୧୦/୧୨ ପୃଷ୍ଠା ଲେଖାହୋଇଥିବା ଶଶିର ଚିଠିଖଣ୍ଡି ପ୍ରଥମେ ତାଙ୍କ ହାତରେ ପଡ଼ିଲା । ବିମଳା ଦେବୀ ଗୋଟିଏ ନିଶ୍ୱାସରେ ଚିଠିଖଣ୍ଡିକ ପଢ଼ିଦେବାପରେ ସରୋଜିନୀ ପ୍ରତି ତାଙ୍କର ସ୍ନେହଶ୍ରଦ୍ଧା ଦୟା ଯେପରି ଶହେଗୁଣରେ ବଢ଼ିଗଲା । ସେ ସରୋଜିନୀ ପାଖକୁ ସାଙ୍ଗେ ସାଙ୍ଗେ ଦୌଡ଼ିଯାଇ ତାକୁ କୋଳାଗ୍ରତ କରି ଘଣ୍ଟାଏ ଯାଏଁ ଛୁଆଙ୍କ ପରି କଇଁକଇଁ ହୋଇ କାନ୍ଦୁଥାଆନ୍ତି ।

 

ବଳରାମବାବୁଙ୍କଠାରୁ ବିଦାୟ ନେବା ଦିନଠାରୁ ତ ସରୋଜିନୀର ଆଖିକି ନିଦ ନାହିଁ, ଅଜିବା ଆସିବ କୁଆଡ଼ୁ ? ବିମଳା ଦେବୀଙ୍କର ସମସ୍ତ ଅଭିନୟ ସରୋଜିନୀ ଆଦ୍ୟରୁ ପ୍ରାନ୍ତ ଯାଏ ଜାଣିପାରିଛି, ତେଣୁ ସେ ବିମଳା ଦେବୀଙ୍କ ଦୁଃଖରେ ବିଶେଷ ଆଶ୍ଚର୍ଯ୍ୟ ହେଲା ନାହିଁ ।

 

ବିମଳା ଦେବୀ ଶଶି ଚିଠିର କରୁଣ ବର୍ଣ୍ଣନାଗୁଡିକୁ ଯେତିକି ଯେତିକି ଭାବୁଥାଆନ୍ତି- ତାଙ୍କର ମାତୃହୃଦୟ ସେତିକି ସେତିକି ତରଳି ଆସୁଥାଏ । ଶଶି ପିଲାଦିନ ଘଟଣାରୁ ଆରମ୍ଭ କରି ଆଜିଯାଏଁ ସମସ୍ତ ବିଷୟକୁ ରୂପ ଦେଇ ଲେଖିଛି– ସରୋଜିନୀ ଜୀବନ ପଥର ସୁଦୀର୍ଘ ମରୁଭୂମିରେ ଚାଲି ଚାଲି ପାଦ ଥକି ଯିବାପରେ ଝରଣା ଝର୍ଝରିତ ସୁଶ୍ୟାମଳ ଶଶ୍ୟପୂର୍ଣ୍ଣ ପ୍ରାନ୍ତର ଆଖି ଆଗରେ ଦେଖି ଛାତି ଭିତରଟା ଉଲ୍ଲାସରେ ନାଚି ଉଠୁଥିଲା । ମାତ୍ର କିଏ କିପରି ଜାଣିବ ଏହା ଗୋଟିଏ ମରିଚିକାର ଭ୍ରମ ବୋଲି । ଆମେ କ’ଣ ତାହାହେଲେ ନାଟକୀୟ ଅଭିନୟଟିକୁ ସତ ବୋଲି ଧରି ନେଇଥିଲେ ! ନା ନା ତା ନୁହେଁ ତ ! ତୋ ସୁଖରେ ମୁଁ ଶାନ୍ତି ଅନୁଭବ କରେ ଏହା ଆଜିର କଥା ନୁହେଁ, ଯେଉଁଦିନ ଆତ୍ମଗୋପନ କରି ଉତ୍ତରମୁହାଁ ହୋଇ ଚାଲି ଯାଇଥିଲେ ସେ ଦିନୁ କିମ୍ୱା ଆହୁରି ତା ଆଗରୁ । ତୁ ତ ଅତି ସରଳ ଆଉ ଶାନ୍ତ – ବଳରାମବାବୁ ଭୁଲଟାଏ କରିଦେଲେ ବୋଲି ତାଙ୍କ ପ୍ରତି ଏଡ଼େ ନିଷ୍ଠୁର ହୋଇଗଲୁ କାହିଁକି ? ଭୁଲର କ’ଣ ସଂଶୋଧନ ହୋଇ ପାରନ୍ତା ନାହିଁ । ଭୁଲକୁ ଠିକ୍ କରିବା ଏ ତ ନୂଆ କଥା ନୁହେଁ ! ହଁ ଏ ବି ଗୋଟିଏ କଥା ଯାହା ପାଖରେ ସ୍ନେହ ମମତା ଯେତେ ଅଧିକ ଥାଏ, ମାନ ଅଭିମାନ ମଧ୍ୟ ପରିମାଣ ଅନୁଯାୟୀ ବେଶି ରହିବା ସ୍ୱାଭାବିକ ହୋଇପଡ଼େ । ମତେ ଆଶ୍ଚର୍ଯ୍ୟ ଲାଗୁଚି ଯେଉଁ, ବଳରାମବାବୁଙ୍କ ରୂପ ବର୍ଣ୍ଣନା କରି କରି ନିଜେ ତ ସାରା ରାତି ଅନିଦ୍ରା ହେଉ, ମତେ ସୁଦ୍ଧା ଟିକିଏ ଶୁଆଇ ଦେଉନି । ସେହି ବଳରାମ ବାବୁଙ୍କୁ ହାତ ମୁଠାରେ ପାଇ ଚଉଠି ରାତିଟାରେ ଯେଉଁ କାଣ୍ଡ କରିଦେଲୁ ଏପରି କେହି କେବେ କରିବା ଦେଖାନାହିଁ । ତୋ ଘଟଣାରୁ ମୁଁ ସ୍ପଷ୍ଟ ବୁଝୁଛି ଆମମାନଙ୍କର ସାଂସାରିକ ଜୀବନ ପ୍ରତି ଭଗବାନଙ୍କର ଅଭିଶାପ ରହିଛି । ତା ନୋହିଲେ ଦେଖୁନୁ- ବିରଜା ବାବୁଟି ବିଚରା ବାବାଜୀ ସାଜି ବୁଲୁଛନ୍ତି । ବଇ ଭାଇ ତ ବିଭା ଘରର ନାଁ ଗାଁ କିଛି ହେଲେ ଧରୁନାହାନ୍ତି, ସେ କେବଳ ତୁମ ଦୁଇଜଣର କଥା ଚିନ୍ତା କରି କରି ବାତୁଳ ହୋଇ ଗଲେଣି । ତୁମେ ଦୁହେଁ ତ ଖାଇବା ପତ୍ରରୁ ଉଠି ଚାଲିଗଲ । ଆଉ ମୋ କଥା କିଏ ବା ପଚାରୁଛି । ବିରିମାଡ଼ ଦେଖି କୋଳଥ ପଡିଆରେ ଉଠିବା ପରି ମୋର ଅବସ୍ଥା ହୋଇଗଲାଣି । ସତେ ସରୋଜିନୀ ଆମେମାନେ କ’ଣ ଚିରଦିନ ଏପରି ରହିଥିବା ! ତୋ’ର ସଫା ମନେଥିବ ତୁ ମୋତେ ବହୁତବାର କହିଚୁ, ‘‘ବଳରାମବାବୁଙ୍କ ବିନା ବଞ୍ଚିପାରିବୁ ନାହିଁ ବୋଲି ।’’ ମୁଁ ବରଂ ତୋ ମନରୁ ଦୁର୍ବଳତା ଦୂର କରିବା ଦୃଷ୍ଟିରୁ କହିଥାଏ ‘‘ଜଣେ ଅନ୍ୟ ଜଣକ ବିନା ମରି ଯିବାର କୌଣସି ଅର୍ଥ ନାହିଁ । ତୁ ସେଇ ସରୋଜିନୀଟି ? ବଳରାମ ବାବୁଙ୍କ ସାଙ୍ଗରେ ଏତେ ଗୁଡ଼ାଏ ଅନର୍ଥ ଭିଆଇଲୁ କାହିଁକି ? ରାତିରେ ତୁ ପରା ସବୁଦିନେ ତାଙ୍କୁ ସ୍ୱପ୍ନ ଦେଖୁ ? ଏତେ ଶୀଘ୍ର ବଦଳି ଗଲୁ କିପରି ? ଯାହା ହେଉ ତୋର ଶେଷ ନିଷ୍ପତ୍ତି କ’ଣ ମତେ ଜଣେଇବୁ । ତୋ ପାଖକୁ ଯିବି ବୋଲି ଏ ପର୍ଯ୍ୟନ୍ତ ସ୍ଥିର କରିଥିଲି ମାତ୍ର ଭାରି ଅସୁବିଧା ଜୁଟିଲା, ଯାଇ ପାରୁନି । ବିରଜା ବାବୁ ମଝିରେ ମଝିରେ କାହିଁକି ପ୍ରାୟ ସବୁବେଳେ ଆମ ଘର ଆଡ଼େ ଆସୁଛନ୍ତି ।

 

ବଇଭାଇଙ୍କ ଚିଠି ପାଇଥିବୁ । ସେ ବଳରାମ ବାବୁଙ୍କ ପାଖକୁ ଯିବେ ବୋଲି ବାହାରିଛନ୍ତି । ତୁ ବଳରାମ ବାବୁଙ୍କଠାରୁ ଚିଠିପତ୍ର ପାଉଛି କି ନାହିଁ ଜାଣି ପାରୁନି । ସେ ହୃଷିକେଶରେ ଅଛନ୍ତି । ସ୍ୱାଧୀନତା ଆନ୍ଦୋଳନ ବେଳର ତାଙ୍କର ଜଣେ ଜେଲ ପରିଚିତ ବାବାଜୀ କୁଆଡ଼େ ସେଠାରେ ଆଶ୍ରମ କରି ରହିଛନ୍ତି ସେ ଭାରି ଭଲ ମଣିଷ ବୋଲି ବଇଭାଇ କହୁଥିଲେ । ତା ଛଡ଼ା ବଳରାମ ବାବୁ ତ ପ୍ରତି ଚିଠିରେ ଆଶ୍ରମ ଆଉ ସାଧୁ ବାବାଙ୍କର ଖୁବ୍ ପ୍ରଶଂସା କରି ଲେଖୁଛନ୍ତି । ଏତେ ଘଟଣା ଘଟିବା ପରେ ମଧ୍ୟ ତାଙ୍କର ସେଇ ଥଟ୍ଟାଳିଆ ସ୍ୱଭାବ ଛାଡ଼ି ଯାଇନି । ମୋ ପାଖକୁ ଲେଖିଚନ୍ତି, ‘‘ସ୍ନେହର ଶଶି । ମୁଁ ଆଶ୍ରମରେ ବାବାଜୀ ହୋଇ ଗଲିଣି । ଏ ଖବରଟା ତୁମ୍ଭର ଚିରସଙ୍ଗୀ ସରୋଜିନୀ, ଦେବୀଙ୍କୁ ଦୟାକରି ଜଣେଇ ଦେବ ।’’ କିନ୍ତୁ ସରୋଜିନୀ ତତେ ଛାଡ଼ି ସେ ବାବାଜୀ ହେବେ ଏ କଥା ମୋର ବିଶ୍ୱାସ ନୁହେଁ । ମୁଁ ତାଙ୍କ ପାଖକୁ ଲେଖିଚି– ତୁମେ ତ ବାବାଜୀ ହେବ, ଆଉ ବାବାଜୀ ହେବା ଲୋକ କୁଆଡ଼େ ଯିବେ ? ହଉ ତୁମେ ବାବାଜୀ ହେଲେ ମୋ ସାଙ୍ଗ ମାତା ବେଶ ସାଜି ପାରିବେ ଯେ– !!

 

ଶଶିର ଚିଠି ଖଣ୍ଡ ଏତେ ଦୀର୍ଘ ଯେ– ତା ଅବିକଳ ନକଲ କଲେ ଉପନ୍ୟାସଟିର ଅନେକ ପୃଷ୍ଠା ନକଲ କରି ବସିବ । ଏହା ଚିଠିଟିର ସାମାନ୍ୟ ସୂଚନା ମାତ୍ର ।

 

ବିମଳା ଦେବୀ ସାଙ୍ଗେ ସାଙ୍ଗେ ଶଶିପାଖକୁ ଖଣ୍ଡିଏ ଚିଠି ଲେଖିଲେ । ସ୍ନେହର ଶଶି । ବସିଲାଠାରୁ ଯଦି ଉଠିଆସିବୁ ତେବେ ମତେ ଦେଖି ପାରିବୁ ଅବା । ଆଜି ଏଇ ରୋଗ ଶଯ୍ୟାରେ ଛାତିରୁ ଖାଲି କୋହ ଉଠୁଚି । ବାଲ୍ୟ ବୈଧବ୍ୟ ଭୋଗ କରି ‘‘ବସୁଧୈବ କୁଟୁମ୍ବକଂ’’ ନୀତିରେ ମୁଁ ମୋର ଚାଲିଥିଲି । ବ୍ୟକ୍ତିଗତ ମାୟା ମମତା ମତେ ବଶୀଭୂତ କରି ପାରି ନଥିଲା । ତୁମେମାନେ କେତୋଟି ଦିନ ପାଇଁ ଆସି ମତେ ଏପରି ମାୟାରେ କାହିଁକି ବାନ୍ଧିଲ । ଏଥିରେ ଈଶ୍ୱରଙ୍କ ଇଚ୍ଛା କ’ଣ, କିଛି ହେଲେ ଭାବିପାରୁନି । କେବଳ ଛାତିରୁ କୋହ ଉଠୁଚି । ଯେଉଁ କେତୋଟି ଦିନ ତୁମମାନଙ୍କଠାରୁ ‘‘ମା’’ ଡାକ ଶୁଣିଥିଲି ସେ ଦିନଗୁଡ଼ିକ ସ୍ମରଣ ହେଲେ ମୋର କଠିନ ନିଜତ୍ୱକୁ ପଙ୍ଗୁ କରିଦେଇ କଲବଲ କରି ଦେଉଚି । ଆଜି ମୁଁ ବୁଝୁଚି ପୁତ୍ର କନ୍ୟାମାନଙ୍କ ପାଇଁ ବାପା, ମା, କାହିଁକି ଅଶେଷ ଯାତନା ବରଣ କରି ସୁଦ୍ଧା ଶାନ୍ତି ପାଇ ଥାଆନ୍ତି । ବେଶି ଲେଖି ପାରୁନି । ମତେ ‘‘ମା’’ ବୋଲି ଡାକିବାରେ ତୁମମାନଙ୍କର କେତେ ଦୂର ଆନ୍ତରିକତା ଥିଲା ତା’ର ପରୀକ୍ଷା ଆଗରୁ ହୋଇଯାଇଚି ସତ, ତଥାପି ଏହା ଶେଷ ପରୀକ୍ଷା ବେଳ । ବଇ ଓ ବିରଜାବାବୁ ଏ ଚିଠି ଖଣ୍ଡି ଦେଖାଇବୁ ଓ ସେ ଦୁହିଁଙ୍କୁ ସାଙ୍ଗରେ ଧରି ସାଙ୍ଗେ ସାଙ୍ଗେ ଆସିବୁ ।

 

ଶଶି ଚିଠିରୁ ବିମଳା ଦେବୀ ଯାହା ସବୁ ଜାଣିଲେ ସେଥିରୁ ସେ ବୁଝି ପାରିଲେ ଯେ– ବଳରାମବାବୁଙ୍କ ସହିତ ସରୋଜିନୀର ମନାନ୍ତର ଘଟିଥିବାରୁ ଏତେ କାଣ୍ଡ କାରଖାନା ହୋଇଯାଇଛି । ତା ପରେ ମନାନ୍ତରରେ କାରଣ କ’ଣ ସେତକ ଜାଣିବା ଲାଗି ସେ ବ୍ୟଗ୍ର ହେଲେ । ଏ ସମ୍ପର୍କରେ ଅନ୍ୟ ଚିଠିପତ୍ର ଥାଇପାରେ– ଅନୁମାନ କରି ବିମଳା ଦେବୀ ଚାରିଆଡ଼ ଖୋଜାଖୋଜି କରୁଥାଆନ୍ତି । ଟ୍ରଙ୍କ, ବାକ୍ସ ଯେତେ ଯାହା ଖୋଜିଲେ ପୂର୍ବର ଚିଠିଗୁଡାକ ମିଳିଲା ସିନା ନୂଆ କିଛି ମିଳିଲା ନାହିଁ ।

 

ସେ ଦିନ ହରିପୁର ଗୃହଲକ୍ଷ୍ମୀ ସମବାୟ ସମିତିର ସାଧାରଣ ଅଧିବେଶନରେ ସଭାନେତ୍ରୀ କରିବା ପାଇଁ ସରୋଜିନୀ ଚାଲି ଯାଇଥାଏ । ଏଇ ଅବସରରେ ବିମଳା ଦେଈ ସରୋଜିନୀର ଶୋଇବା ଘର ତମାମ ଖୋଜାଖୋଜି କରିଗଲେ । ମାତ୍ର କିଛି ହେଲେ ପାଇଲେ ନାହିଁ । ଶେଷକୁ ସ୍ଥିର କରିନେଲେ ଯେ– ମନାନ୍ତର ଘଟିବା ଦିନୁ ବୋଧହୁଏ ଚିଠିପତ୍ର ଦେବା ନେବା ବନ୍ଦ କରିଛନ୍ତି । ଆଚ୍ଛା କଥା ହେଲା !! ଏଡ଼େ ଭଲ ପିଲାଗୁଡାକ ଆପଣା ଆପଣା ଭିତରେ ଏମିତି କ’ଣ ହେଲେ ମ ! ସେମାନଙ୍କୁ ମିଳାମିଶା କରେଇବା ମୋର ନିତାନ୍ତ କର୍ତ୍ତବ୍ୟ । ସେତକ ନ କଲେ ଆଉ କରିବ କିଏ ? ଗାନ୍ଧି କହିଛନ୍ତି ସାରା ଦେଶ ଗୋଟିଏ ପରିବାର । ତା ଛଡ଼ା ସେମାନଙ୍କର ମୋ ପ୍ରତି ଯେଉଁ ସ୍ନେହ ଭକ୍ତି ମମତା, ଏପରିକି ଅଧିକାର ପର୍ଯ୍ୟନ୍ତ ରହିଛି, ସେଥିରେ ମୁଁ ନୀରବ ହେବି ବା କିପରି ?

 

ବଳରାମବାବୁଙ୍କ ପାଖକୁ ଯିବା ପୂର୍ବରୁ ଶଶିପାଖକୁ ଯାଇ ସମସ୍ତ ଘଟଣାଟା ବୁଝିବେ ଏହା ସ୍ଥିର କରି ବିମଳା ଦେବୀ ସରୋଜିନୀର ଆସିବାକୁ ଅପେକ୍ଷା କରି ରହି ଥାଆନ୍ତି ।

 

ବିମଳା ଦେବୀ ମନେ ମନେ କେତେ କଥା ଭାବିବା ଭିତରେ ଏଥର ସରୋଜିନୀ ଆସିବା ଦିନଠାରୁ କିପରି ବିଷର୍ଣ୍ଣ ଦେଖାଯାଉଛି, ଲୁଗାପଟା ମୁଣ୍ଡଦେହ କାହା ଉପରେ ଆସ୍ଥା ରଖୁନାହିଁ– ଏହିସବୁ ସେ ନିଜେ ଅନୁଭବ କରୁଥିଲେ ସୁଦ୍ଧା କଥାଟାକୁ ଅନ୍ୟ ବାଟରେ ବିଚାର କରି ନେଉଥିଲେ । କିନ୍ତୁ ଏତେ ରହସ୍ୟ ୟା ଭିତରେ ରହିଛି ସେ ବା ଜାଣିବେ କିପରି ?

 

ବିମଳା ଦେବୀଙ୍କ କହିବା ପ୍ରକାରେ ମୋତି ସରୋଜିନୀର ବିଛଣାଗୁଡ଼ିକ ଖରା ଦେବା ପାଇଁ ନେଉ ନେଉ ତା ଭିତରୁ ପୁଳାଏ ଖଣ୍ଡେ ଲଫାପା ତଳକୁ ଖସିପଡ଼ିଲା । ମୋତିର ନଜର ଚିଠିଗୁଡ଼ିକ ଉପରେ ନ ପଡ଼ୁଣୁ ବିମଳା ଦେବୀ ତାକୁ ସବୁ ଗୋଟାଇ ନେଇଗଲେ ଏବଂ ହଠାତ୍ ବୁଝିପାରିଲେ ଯେ ଏଗୁଡ଼ିକ ବଳରାମବାବୁଙ୍କ ଚିଠି ! ବଳରାମବାବୁ ସରୋଜିନୀ ପାଖକୁ ଦେଇଥିବା ଚିଠିଗୁଡ଼ିକ ବିମଳା ଦେବୀ ପଢ଼ିବା ପକ୍ଷପାତୀ ନୁହନ୍ତି । ଏଥିଲାଗି ଦଣ୍ଡେ ଚିନ୍ତିତ ହେଲେ, ତଥାପି ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ସେ ବାଧ୍ୟ ହୋଇ ଖଣ୍ଡିଏ ଚିଠି ପଢ଼ୁ ପଢ଼ୁ ସମସ୍ତ ଘଟଣା ବୁଝିପାରିଲେ ଆଉ ବେଶି ଚିଠି ପଢ଼ିବା ଆବଶ୍ୟକ ପଡ଼ିଲା ନାହିଁ ।

 

ହୃଷିକେଶ ଆଶ୍ରମରେ ପହଞ୍ଚୁ ପହଞ୍ଚୁ ବୋଧହୁଏ ବଳରାମ ବାବୁ ଲେଖିଛନ୍ତି–

 

ସରୋଜିନୀ ତୁମ ପାଖକୁ ସ୍ନେହ ସମ୍ବୋଧନ କରିବା ମୋ ପକ୍ଷରେ ଧୃଷ୍ଟତା ହୋଇପାରେ– ମତେ ସେଥିରୁ ଯେତେବେଳେ ବଞ୍ଚିତ କରିଚି, ମୁଁ କାହିଁକି ଅନଧିକାର ଚର୍ଚ୍ଚା କରିବି-। ଚିଠି ଲେଖିବାକୁ ମୋର ଭାଷା ନାହିଁ । ମୁଁ ତୁମକୁ ଯେତେଦୂର ଭଲପାଏ, ତାହାର ସଫେଇ ମୋ ଆଡ଼ୁ ଦେବି ବା କାହିଁକି ! ଭଲପାଇବାର ଏ କ’ଣ ପୁରସ୍କାର । ମୁଁ ଯାହା ସବୁ କରିଥିଲି ସେଥିରେ ମୋ ତୃପ୍ତି ଲାଗି କିଛି ନଥିଲା । କେବଳ ତୁମକୁ ସନ୍ତୋଷ କରିବା ପାଇଁ ଯାହା କିଛି.....ଫଳଟା ଓଲଟା ଫଳିବ ଏହାର ଟିକିଏ ଆଭାସ ପାଇଥିଲେ, ମୁଁ ସେଥିରେ ଦୃଷ୍ଟିପାତ ପର୍ଯ୍ୟନ୍ତ କରି ନଥାନ୍ତି । ତୁମେ ଯାହା କହ ପଛକେ ସାରା ଜୀବନଟା ତୁମର ସ୍ମୃତି ହିଁ ମୋର ସମ୍ବଳ-। କେବଳ ସେହି ମଧୁର ସ୍ମୃତି ଆତ୍ମହତ୍ୟା ଚେଷ୍ଟାକୁ ବିଫଳ କରିଦେଇଛି । ଛାତିରୁ କୋହ ଉଠୁଛି । ସରୋଜିନୀ !

 

ମୋ ପାପର କ’ଣ ପ୍ରାୟଶ୍ଚିତ ନାହିଁ ? ଜଣେ ପରିଜନ ଭାବରେ ମୁଁ କ’ଣ ତୁମ ପାଖରେ ସ୍ଥାନ ପାଇ ପାରିବି ନି ? ତୁମର ସାକ୍ଷାତ ବିନା ମୋର ସ୍ଥିତି କିଭଳି ଦୁର୍ବିସହ ତାହା ବା କ’ଣ ଲେଖିବି । ତୁମ ହସ ହସ ମୁହଁଟିକୁ ସ୍ମରଣ କରି ଜେଲର ସେଲରେ ଆବଦ୍ଧ ଓ କଠୋର ବେତ୍ରାଘାତ ସୁଦ୍ଧା ମତେ ବିବ୍ରତ କରିପାରି ନଥିଲା । ପୂର୍ବ ସ୍ନେହରୁ କଣିକାଏ ସ୍ମରଣ କରି ଯଦି କହ ତେବେ ଯାଇ ସାକ୍ଷାତ କରିବି । ଜେଲରେ ଯେଉଁଦିନ ଚିଠି ପାଇଲି ତୁମେ- ଆତ୍ମଗୋପନ କରି ରହିଚ ସେଦିନ ମୋର ମୁହଁକୁ ଦେଖି କିଏ କେତେପ୍ରକାର ଆନନ୍ଦ, ଗୌରବ, ଦୃଢ଼ତା ଆଦିର ଆଭାସ ପାଇଥିବା ବ୍ୟକ୍ତ କରିଛନ୍ତି । ତୁମଠାରୁ ମୁଁ ଯଥେଷ୍ଟ ଶିକ୍ଷା ପାଇଲି ଏବେ ମତେ କ୍ଷମା ଦେବନି ସରୋଜିନୀ..

 

ବଳରାମବାବୁଙ୍କ ଚିଠିରୁ ବିମଳା ଦେବୀ ଯାହା ଜାଣିଲେ ସେଥିରେ ତାଙ୍କର ଆଉ କିଛି ସନ୍ଦେହ ରହିଲା ନାହିଁ । ସେ ଏହାର କିପରି ସମାଧାନ କରିବେ ତାହା ଚିନ୍ତା କରିବାକୁ ଲାଗିଲେ ।

 

ସୂର୍ଯ୍ୟ ଅସ୍ତ ହେବାକୁ ବସିଲେଣି । ଡେଙ୍ଗା ଗଛଗୁଡ଼ିକର ଶେଷ ଭାଗରେ ଟିକିଏ ଟିକିଏ ଡାହାଣିଆ ଖରା ପଡ଼ିବା ବ୍ୟତୀତ ଚାରିଆଡ଼ ଛାଇ ହୋଇଗଲାଣି । ସାନ୍ଧ୍ୟ ସମୀରଣ ପ୍ରବାହରେ ବଗିଚାର ଫୁଲଗୁଡ଼ିକ ଦୋଳି ଖେଳିବା ପରି ହେଉଥାଆନ୍ତି । ଆଶ୍ରମ ବଗିଚାରେ ସରୋଜିନୀ ପାଣି ଦେଉଥାଏ । ବିମଳା ଦେବୀ ଚାଲବୁଲ ହୋଇ ସରୋଜିନୀ ପାଖରେ ଠିଆ ହେଲେ । ସେତେବେଳକୁ ସରୋଜିନୀ ବେଶ୍ ଜାଣିପାରିଲାଣି ଯେ– କୌଣସି ଗୋଟାଏ କାମରେ ‘‘ମା’’ ତା ପାଖକୁ ଆସିଛନ୍ତି । ସରୋଜିନୀର ପିଠି ଉପରେ ହାତ ବୁଲାଇ ବୁଲାଇ ବିମଳା ଦେବୀ ବାତ୍ସଲ୍ୟଭରା କଣ୍ଠରେ କହିଲେ ସରୋଜିନୀ– ମୁଁ ଯଦି ତୋର ମା’ ହୋଇ ଥାଆନ୍ତି ତୁ କ’ଣ ମତେ ଏତେଗୁଡ଼ାଏ କଥା ଲୁଚାଇ ରଖିଥାଆନ୍ତୁ ? ମୁଁ ତ ପର ମଣିଷଟେ, ତେଣୁ କାହିଁକି ବା କହିବୁ ?

 

ସରୋଜିନୀ ବେଶ୍ ବୁଝିପାରିଲା ଯେ– ବିମଳା ଦେବୀ କୌଣସି ପ୍ରକାରେ ତା ସମ୍ପର୍କୀୟ ଘଟଣାମାନ ଜାଣିପାରିଛନ୍ତି । ସେ କଥା ଉପରେ ବିଶେଷ ଗୁରୁତ୍ୱ ନ ଦେଲାପରି କହିଲା– ନାଇଁ ମ, ‘ମା’ ଏଥିରେ କହିବାର କ’ଣ ଥିଲା ? ମଣିଷ ଏକୁଟିଆ ହୋଇ ସଂସାରକୁ ଆସିଚି । କେତୋଟି ବର୍ଷ ପରେ ସେଇ ଏକୁଟିଆ ହିଁ ଚାଲିଯିବ । ମଝିରେ ସାଙ୍ଗ ସାଥୀ ଜୁଟନ୍ତି । କିଏ ବା ଅଧାରେ ଚାଲିଗଲା, ଏ ଗୋଟାଏ ବଡ଼ କଥା କ’ଣ ଯେ– ତୁମକୁ କହିଥାଆନ୍ତି । ବଳରାମବାବୁ କଂଗ୍ରେସ ଆନ୍ଦୋଳନ ବେଳେ ଆମ ଅଞ୍ଚଳରେ ଖୁବ୍ କାମ କରିଥିଲେ । ତାଙ୍କ କାମ ଦେଖି ଆମେମାନେ ତାଙ୍କୁ ଭାରି ଭଲ ପାଉଥିଲୁ । ସେ ଭାରି ନିଷ୍ଠାପର ଥିଲେ ।

 

ତାପରେ ବନ୍ଧା ହୋଇ ଜେଲକୁ ଗଲେ । ଯାହା ଯାହା ହେଲା ସବୁ ତ ଜାଣିଚ । ମୁଁ ତାଙ୍କୁ ଯେଉଁଥିପାଇଁ ଭଲ ପାଇଥିଲି, ସେତକ ସେ ଯେତେବେଳେ ହରେଇଲେ, ସେତେବେଳେ କୃତ୍ରିମ ଭଲ ପାଇବାଟାକୁ ମୁଁ ପସନ୍ଦ କଲି ନାହିଁ, ଏଇତ ଘଟଣା । ବିମଳା ଦେବୀ ‘ମା’ ଅଧିକାରରେ ତିଆରିଲା ପରି କହିଲେ, ହଉ ହଉ ବନ୍ଦ କର । ତୁମେ ସବୁ ପାଠ ପଢ଼ୁଆ ଝିଅନା, ତୁମମାନଙ୍କ ଦୃଷ୍ଟିରେ କୌଣସି କଥା ହେଲେ ବଡ଼ ନୁହେଁ । ଆଚ୍ଛା କହିଲୁ ଏହାଠାରୁ ବଳି ଆଉ ବଡ଼ ଘଟଣା କ’ଣ ଘଟିପାରେ ? ବିଭାଘର ହେବାର ମାସଟେ ନ ହେଉ ଏତେଗୁଡ଼ାଏ କାଣ୍ଡ ଭିଆଇ ଦେଇ ବସିଲୁ ? କଥାରେ କହନ୍ତି ସଂସାରରେ ଘରଦ୍ୱାର କରି ରହିବାକୁ ହେଲେ କେତେ ମାନ, ଅପମାନ, ଦୁଃଖ, କଷ୍ଟ ସବୁ ପିଠିରେ ବୋହିବାକୁ ହୋଇଥାଏ । ହେଲା ତୁମ ଦୁଇଜଣଙ୍କର ନୀତିଗତ ବିଭ୍ରାଟ ଘଟିଲେ ସୁଦ୍ଧା ସେଇଟା କ’ଣ ନିଜ ନିଜ ମଧ୍ୟରେ ଭଲ ବୁଝାସମଝା ଦ୍ୱାରା ମେଣ୍ଟି ଯାଇ ପାରନ୍ତା ନାହିଁ ? ବଳରାମବାବୁତ ଅତି ଶାନ୍ତଶିଷ୍ଟ ସ୍ୱଭାବର ପିଲା ।

 

ମା–ତୁମେ ମତେ ଯାହା କହ ପଛେ ମୁଁ ଯେଉଥିଲାଗି ତାଙ୍କୁ ଏତେ ଭଲ ପାଇଥିଲି ସେତକ ହରେଇ ଦେବା ପରେ ମତେ ଭାରି ଖରାପ ଲାଗିଲା । ତାଙ୍କର ହଜାର ଅନୁରୋଧ ମୋ ପାଖରେ ପାଣି ଫାଟିଗଲା । ମୁଁ ସେତେବେଳେ ମନକୁ ଆୟତ୍ତ କରିପାରିଲି ନାହିଁ । କାହିଁକି ମ କଥା ଏତେଦୂର ଉଠିଲା କାହିଁକି ? ତୁ’ତ ଖବର କାଗଜ ପଢ଼ୁଛୁ । ତତେ କ’ଣ ଅଜଣା ଅଛି ? ଆମ ଦେଶରେ ଖୁବ୍ ବଡ଼ ବଡ଼ ନେତାମାନଙ୍କର ବି ଏପରି ହୋଇଛି । ସ୍ୱାମୀ ଗୋଟିଏ ଅନୁଷ୍ଠାନରେ ତ ସ୍ତ୍ରୀ ଆଉ ଗୋଟିଏ ଦଳରେ ରହୁଛନ୍ତି । ତୁମେ ତାହାହିଁ କରିଥାଆନ୍ତ ।

 

କିନ୍ତୁ ମୋର ବିଶ୍ୱାସ ଯେଉଁମାନଙ୍କର ଏପରି ଘଟିଥିବ, ସେମାନେ ସ୍ୱାର୍ଥର ବଶବର୍ତ୍ତୀ ହୋଇ କେବେହେଲେ ତା’ କରି ନଥିବେ ! କିନ୍ତୁ ସେ ଯେ– ସମ୍ପୂର୍ଣ୍ଣ ସ୍ୱାର୍ଥ ଆଶାରେ.... କହୁ କହୁ ସରୋଜିନୀର ଆଖିରୁ ଦୁଇଧାର ଲୁହ ଗଡ଼ିଆସିଲା । ବିମଳା ଦେବୀ ତାକୁ ଛୋଟ ପିଲାଟି ଭଳି କୋଳ ଭିତରକୁ ଟାଣି ଆଣି ନିଜର ଖଦଡ଼ଲୁଗା କାନିରେ ଲୁହ ପୋଛି ଦେଲେ ଏବଂ ଅନେକ ଆଡ଼ୁ ଅନେକ ପ୍ରକାର ଦୃଷ୍ଟାନ୍ତ ଦେଇ ବୁଝାଇବାକୁ ଲାଗିଲେ ।

 

ବିମଳା ଦେବୀ କହିଲେ ଅତି ଭଲପାଇବା ଯେଉଁଠାରେ ଥାଏ ସେଠାରେ ସାମାନ୍ୟ ସାମାନ୍ୟ ଘଟଣାରେ ବି ମନ ଟିକିଏ ଗୋଳମାଳିଆ ଧରେ । ଏହା ସବୁ ଯୁଗରେ ଘଟିଛି । ତୁ ଆସିବା ଦିନରୁ ଯାହା ମତେ ଏ ଖବର ନ ଦେଲୁ ?

 

କାହିଁକି ତୁମକୁ ଏ କଥାଗୁଡ଼ାକ କହନ୍ତି– କହିଥିଲେ ଏବେ ଯେପରି କଥା ଶୁଣୁ ଶୁଣୁ ମୁହଁ କଳା ପଡ଼ିଗଲାଣି ତାହାହିଁ ଆଗରୁ ହୋଇଥାଆନ୍ତା । ସେଇଥିଲାଗି ମୁଁ ଜାଣିଶୁଣି କହି ନ ଥିଲି-

 

ବିମଳା ଦେବୀ କିଛି କ୍ଷଣ ନୀରବ ରହିବା ପରେ ଆଖି ଛଳ ଛଳ କରି ଦୀର୍ଘ ନିଶ୍ୱାସଟାଏ ପକାଇ କହିଲେ– ହଁ ମଣିଷର ବିଚାରକୁ ଦଇବ ବିଚାର ବହୁତ ଛାଡ଼େ । ଯେଉଁଦିନ ପ୍ରଥମ କରି ଗାଡ଼ି ଭିତରେ ତୁମ ଦୁହିଁଙ୍କି ଦେଖିଲି ଭାବିଥିଲି ଭିନ୍ନ ପ୍ରକାର ମୁସାଫେରିଖାନାରେ ସେ ଧାରଣା ବଦଳିଗଲା । ମନେ ମନେ ଆହୁରି କେତେ କଳ୍ପନା ଜଳ୍ପନା କରି ବସିଲି ।

 

ସେ ବି କୁଆଡ଼େ ଉଭେଇଗଲା । ଶେଷରେ ଦମ୍ଭ ଆସିଲା ଯାହା ହେଉ ଗୋଟିଏ ରାହାତ ମିଳିଲା, କିନ୍ତୁ ମୁଁ ଅଭାଗୀ ଯେଉଁ ଡାଳକୁ ହାତ ବଢ଼ାଏ ସେ ଡାଳ ଛିଣ୍ଡିପଡ଼ୁଛି । ବିମଳା ଦେବୀ ଲୁଗାକାନିରେ ଆଖି ଦୁଇଟାକୁ ଭଲ କରି ପୋଛି ଦେଇ ଗଳାସଫା କରି କହିଲେ– ମୁଁ ଗୋଟିଏ ଆଜନ୍ମ ଦୁଃଖୀ । ମୋର ଦୁଃଖ ଦୁଇପଦ ଶୁଣିବାକୁ ଜଣେ କେହି ଆପଣାର ହୋଇ ନ ଥିଲେ । ଭାବିଥିଲି ଏଇମାନେ ହିଁ ଶେଷ ଜୀବନର ଆଶ୍ରୟ । ପେଟ ଭିତରେ ଟକମକ ହୋଇ ଫୁଟୁଥିବା ଦୁଃଖପୂର୍ଣ୍ଣ ଘଟଣାଗୁଡ଼ିକୁ ଦିନେ ନା ଦିନେ ଏଇମାନଙ୍କ ଆଗରେ କହି ଛାତି ଭିତରଟାକୁ ଉଶ୍ୱାସ କରିବି । ମାତ୍ର ଦଇବ ସେତକରେ ବି କପଟ କଲା । ନିଜେ ତ ଦିନେ ହେଲେ ସୁଖସଂସାର କରିନି, ଇଚ୍ଛା ଥିଲା ତୁମ ଦୁହିଁଙ୍କର ହସଖୁସି ଦେଖିଲେ ମନଟା ଶାନ୍ତ ହୋଇଯିବ ।

 

ବିମଳା ଦେବୀଙ୍କ ହୃଦୟ ଭିତରର ବେଦନାଭରା କଥାଗୁଡ଼ାକ ଶୁଣୁ ଶୁଣୁ ସରୋଜିନୀ ଛୋଟ ପିଲାଟିଏ ପରି ତାଙ୍କ କୋଳ ଉପରକୁ ଆଉଜି ପଡ଼ିଥାଏ । ବଗିଚା ଭିତର ସିମେଣ୍ଟ ବେଞ୍ଚଟା ଉପରେ ବସି ବିମଳା ଦେବୀ ତାଙ୍କର ଜୀବନୀ ଆରମ୍ଭ କରି ଥାଆନ୍ତି । ସରୋଜିନୀ ନିବିଷ୍ଟ ଚିତ୍ତରେ ସବୁ ଶୁଣୁଥାଏ ।

 

ଆଲୋ ଝିଅ ! ଏ ଯେଉଁ ବଡ଼ କୁହାଳିଆମାନେ ଉଚ୍ଚ ପିଣ୍ଡାରେ ବସି ନାକ ଟେକି ଟେକି କଥା କହୁଚନ୍ତି, ଜାତି ଅଜାତି ବିଷୟରେ ଟିକା ଟିପ୍ପଣୀ କରୁଥାଆନ୍ତି, ସେଇ ନଡ଼ିଆବାରୀ ଶାସନ ମୋ ବାପଘର, ଶାଶୁଘର ମଧ୍ୟ ସେଇଠି । ଶାଶୁଘର କଥା ଶୁଣିଚି ବୋଲି କହୁଚି, ମାତ୍ର ଶାଶୁଘର କ’ଣ ସେତକ ମୁଁ ଜାଣିନି । ଧନବନ୍ତ ଘରେ ଝିଅ ହୋଇ ଜନମ ହୋଇଥିଲି ମାତ୍ର । ପୋଡ଼ିଯାଉ ସେ ଧନବନ୍ତ ଘରର ବୁଝାମଣା । ମୋ ଜନମ ପାଇଁ କୁଆଡ଼େ ବାପା ଆମର ଲକ୍ଷେ ଗୟସ ଗାଁ ଠାକୁର ଲୋକନାଥଙ୍କ ମସ୍ତକରେ ଚଢ଼େଇଥିଲେ । ମୋ ଉପରେ ଥିଲେ ଛଅ ଭାଇ । ଝିଅଟିଏ ହେଲେ କନ୍ୟାଦାନ କରିବେ ଏଇ ଥିଲା ବାପାଙ୍କର କାମନା । କନ୍ୟାଦାନ କଲେ କୁଆଡ଼େ ସ୍ୱର୍ଗଗତି ହୁଏ । ପିଲାଦିନର କଥାତ ସବୁ ମନେ ନାହିଁ । ଦାଣ୍ଡରେ ବୋହୂ ବୋହୂକା ଖେଳିଲା ବେଳେ ସାଙ୍ଗ ପିଲାଗୁଡ଼ାକ ଟାଣି ଧରନ୍ତି । ଆଗେ ବୁଝିପାରେ ନାହିଁ । ପଛେ ବୁଝିଲା ବେଳକୁ କ’ଣନା ରାଜଗୁରୁ ଆସୁଥିଲେ ବୋଲି ସେମାନେ ମତେ ଥଟ୍ଟାରେ ଧରି ରଖିଥିଲେ । ଏହାର ରହସ୍ୟ କ’ଣ ବି ଜାଣି ପାରେନି ।

 

ଦିନେ ବୋଉ କହିଲା ହଇଲୋ ଝିଅ । ଦାଣ୍ଡ ମଝିଟାରେ ସବୁବେଳେ ଖେଳୁଚୁ କ’ଣ– ଜ୍ୱାଇଁ ପରା ସେବାଟେ ଶହେ ଥର ଯା– ଆସ କରୁଚନ୍ତି । ବୋଉ କଥାରୁ ଏତିକି ମାତ୍ର ବୁଝିଲି, ଆଉ ଦାଣ୍ଡକୁ ଯିବା ଉଚିତ୍ ନୁହେଁ । କିନ୍ତୁ ମନଟା ଘାଣ୍ଟି ହେଲା । ମୋ ସାଙ୍ଗରେ ସବୁ ପିଲେ ଯାଉଚନ୍ତି ମୁଁ ନ ଯିବି କାହିଁକି । ବୋଉ ବାପାଙ୍କୁ ଲେଉଟ ଜବାବ ଦେବା କଥା ଆମ ଅମଳରେ ନ ଥିଲା । ମତେ ସେତେବେଳକୁ ନଅ ବର୍ଷ ଚାଲିଥାଏ । ଆଉ ଦାଣ୍ଡ ପାହାଚ ବି ଡେଉଁ ନାହିଁ । ମନେ ଅଛି ଯୋଉଦିନ ଆମ ଘରେ ବଡ଼ ଭାଇନା ଆଉ ବାପାଙ୍କର ଲାଗିଲା କଳି କଜିଆ, ଭାଇନା କହିଲେ ନା– ଏକଥା ହୋଇପାରିବନି । ପଚାଶ ବର୍ଷର ବୁଢ଼ା ପାଞ୍ଚ ପାଞ୍ଚଟା ପିଲା ଝିଲା, ଆମେ ଆମର ଗୋଟିଏ କୋଳର ଭଉଣୀକୁ ସେଇଠି ଦେବୁ । ବାପାଙ୍କର କିନ୍ତୁ ଏକ ଜିଦ୍ । ତା ପରେ କ’ଣ ହେଲା କେଜାଣି, ଭାଇନା ମଧ୍ୟ ତୁନି ହେଲେ । ଭାଇନା ତ ଆମର ଅଫିମଖୋର ଲୋକ । ସମସ୍ତେ କହିଲେ ମାଧିଆକୁ ରାଜଗୁରୁ ହାତ କରିନେଲା । ପୋଡ଼ି ଯାଉ ତାଙ୍କ ଭଲ ଲୋକପଣିଆ । ସତର ଥର ଆମ ଘରକୁ ଦଉଡ଼ି ଥାଆନ୍ତି । ସେଗୁଡ଼ାକ ମଲେଣି କି ଅଛନ୍ତି ମୁଁ ଆଉ ଜାଣିନି । କ’ଣ ନା ବିଭାଘର ତିଥି ଠିକ୍ କରିବା ।

 

ଜାଗର ଦ୍ୱିତୀୟା ଦିନ ବିଭାଘର ହେଲା । ଆଜି ପରି ମୋର ଯଦି ବୁଦ୍ଧି ଥାଆନ୍ତା ଝିଅ.... ଛାଡ଼ ସେକଥା.... ଓ ହୋଃ ବାଦ୍ୟ କି ଦେଖିବ, ବାଜେଣା କି ଦେଖିବ । ଏଆଡ଼େ ଗାଁର ଦୁଇ ଧନବନ୍ତ ଘରର ବିଭାଘର ଭୋଜି ଭାତରେ ଲୋକେ ଭାସୁ ଥାଆନ୍ତି । ରାଜଗୁରୁଙ୍କୁ ଜ୍ୱାଇଁ କରୁଛନ୍ତି ବୋଲି ବାପାଙ୍କ ଛାତି କୁଣ୍ଢେମୋଟ । ତେଣେ ରାଜଗୁରୁ ପଚାଶ ବର୍ଷରେ ପୁଣି ଜୟି ମିଶ୍ର ଘରେ ବନ୍ଧୁ କରିଛନ୍ତି ବୋଲି ତାଙ୍କ ଗୋଡ଼ ତଳେ ପଡ଼ୁନଥାଏ । ଓହୋଃ ସେ କଥା ମନେ ପଡ଼ିଲେ ପେଟ ଭିତରଟା କରତି ହୋଇ ଯାଉଛି । ସେତେବେଳେ କିଏ ବା ଥିଲା ପଦେ କଥା ନ୍ୟାୟରେ କହିବାକୁ-। ରଜା ମହାରାଜାଙ୍କ କାଳ, ତାଙ୍କରି ଦୁଆରେ ଯେ– ଗୋଡ଼ାଣିଆ ସେ ତ ହେଲା ବଡ଼ । ଆଉ କଥା କହିବାରେ ଦମ୍ଭ କାହାର ଅଛି । ଗାଁ ଗୋଟାକ ମୂକ ପାଲଟି ରହିଥାଆନ୍ତି । ଜୋର ଯାର ମୂଲକ ତା’ର ପରି ଜୟି ମିଶ୍ର ଆଉ ରାଜଗୁରୁଙ୍କ ହୁକୁମ୍ ଜାହିର ହୋଇ ଚାଲିଥାଏ । ହଁ ଭୁଲି ଯାଇଛି, ମୋ ପାଇଁ ବର ପ୍ରସଙ୍ଗ ପଡ଼ୁ ପଡ଼ୁ ଆମ ବୋଉ କୁଆଡ଼େ ବାପାଙ୍କୁ କହିଲା, ହଇଏ, ମୋ ବିମଳା ପାଇଁ ରାଜଗୁରୁଙ୍କୁ କୁଆଡ଼େ ବର କରୁଚ ? ସେ ବୁଢ଼ା ହେଲେଣି । ଏଇ ମର୍ମରେ ବୋଉ ଟିକିଏ କ’ଣ ଜୋର କରି କହିଥିବ । ଆଜି ବି ମନେ ପଡ଼ି ଦେହ ଶୀତେଇ ଯାଉଚି । ବାପା ଗୋଟାଏ ଢାଳ ବୋଉ ମୁଣ୍ଡକୁ ଫିଙ୍ଗି ଦେଲେ ଯେ– ଘରେ ଆମର କାନ୍ଦ ବୋବାଳି ପଡ଼ି ଯାଇଥିଲା । ବୋଉର ଆଉ କିଛି ନଥିଲା । ମାତ୍ର ଟିକିଏ ଆୟୁଷ ଥିବାରୁ କେତେ କଷ୍ଟରେ ବଞ୍ଚିଗଲେ ।

 

ବେଦୀରେ ବସିଲି । ମତେ କୌତୁକ ବୋଧ ହେଉଥାଏ । ରାଜଗୁରୁ ତ ଆମ ଗାଁର ଲୋକ, ପିଲାଦିନୁ ଦେଖିଚି । କଳା ମଚ ମଚ ରୁମୁ ରୁମିଆ କୋଦା ବୁଢ଼ାଟାଏ । ବ୍ରହ୍ମପୁରୀ ପାଟ ପିନ୍ଧି ବେଦୀରେ ବସିଗଲା । ଯୋଡ଼ାଏ କୁଣ୍ଡଳ ଦି କାନରେ ପାଚେଲା ଆମ୍ବପରି ଦୋହଲୁ ଥାଏ । ଏତିକି ମୋର ମନେ ଅଛି । ଖୁଡ଼ି, ସାନ ମା, ବଉଳର ବୋଉ ଆଦି କେତେଜଣ ମୋ ମୁଣ୍ଡଟିକୁ ଆଉଁଷି ଦେଇ ଆହା କରୁଥାଆନ୍ତି । ସେମାନେ କାହିଁକି ଏପରି ହେଉଥିଲେ, ସେ କଥା ପରେ ସିନା ବୁଝିଲି, ସେତେବେଳେ ବୁଝିବାକୁ ମୋର ବୁଦ୍ଧି ଆସିଲା କୁଆଡ଼ୁ ? ବିଭାଘର ସରିବା ଦିନଠୁ ବୋହୂଟିଏ ସାଜି ଘରେ ଥାଏ । ଟିକିଏ ପଦାକୁ ବାହାରିଲେ ବୋଉ କହେ ଗାଁ ଭିତରେ ଶାଶୁଘର, ପଦାକୁ କୁଆଡ଼େ ପଳୋଉଛୁ ? ମାଡ଼ି ମକଚି ହୋଇ ରହେ । ଦିନ କ’ଣ ରହୁଚି, ଚାହୁଁ ଚାହୁଁ ଚାରି ପାଞ୍ଚଟି ବର୍ଷ ବିତିଗଲା । ମୁଁ ସବୁ କଥା ବୁଝିପାରିଲି । ମଝିରେ ମଝିରେ ଆଖିରୁ ଲୁହ ଗଡ଼ି ଆସୁଥାଏ । ସାଙ୍ଗ ପିଲାମାନଙ୍କୁ ମୁହଁ ଦେଖାଇବା ପାଇଁ ଲାଜ ମାଡ଼େ ।

 

କଥା ଉଠିଲା ଶାଶୁ ଘରକୁ ଯିବି । ମୋର ମୁହଁ କଳା ପଡ଼ିଗଲା । ବିଚାରିଲି ଶାଶୁଘରକୁ ଯିବା ଆଗରୁ ସଂସାରରୁ ଚାଲିଗଲେ ତ ଜଞ୍ଜାଳ ଯାଏ । ସେତକ ବି ହୋଇ ପାରିଲା ନି । ତା ଲାଗି ଯାହା କରିଚି ତୋ ଆଗରେ କ’ଣ ଅବା କହିବି ।

 

ବୋଉ ମତେ ଶାଶୁଘରକୁ ଛାଡ଼ିବା ଲାଗି ଭାର ବେଭାର ସଜ କରିବାରେ ବ୍ୟସ୍ତ । ରାମନବମୀ ମାତ୍ର ୧୫ ଦିନ ବାକି ଅଛି । ଅଫିମଖିଆ ଲୋକ ତ ରାଜଗୁରୁଙ୍କୁ ଧଇଲା ଗ୍ରହଣୀ । ଦଶବାର ଦିନରେ ସବୁ ଶେଷ । ମୁଁ ଆଉ ଶାଶୁ ଘରକୁ ଯିବି କ’ଣ ?

 

ମନେ ପଡ଼ୁନି ସେତେବେଳେ ଆଖିରୁ ଲୁହ ବାହାରି ଥିଲା କି ନାହିଁ ।

 

ତା ପରେ ଯାହା ସବୁ ଘଟିଗଲା..... କହୁ କହୁ ବିମଳା ଦେବୀଙ୍କର ଆଖିରୁ ଧାର ଧାର ହୋଇ ଭାସି ଯାଉଥାଏ ଲୋତକ ଧାରା । ସେଇ କାନ୍ଦଣା ସ୍ୱରରେ ସେ କହୁ ଥାଆନ୍ତି– ନିଜେ ଜନ୍ମଦାତା ହୋଇ ପୁଅ ଝିଅଙ୍କ ପ୍ରତି ଏତେ ନିଷ୍ଠୁର ପୁଣି ମଣିଷ ହୋଇପାରେ..... ହା ଭଗବାନ–ସମାଜକୁ ଦିବ୍ୟଜ୍ଞାନ ନ ଦେଲ କାହିଁକି ?

 

ସରୋଜିନୀର ସେତେବେଳକୁ କାଠ ପିତୁଳାଟି ପରି ‘ମା’ ମୁହଁକୁ ଚାହିଁ ରହିଥାଏ । ତାଙ୍କ ଆଖିରେ ଲୁହ ଦେଖି ଇଆ ଆଖିରୁ ମଧ୍ୟ ଲୁହ ଝରି ଆସିଲାଣି ।

 

ଆମ କୁଳର ପ୍ରଥା ଅନୁସାରେ ଯାହା ସବୁ ନିଆଁ ଦରପୋଡ଼ା ବ୍ୟବସ୍ଥା ରହିଚି ତା ସବୁ ହୋଇଗଲା । ମୁଁ ବିଧବା ହେବାର ଚାରିମାସ ପରେ ମୋ ସାନ ଭାଉଜ ପୁଆଣୀ ହୋଇ ଆସୁଥାଆନ୍ତି । ନୂଆବୋହୂ ଆସିବେ ବୋଲି ମୋର ଆନନ୍ଦ କହିଲେ ନ ସରେ । ସେଦିନ ସବୁ ଦୁଃଖ ପାଶୋରି ଦେଇ ତାଙ୍କ ଆସିବା ବେଳକୁ ଚାହିଁ ରହିଥାଏ । ବଳିତା ବସାବେଳକୁ ନୂଆ ବୋହୂଙ୍କ ସୁଆରି ଆସି ଦାଣ୍ଡରେ ପହଞ୍ଚୁ ପହଞ୍ଚୁ ଅତି ଆନନ୍ଦରେ ମୁଁ ଦାଣ୍ଡକୁ ଦୌଡ଼ିଯାଇ ସୁଆରି ଭିତରୁ ତାଙ୍କୁ ଘରକୁ ନେଇ ଆସିଲି । ସେଦିନ ମୋର ଦଶା ଯାହା ହେଲା ସେଥିରେ ପାଷାଣ ତରଳିଯିବା କଥା । ନିଜ ବାପ ସେ, ଆଉ ନ କହିଛନ୍ତି କ’ଣ ? କହିଲେ ଏ ଅମୁଙ୍ଗୁଳୀ ମୋ ବଉଁଶ ମାରିବା ବିଚାର କରୁଛି । ନିଜେତ ତିନି ପାଞ୍ଜିରୁ ଗଲା । ଆଉ ସମସ୍ତଙ୍କୁ ତା କରେଇବ ବୋଲି ବିଚାରୁଛି ପରା । ବାପାଙ୍କର ନିଷ୍ଠୁର କଥାଗୁଡ଼ାକ ଛାତି ଫଟାଇ ଦେଉଥାଏ । ତିନି ଦିନ ମୁହଁ ମାଡ଼ି ଶୋଇଲି ।

 

କାର୍ତ୍ତିକ ମାସରେ ବିଧବାମାନେ ହବିଷ୍ୟ କରିବା ଆମ ଶାସନୀ ବ୍ରାହ୍ମଣ ଗାଁମାନଙ୍କରେ ଚଳଣି ଅଛି । ଅନେକ ବିଧବା ସ୍ତ୍ରୀ ଲୋକ ହବିଷ୍ୟ କରିବା ପାଇଁ ‘‘ପୁରୀ’’ ଆସନ୍ତି । ମୋ ମନଟା ଟିକିଏ ପରିବର୍ତ୍ତନ ହୋଇଯିବ ବୋଲି ବୋଉ ମତେ ଆମ ଗାଁର କେତେ ଜଣ ବିଧବାଙ୍କ ସାଙ୍ଗରେ ପୁରୀ ପଠାଇ ଦେଲେ । ମୋର ନିଜତ୍ୱ ହୋଇ କିଛି ତ ନ ଥାଏ, ସେମାନେ ଯେଉଁଠି ରହିଲେ ମୁଁ ତାଙ୍କରି ପାଖେ ରହିଲି ।

 

ପୁରୀ ଦକ୍ଷିଣ ଦୁଆର ତରଫରେ ଗୋଟାଏ ମଠ । ସେ ମଠର ନାଁ ନିଆଁ କି ଚୁଲି ଆଉ ମନେନାହିଁ । ସେଇଠି ସମସ୍ତେ ବସାକରି ରହିଲୁ । ମାସେ କାଳ ଲୁହ ନ କାନ୍ଦି ରକ୍ତ କାନ୍ଦିଛି । ଷାଠିଏ ବର୍ଷ ବୟସର ବୁଢ଼ା ମହନ୍ତଟା ରାତିରୁ ରାତି ଯାଏଁ ମୋ ପିଛା ଧରିଥାଏ । ତା’ର ହାବ ଭାବ ସବୁ ଜାଣିଲି । ମୋରି ଲାଗି ସେ ସମସ୍ତଙ୍କ ପାଇଁ ଅଭଡ଼ା ଖଞ୍ଜା କରିଦେଲା । ଏପାଖ ସେପାଖକୁ ଚାହିଁ ମୋ ମୁଣ୍ଡଟାକୁ ସାଉଁଳି ଦେବା, ହାତଟାକୁ ଟାଣି ଦେବା, ହାସ, ପରିହାସ କେତେ କ’ଣ ଚଲେଇଥାଏ । ଉପାୟ କ’ଣ, କାହାକୁ ବା କହିବି ଲାଜର କଥା । ତଥାପି ଶେଷକୁ ଆଉ ସହି ପାରିଲିନି । ବିଚାରିଲି ମୋ ପାଇଁ ତାହାହେଲେ ଏ ଜଗତରେ ଆଉ ସ୍ଥାନ ନାହିଁ ! ଏମିତି କେତେ କ’ଣ ଭାବୁଚି ସାଙ୍ଗ ସାଥିମାନେ ଦେଉଳ ଭିତରକୁ ଯାଇ ଥାଆନ୍ତି, ବୁଢ଼ା ଆସି ହାଜର । ହସି ହସି ମୋ ହାତଟାକୁ ଯେମିତି ଧରିଚି ଛାତି ତାତି ଉଠିଲା, ଆପେ ଆପେ ହାତଟା ଯାଇ ବୁଢ଼ାର ବାଳ ସାଲୁ ସାଲୁ ମୁହଁରେ ଆଚ୍ଛାକରି ପିଟି ହୋଇଗଲା । ସେତକ ହେବା ପରେ ମୋର ସ୍ଥାନ ଆଉ ସେଠାରେ କାହିଁ । ମନକୁ ଟାଣ କରି ବଡ଼ଦାଣ୍ଡକୁ ବାହାରି ପଡ଼ିଲି । ନୀଳଚକ୍ରକୁ ଚାହୁଁଥାଏ, ଠାକୁରଙ୍କୁ ଜଣାଉଥାଏ, ସିଂହ ଦୁଆରକୁ ଆସି ଦେଖେ ତ ଏବେ ଯେଉଁଠି ଦାଶ ଆପଣଙ୍କର ମୂର୍ତ୍ତି ରଖା ହୋଇଛି ସେଇଠାରେ ଯାତ୍ରା ପର୍ବ ପରି ଲୋକ ରୁଣ୍ଡ ହୋଇଛନ୍ତି । ସମସ୍ତେ ନୀରବ, ଜଣେ ମାତ୍ର କ’ଣ କହୁଥାଏ । କିଏ କହୁଚି, ତାକୁ ଦେଖିବା ପାଇଁ କେତେ ଚେଷ୍ଟା କଲି ସେତକ ହୋଇ ପାରିଲାନି । ଶୁଣିଲି ଯେ– ସେ କହୁଚି ‘‘ସମାଜରେ ସ୍ତ୍ରୀ ପୁରୁଷର ସମାନ ଅଧିକାର, ବରଂ ସ୍ୱାଧୀନତା ଆନ୍ଦୋଳନରେ ପୁରୁଷ ଅପେକ୍ଷା ସ୍ତ୍ରୀଲୋକମାନେ ବେଶି କାମ କରିପାରିବେ । ସବୁ ଯୁଗରେ ନାରୀମାନେ ଅଗ୍ରଣୀ ହୋଇ ପ୍ରତ୍ୟେକ କାମ ହାସଲ କରି ଆସିଛନ୍ତି । ବିଳାସ ବ୍ୟସନରେ ଲିପ୍ତ ହୋଇ ଘର କଣରେ ବୋହୂ ସାଜି ବସିବାର ସମୟ ଆଉ ନାହିଁ । ବିଦେଶୀ ଶାସନକୁ ହଟେଇ ମାତୃଭୂମିକୁ ସ୍ୱାଧୀନ କରିବାରେ ଆବାଳବୃଦ୍ଧବନିତା ସମସ୍ତେ ପ୍ରାଣ ବିନିମୟରେ ଲାଗିପଡ଼ିବା ଉଚିତ ।’’ ଏଇ କେତେ ପଦ କଥା ମୋ ମନରେ ଖୁବ୍ ଦମ୍ଭ ଦେଲା । ଭାବିଲି ମଣିଷ ଜନ୍ମ ପାଇ ପ୍ରାଣଟାକୁ କଲବଲ କରି ଆତ୍ମହତ୍ୟା କରିବି ନାଁ ଯାହା ଶୁଣିଲି ଏ କେବଳ ମୋ ପାଇଁ ଠାକୁରଙ୍କର ବାଣୀ । ବକ୍ତାଙ୍କ ସହିତ ସାକ୍ଷାତ ସୁଯୋଗ ସଭା ଭାଙ୍ଗିଲା ପରେ ପାଇଲି । ବିମଳା ଦେବୀ କାନ୍ଦ କାନ୍ଦ ହୋଇ ହାତ ଯୋଡ଼ି କହିଲେ, ସେ ହେଉଛନ୍ତି ବାପୁଜୀ । ସେହି ଦିନଠୁ ଆଜିଯାଏଁ ଊଣା ଅଧିକେ ତିରିଶ ବର୍ଷ ହେଲା ଏଇ କଂଗ୍ରେସରେ ରହି କାମ କରୁଚି । ସତ୍ୟାଗ୍ରହ, ନିଶା ନିବାରଣ, ଲୁଣମରା, ବିଦେଶୀ ବର୍ଜନ, ଅସ୍ପୃଶ୍ୟତା ନିବାରଣ ଆଦି ସମସ୍ତ ଆନ୍ଦୋଳନରେ ଝାସ ଦେଇ ଆସିଛି-। ଜେଲଦଣ୍ଡ, ଲାଠିମାଡ଼, ବୁଟଯୋତା ପାହାର, ବନ୍ଧୁକ ଡ଼ିହ କେତେ ଏ ଦେହ ସମ୍ଭାଳିଛି, ଦେଖି ବସିଲେ ଦେହ ତମାମ୍ ଚିହ୍ନ ଥିବ । ଯାହା ହେଉ କେତେ କେତେ ଲୋକଙ୍କ ସାଙ୍ଗରେ ଭାଇ ଭଉଣୀ ପରି କାମ କରି ଆସିଲି, କେହି ଦିନେହେଲେ ମୁହଁ ଫୁଲେଇ ପଦେ କହି ଦେଇ ନାହାଁନ୍ତି । ମନରେ ଶାନ୍ତି ଆସିଲା, ଯାହା ପାଇଁ ଆମେ ଲଢ଼ୁଥିଲୁ ତାହା ସଫଳ ହୋଇଛି । ଏଇ ଆଶ୍ରମ ମାଟିରେ ଗୋଡ଼ ଦେଇ ଯେଉଁମାନେ ଯାଇଚନ୍ତି, ସେଇମାନେ ଆଜି ଆମ ଦେଶର ଶାସକ । ସେ ଆମଲାଗି ବ୍ୟକ୍ତିଗତ ଭାବେ କିଛି କରନ୍ତୁ ନ କରନ୍ତୁ ତାଙ୍କୁ ଦେଖି ଦେବା ମାତ୍ରେ ମନ ଭିତରଟା ସନ୍ତୋଷ ହୋଇଉଠୁଚି । ଆଉ କେତେଟା ଦିନ ଇମିତିରେ କଟିଯାଇ ଥାଆନ୍ତା । ମଣିଷ ମନ ତ, ବିଚାରିଲି ଶେଷକାଳକୁ ଜଣେ କେହି ପାଖରେ ନ ରହିଲେ, ମୃତ୍ୟୁ ଖବରଟା ବି ଅନ୍ୟମାନେ ଜାଣି ପାରିବେନି-। ସେ ବିଷୟରେ କିମିତି କ’ଣ କରିବି ବୋଲି ଭାବୁଥାଏ– ଦୈବାତ୍ ତୁମ ଦୁହିଁଙ୍କର ଦେଖା । ସେଇଦିନଠୁ ମୋ ଆନନ୍ଦ କହିଲେ ନ ସରେ । ପୁଣି ମୋ କପାଳକୁ ତୁମମାନଙ୍କର ଅବସ୍ଥା କାହିଁରୁ କ’ଣ ହୋଇ ରହିଚି । ମୋ ଅଦୃଷ୍ଟିକୁ ନ ହୋଇଥିଲେ ତୋପରି ଶାନ୍ତ ଶିଷ୍ଟ ଝିଅ କେବେହେଲେ ଏଡ଼େ ନିଷ୍ଠୁର ହୋଇପାରନ୍ତା ନା । ବଳରାମବାବୁ ଘରଦ୍ୱାର ଛାଡ଼ି ଚାଲିଯାଇ ଥାଆନ୍ତେ । ଆଉରି ଯେତେ ଯେତେ କଥା ଭାବିଥିଲି ସେଗୁଡ଼ାକ କ’ଣ କହିବି । ପ୍ରଣବରୁତ ଅଶୁଦ୍ଧ ହେଲାଣି ।

 

ବିମଳା ଦେବୀ, ମୋତି, ମୋତି ବୋଲି ଡାକିବାରେ ମୋତି ଆସି ପାଖରେ ଠିଆହେଲା-। ସେ କହିଲେ ମୋତି ମୋ ହାତବାକ୍ସାଟା ଆଉ ଲଣ୍ଠନଟା ଆଣିଲୁ । ମୋତି ଦୌଡ଼ିଯାଇ ନେଇ ଆସିଲା । ବିମଳା ଦେବୀ ବାକ୍ସ ଖୋଲି ଖଣ୍ଡିଏ କାଗଜ ସରୋଜିନୀ ହାତକୁ ବଢ଼ାଇ ଦେଲେ । ତାହା ହେଉଛି ଗୋଟିଏ ଉଇଲ୍ ନାମା ଦଲିଲ । ତା’ରି ଜରିଆରେ ସରୋଜିନୀ ଶଶି ଓ ମୋତି ତିନିହେଁ ଆଶ୍ରମର ପ୍ରତ୍ୟେକ ସମ୍ପତ୍ତିରେ ମାଲିକ ହେବେ ! ଆଶ୍ରମର ସମ୍ପତ୍ତି କେଉଁ ବାଟରେ ବ୍ୟୟିତ ହେବ ସେ କଥା ମଧ୍ୟ ଉଲ୍ଲେଖ କରାହୋଇଛି । କାଗଜଟିକୁ ଦେଖିବା ପରେ ସରୋଜିନୀ କହିଲ, ମା । ତୁମେ ଏଥିମଧ୍ୟରେ ଏଇ କାମ ସବୁ କରିବାକୁ ବାରିପଦା ଦୌଡ଼ାଦୌଡ଼ି କରୁଥିଲ, ନୁହେଁ ?

 

ସ୍ୱାଧୀନତା ଆନ୍ଦୋଳନବେଳେ ଗାଁ ଗହଳିରେ ବୁଲିବା ସମୟରେ ହରିଜନ ଆଉ ଆଦିବାସୀମାନଙ୍କର ସବୁପ୍ରକାର ଦୁଃଖ ଦୁର୍ଦ୍ଦଶା ମତେ ଅତି ଅଧୀର କରିଦେଇଥିଲା । ତେଣୁ ସେଇମାନଙ୍କର ସେବା ଲାଗି ଏ ଜଙ୍ଗଲ ଭିତରେ ଆଶ୍ରମ କରି ସେହିମାନଙ୍କ ସେବା ଆରମ୍ଭ କରିଚି-। କାମ କ’ଣ କେତେଦୂର ଆଗେଇଚି ନିଜ ଆଖିରେତ ଦେଖୁଥିବୁ ।

 

ପେଟ ଭିତର କଥାଟା ଆଉ ଗୋପନ ରଖିବି କାହିଁକି । ମୋର ବିଚାର ଥିଲା ଶଶି ସହିତ ବିରଜାକୁ ଆଉ ବୈକୁଣ୍ଠକୁ ମୋତି ସାଙ୍ଗରେ ବିବାହ ଦେଇ ମୁଁ ମଧ୍ୟ ପରଧନରେ ଧନୀ ସାଜିବି, ପର ପୁଅ ଝିଅକୁ ନିଜର କରି । କାହିଁ– ଦଇବ କ’ଣ ସେତକ କରେଇ ଦେଉଛି ।

ଆଉ ଡେରି କଲେ ଚଳିବନି । ଥରେ ବାପୁଜୀ ଗୋଟିଏ ସଭାରେ କହିଥିଲେ, ‘‘ଭଲ କାମଗୁଡ଼ିକୁ ଟିକିଏ ଡେରି ନ କରି ହାସଲ କରିନେବା ଉଚିତ । ମୁଁ କାଲିଠାରୁ ମୋ ଅଭିଷ୍ଟ ସିଦ୍ଧି ଦିଗରେ ଲାଗିପଡ଼ିବି ।

ସରୋଜିନୀ ବିମଳା ଦେବୀଙ୍କଠାରୁ ଦୀର୍ଘ ସମୟ ଧରି ତାଙ୍କ ଜୀବନୀ ଓ ଜୀବନର ଲକ୍ଷ ଶୁଣି ଶୁଣି ଛାନିଆ ହୋଇ ବସିଥାଏ । ବିମଳା ଦେବୀ ତା’ର ହାତଟିକୁ ଧରି ଉଠେଇ ଦେଇ କହିଲେ– ଚାଲ, ସରୋଜିନୀ ବେଶି ଥଣ୍ଡା ପଡ଼ିଲାଣି ଘରକୁ ଯିବା ।

ସରୋଜିନୀ ଆଉ ବିମଳା ଦେବୀ ବଗିଚାରୁ ଆସି ଘରେ ଗୋଡ଼ ଦେଉ ଦେଉ ଫାଟକ ପାଖରେ ଡାକବାଲାର ପାଟି ଶୁଣାଗଲା । ବିମଳା ଦେବୀ ଲଣ୍ଠନଟା ଧରି ତା’ ପାଖକୁ ଯାଉ ଯାଉ ସେ ଟେଲିଗ୍ରାମଟିଏ ତାଙ୍କ ହାତକୁ ବଢ଼ାଇ ଦେଲା । ବିମଳା ଦେବୀ ଅନେକ ଚିଠି ଟେଲିଗ୍ରାମ ସବୁବେଳେ ପାଆନ୍ତି ମାତ୍ର ଏଇ ଟେଲିଗ୍ରାମଟି ତାଙ୍କୁ କାହିଁକି ଟିକିଏ କେମିତି ଅଲଗା ଅଲଗା ବୋଧ ହେଉଥାଏ । ସେ ସରୋଜିନୀ ପାଖକୁ ଦୌଡ଼ିଆସି କହିଲେ ଝିଅ ପଢ଼ିଲୁ ଏ କେଉଁଠୁ କାହିଁକି ଆସିଚି । ସରୋଜିନୀ ଟେଲିଗ୍ରାମଟି ଉପରେ ଆଖି ପକାଇ ସମସ୍ତଙ୍କ ଅଜଣାରେ ଯେଉଁ ବ୍ୟଥା ଅନୁଭବ କଲା ତା’ର ଧାରଣା ସେକଥା ଅନ୍ୟ କେହି ଜାଣିପାରିଲେନି, ମାତ୍ର ବିମଳା ଦେବୀଙ୍କ ପରି ଦୀର୍ଘ ତିରିଶ ବର୍ଷ ରାଜନୀତି କରିଥିବା ଜଣେ କର୍ମୀଙ୍କ ପାଖରେ ଅଜଣା ରହିବ କୁଆଡ଼ୁ । ସେ ପଚାରିଲେ ସରୋଜିନୀ କହିଲୁ କ’ଣ ଲେଖା ହୋଇଛି । ସରୋଜିନୀ ଉପର ମନରେ ଦମ୍ଭଧରି କହିଲା– ହୃଷିକେଶରୁ ଆସିଚି । ବଳରାମବାବୁ ମୁମୁର୍ଷୁ ବୋଲି ଲେଖା ହୋଇଛି-

ବିମଳା ଦେବୀ ଖୁବ୍ ବିବ୍ରତ ହୋଇ ପଡ଼ିଲେ । ତା ପରେ ସରୋଜିନୀର ବାହ୍ୟ ଦମ୍ଭତକ ବି ସାଙ୍ଗେ ସାଙ୍ଗେ ଉଭେଇ ଗଲା । ସେ ଲୁହଭରା ଆଖିରେ ମା’ଙ୍କ ମୁହଁକୁ ଜଳ ଜଳ କରି ଚାହିଁ ରହିଥାଏ ।

ବିମଳା ଦେବୀ ଟିକିଏ ଡେରି ନ କରି ଗାଁ ଭିତରକୁ ଦୌଡ଼ିଗଲେ, ଚାରି ଛଅ ଜଣ ଆଦିବାସୀଙ୍କୁ ସାଙ୍ଗରେ ଧରି ସରୋଜିନୀ ଓ ମୋତି ସହିତ ନିବିଡ଼ ଜଙ୍ଗଲ ରାସ୍ତାରେ ରାତି ରାତି ବୀରବାଟି ଷ୍ଟେସନକୁ ଚାଲିଲେ । ସେତେବେଳେ ବାଘ ଭୟ ଏତେ ବଢ଼ିଥାଏ ଯେ– ସେ ଅଞ୍ଚଳର ଲୋକେ ଘରୁ ପଦାକୁ ବାହାରୁ ନ ଥାନ୍ତି । ମହାବଳ ପ୍ରତିଦିନ ଜଣେ ଦୁଇଜଣ କରି ମଣିଷ ମାରୁଥାଏ, କିନ୍ତୁ ସେକଥା ପ୍ରତି ଲକ୍ଷ୍ୟ ଦେବାକୁ ତର କାହିଁ ।

ରାତି ତମାମ ୨୦ ମାଇଲ ବାଟ ଚାଲି ଚାଲି ବୀରବାଟି ଷ୍ଟେସନରେ ପହଞ୍ଚିଲାବେଳକୁ ପୁରୀ-ହାବଡ଼ା ପାସେଞ୍ଜର ହାଜର । ଏମାନେ ତରତର ହୋଇ ପ୍ଲାଟଫର୍ମ ଭିତରେ ଗୋଡ଼ ଦେଉ ଦେଉ ବଇବାବୁ, ବିରଜାବାବୁ ଓ ଶଶି ତିନିହେଁ ଦୌଡ଼ିଆସି ଏମାନଙ୍କୁ ଗାଡ଼ି ଭିତରକୁ ନେଇଗଲେ-। ଗାଡ଼ି ଛାଡ଼ିବା ଯାଏଁ ଆଦିବାସୀଗୁଡ଼ିକ ନିର୍ନିମେଷ ଦୃଷ୍ଟିରେ ଗାଡ଼ିର ରୁଦ୍ରରୂପ ଦେଖୁ ଥାଆନ୍ତି ।

ବିମଳା ଦେବୀ, ବଇବାବୁ ଓ ବିରଜାବାବୁଙ୍କ ସହିତ କଥାବାର୍ତ୍ତା ହେଉଥିବାବେଳେ ଶଶି, ସରୋଜିନୀ ଦୁହେଁ କେତେ ଆଲୋଚନା ଚଳାଇ ଥାଆନ୍ତି । ମୋତିଟି ବିଚାରି ଗାଡ଼ିର ଦୁଇ ପାଖରେ ଦୌଡ଼ି ଚାଲିଥିବା ଗଛଲଟା, ପାହାଡ଼ ଜଙ୍ଗଲ, ବିଲ, ନଈ, ପୋଖରୀ ଆଦିକୁ ଚାହିଁ ଆଶ୍ଚର୍ଯ୍ୟ ହୋଇ ବସିଥାଏ ।

ବିମଳା ଦେବୀ ବଇବାବୁ ଓ ବିରଜାବାବୁଙ୍କୁ ଆଉ କ’ଣ ବା ପଚାରିବେ– କେବଳ ମୁରବିପଣିଆରେ କହିଲେ– ତୁମେମାନେ ଏଡ଼େ ଏଡ଼େ ଶିକ୍ଷିତ ପିଲା ହୋଇ ଏଇଭଳି କାମ କରିବ-। ସଂସାର କ୍ଷେତ୍ରରେ ଚଳିବାକୁ ହେଲେ କେତେ ସାଧନା, ସହନଶୀଳତା, ବିଚାର ଶକ୍ତି ଦରକାର...... ଏଇଭଳି କେତେ ପଦ କହି ବିମଳା ଦେବୀ ଚିନ୍ତିତ ମନରେ ବସି ଥାଆନ୍ତି ।

ସରୋଜିନୀ– ଆଉ ଶଶି ମଧ୍ୟରେ କଥାବାର୍ତ୍ତା ସ୍ରୋତ ଛୁଟି ଚାଲିଥାଏ । ଶଶି କହିଲା ସରୋଜିନୀ ମୁଁ ବଡ଼ ଆଶ୍ଚର୍ଯ୍ୟ ହୋଇଛି ତୁ ଏକଥା କରିପାରିଲୁ କିପରି ? ରାତିଗୋଟାକ ହେଲେ ବଳରାମ ବାବୁଙ୍କ ସାଙ୍ଗରେ କଟେଇ ଦେଇଥାଆନ୍ତୁ ! ମତେ ପରା କହୁଥିଲୁ ବଳରାମବାବୁ ଗୋଡ଼ରେ ଠେଲିଦେଲେ ମଧ୍ୟ ତାଙ୍କ ପାଦଧରି ପଡ଼ିରହିବୁ ବୋଲି ? ଆଉ ସେ ମୁଣ୍ଡରେ ବସାଉ ବସାଉ ତାଙ୍କୁ ଧକ୍କା ଦେଲୁ କାହିଁକି ?

ଛାଡ଼ ଶଶି ସେ ବିଷୟ ଆଉ କ’ଣ କହିବି– ଅତି ଭଲ ପାଇବାର ପରିଣତି ବୋଧହୁଏ ଏମିତି ହୋଇଥାଏ । ସରୋଜିନୀ ତୁ ଚାଲିଆସିବା ପରେ ବଳରାମବାବୁଙ୍କୁ ଜଳସ୍ଥଳ ପାତାଳ ତିନିପୁର ଆଉ ସ୍ଥାନ ଦେଲାନି । ସେ, ତ ତୋର । ମୁଁ ଅବା କିପରି କ’ଣ କରିବି ତଥାପି ତୋ ସାଙ୍ଗ ହିସାବରେ ଛାତି ଉପରକୁ ଆଉଜାଇ ରଖିବା ପର୍ଯ୍ୟନ୍ତ ହୋଇଯାଇଛି ! ଜ୍ଞାନୀ ଲୋକ ସେ..... ଦିନ ରାତି ଚବିଶଘଣ୍ଟା ଖାଲି ସରୋଜିନୀ ସରୋଜିନୀ ହେଉ ଥାଆନ୍ତି । ଯେଉଁଦିନ ମୁଣ୍ଡଟାକୁ ପିଟିଦେଲେ ଆମର ଆଖି ଖୋସିହୋଇଗଲା । ବଇବାବୁ ସେତିକିବେଳକୁ କହିଲେ ଶଶି– ବଳରାମବାବୁଙ୍କ ଜୀବନ ତୋ ହାତରେ । ତାଙ୍କ ପାଖରୁ ଟିକିଏ ଚାଲିଯିବୁତ ଆତ୍ମହତ୍ୟା କରିଦେବେ..... ମୁଁ ଆଉ ଯିବି କୁଆଡ଼େ । ନିଜକୁ କଷ୍ଟ ହେବ ବୋଲି– ଜାଣୁ ଜାଣୁ ତାଙ୍କୁ ଆତ୍ମହତ୍ୟା କରିବାକୁ ଦେବି । ସପ୍ତାହକ ପରେ ସେ ଟିକିଏ ପ୍ରକୃତିସ୍ଥ ହେଲେ । ଦିନେ କାକଟପୁର ଯିବା କଥା କହି ଚାଲିଗଲେ ଯେ– ଆଉ ଫେରି ନାହାଁନ୍ତି । ସେ ଗଲେନି ଯେ- ଆମ ବଉଂଶ ଗୋଟାକୁ ମାରିଦେଇ ଗଲେ । ବଇ ଭାଇଙ୍କର ମୋ ଉପରେ ଯେଉଁ ରାଗ ଆଉ କ’ଣ କହିବି ? ସହଜେ ତ ମୁଁ ଛାନିଆ ହୋଇ ପଡ଼ିଥାଏ । ଗାଁ ଗୋଟାକ ହତାଶ ହୋଇ ପଡ଼ିଥାଆନ୍ତି । ଆଠଦିନ ପରେ ହୃଷିକେଶରୁ ଯେତେବେଳେ ଚିଠି ଖଣ୍ଡେ ପାଇଲୁ ସେତେବେଳେ ଯାଇ ଆମ ପିଣ୍ଡରେ ପ୍ରାଣ ପଶିଲା । କେବଳ ତୋ’ରି ପାଇଁ ତ ବଳରାମଙ୍କ ମୁହଁ ଏଡ଼େ ବଡ଼ । ଆଉ ତୁ ନିଜେ କିପରି ଏତେ ସହିଲୁ ମ ? ହଉ, ଆଉ କାନ୍ଦିବାର କ’ଣ ଅଛି, ବାହୁଡ଼ାବେଳେ ତ ଆସି ଗଲାଣି । ‘‘ନା, ଶଶି ! ମନଟା ଭାରି ଘାଣ୍ଟି ଚକଟି ହେଉଛି, ଆଜିଯାଏ ଦିନେ ହେଲେ ଏତେ ବ୍ୟସ୍ତ ଲାଗୁ ନ ଥିଲା ।’’ ହଁ ତା ଲାଗିବନି, ମନଟା ସିନା ଚାରିଆଡ଼େ ବିଛେଇ ହୋଇ ଯାଇଥିଲା, ଏବେ ଗୋଟିଏ ଆଡ଼େ ନିବିଷ୍ଟ ହୋଇ ଯାଇଛି ପରା ? ଆଉ ତ ଅଳ୍ପ ସମୟ ରହିଲା । ସେ ଆଶ୍ରମରେ ବି ମୁଁ ଚଉଠି ରାତିର ବ୍ୟବସ୍ଥା କରିଦେବି ଯେ..... ତୋ’ର ତ ସବୁଦିନେ ଏହିଭଳି କଥା..... ବୋଲି କହି ସରୋଜିନୀ ସୁଦ୍ଧା ଟିକିଏ ନ ହସି ରହି ପାରିଲା ନି ।

‘‘ଆଚ୍ଛା ମୋ କଥାଟା ଖରାପ କ’ଣ ହେଲା କହିଲୁ ସରୋଜିନୀ ? ଯୋଉ କାମଟା ବାକି ରହି ଯାଇଛି ସେତକ ହୋଇଗଲେ ତ ରାଗ, ଅଭିମାନ ସବୁ କୁଆଡ଼େ ପାଣି ଫାଟିଯିବ !’’ ତୁ ଏଇ କେତେଦିନ ଭିତରେ ଭାରି ଓସ୍ତାଦ ପାଲଟି ଗଲୁଣି ତ ଶଶି ! ବିରଜାବାବୁଙ୍କଠାରୁ କ’ଣ ଟ୍ରେନିଂ ପାଇଗଲୁଣି ନା କ’ଣ ? ସେ ସବୁବେଳେ ପଛେ ପଛେ ଚାଲିଛନ୍ତି ଯେତେବେଳେ ଯାହା ହେବ ନିତାନ୍ତ ସ୍ୱାଭାବିକ, କ୍ଷତି ବା କଅଣ ? ମୁଁ ମନେ ମନେ ବହୁଦିନ ଆଗରୁ ସେଇ କଥାହିଁ ଭାବୁଥିଲି । ସରୋଜିନୀର କଥାରେ ଶଶିଟିକିଏ ତଳମୁହାଁ ହୋଇ ଆସିଲା । ମାତ୍ର ତାପରେ ମୁହଁ ଆଣ୍ଟକରି ସରୋଜିନୀ ଆଡ଼କୁ ସବୁ ଢାଳି ଦେଇ କହିଲା, ଯାହାପାଇଁ ଆଗେ ଦରକାର ତା ଅବସ୍ଥା ଏପରି ହେବାବେଳେ ସେ ପ୍ରସଙ୍ଗ ବା ଉଠିବ କାହିଁକି ? ଦେଖ ଶଶି । ମୋ ଦେହ ଛୁଇଁ କହିଲୁ ? ମୋ ଅନୁମାନ ମିଛ ପରା ? ଦେହଟା କାହିଁକି ଛୁଇଁବିମ ! ସତ ହେଲେ ହୋଇଥିବ....... ବାଃ ସାବାସ୍, ମୁଁ ବି ଗୋଟିଏ ଦାୟିତ୍ୱରୁ ମୁକ୍ତି ପାଇଲି । ତୁମ ଦୁଇ ଜଣଙ୍କ ପାଇଁ ମନଟା ଭାରି ଗୋଳେଇଘାଣ୍ଟି ହେଉଥିଲା । ଶଶି ମୁହଁଟାକୁ ତଳକୁ ପୋତି ଦେଇ ତୁନି ତୁନି କହିଲା, ‘‘ଏତେ ନିଶ୍ଚିନ୍ତ ହେଲେ ଚଳିବ ନା ମନେ ମନେ ବିଚାରିଦେଲେ ସବୁ କାର୍ଯ୍ୟ ଯଦି ହୋଇଯାଉଥାଆନ୍ତା ତେବେ ଲୋକ ତ ଆଉ ବସିଲାଠାରୁ ଉଠନ୍ତେନି ।’’ ନା, ନା, ତା ନୁହେଁ ମୁଁ ବୁଝୁଚି...... ଯାହା ସବୁ କରିବାକୁ ହେବ, ଆଗେ ତୋ ମନଟାକୁ ପରୀକ୍ଷା କରୁଥିଲୁ । ତୁ ତାଙ୍କ ଉପରେ ଭାରି ବିଗିଡ଼ି ଯାଇଥିଲୁ ନା ! ଏଥର ପରୁଆ କ’ଣ ଆଜି କହିଲେ ଆଜି ହାତଗଣ୍ଠି ପକେଇଦେବି ।

ହଉ ହଉ ଚାଲେ ମୁଁ ଆଗେ ତୁମ ଦୁଇଜଣଙ୍କର ମନଗଣ୍ଠି ଫିଟାଇସାରେ, ତା’ପରେ ତୁ ମୋ ବିଷୟ ବୁଝିବୁ ।

ଶଶି ସରୋଜିନୀ ଦୁହେଁ ନାନାଆଡ଼ୁ ନାନା କଥାବାର୍ତ୍ତା ହେଉଥାଆନ୍ତି । ହଠାତ୍ ସରୋଜିନୀ ମୁହଁଟିକୁ ଶୁଖାଇ ଦେଇ କହିଲା, ଶଶି ! ତୋ କଥାରେ ମୁଁ ମଝିରେ ମଝିରେ ହସି ଦେଉଛି ସିନା, ମାତ୍ର ମୋ ଆଖି ଆଗରେ ଖାଲି ପାପକଥାଗୁଡ଼ାଏ ନାଚି ଯାଉଚି । ସତେ କ’ଣ ବଳରାମବାବୁଙ୍କ ଦେହ ବେଶି କିଛି ଖରାପ ହେଲା କି ? ‘‘ତୁ ପାଗଳ ପରି କାହିଁକି କହୁଛୁ ମ । ମୁଁ ସଫା କହୁଛି, ବଳରାମବାବୁଙ୍କ ଦେହ କିଛି ହୋଇନି, ସେ ଦେହ ଖରାପ ବାହାନାରେ ଆମ ସମସ୍ତଙ୍କୁ ସେଠାରେ ଏକଜୁଟ କରି ଆମରି ଦମ୍ଭରେ ତତେ କୋଳକୁ ଟାଣି ନେବେ...... ।’’

ମୋ ମନଟାତ ବେଳକୁବେଳ ଅଥୟ ହୋଇପଡ଼ୁଚି । କେବେ ଦିନେହେଲେ ଏଭଳି ହୋଇ ନ ଥିଲା । ହଉ ଠାକୁରଙ୍କର ଯାହା ବରାଦ ଥିବ । ତୁ ଶଶି ଯାହା କହ, ଚଉଠିରାତି ଫଉଠିରାତି ହେବାର ସ୍ପୃହା ମୋର ଆଉ ନାହିଁ । ମନଟା ଥରେ ଭାଙ୍ଗିଗଲେ ଆଉ ଯୋଡ଼ିହେବା ସହଜ ନୁହେଁ । ମୁଁ କେବଳ ଭାବୁଛି ଲୋକଟା ଭଲରେ ଥାଉ । ସେତିକି ଶୁଣିଲେ ବେଶ୍ ।

ଗାଡ଼ି ଆସି ନିର୍ଦ୍ଦିଷ୍ଟ ,ଷ୍ଟେସନରେ ପହଞ୍ଚିଲା । ପାଞ୍ଚଜଣଯାକ ଓହ୍ଲାଇ ଅଚ୍ୟୁତାନନ୍ଦ ଦାସ ବାବାଜୀଙ୍କ ମଠ ସମ୍ପର୍କରେ ଖୋଜଖବର ନେଉ ନେଉ ଦୁଇଜଣ ବାବାଜୀ ବେଶଧାରୀ ଯୁବକ ସେମାନଙ୍କୁ ଅଭ୍ୟର୍ଥନା ସହକାରେ ମଠଆଡ଼କୁ ପାଛୋଟି ନେଇଗଲେ । ରାସ୍ତାରେ ଯିବାବେଳେ ଜଣେ କହିଲେ, ବଳରାମ ବାବୁଜୀ ସାଙ୍ଘାତିକ ବେମାର ହୋଇ ପଡ଼ିଛନ୍ତି । ଆଜିକି ଚାରିଦିନ ହେଲା ବାବା ତାଙ୍କ ପାଖରୁ ଉଠି ମୁହୂର୍ତ୍ତେ ହେଲେ କୁଆଡ଼େ ଯିବାର ଉପାୟ ନାହିଁ । ଆମେ ଦୁହେଁ ତ କାଲିଠାରୁ ଆସିଲୁଣି । ରାତିରେ ଘଟଣା କ‘ଣ ହୋଇଥିବ କେଜାଣି । ବାବାଜୀଙ୍କଠାରୁ କଥା ଶୁଣୁ ଶୁଣୁ ସମସ୍ତଙ୍କର ଛାତିରେ ଛାନିଆଁ ପଶିଗଲା । ସରୋଜିନୀର ଦେହ ଅଚଳ ହୋଇ ପଡ଼ିଲା । ସେ ଆଉ ପାଦେ ହେଲେ ଚାଲି ପାରିଲା ନାହିଁ । ଶଶି ଆଉ ବଇବାବୁ ତାକୁ ଶାନ୍ତ୍ୱନା ଦେଇ ହାତ ଧରି ଧରି ନେଉ ଥାଆନ୍ତି । ବାଟରେ ସରୋଜିନୀ ଛୋଟ ପିଲାଙ୍କ ପରି କାନ୍ଦି ଉଠୁଥାଏ ଏବଂ ମଝିରେ ମଝିରେ ଅଚେତା ଭଳି ହୋଇ ପଡ଼ୁଥାଏ । ଶଶି କେବଳ ତାକୁ ଦମ୍ଭ ଦେବାରେ ଲାଗିଥାଏ– ବଳରାମ ବାବୁ ତତେ ଦେଖିବା ମାତ୍ରେ ନିଶ୍ଚେ ଭଲ ହୋଇଯିବେ । ତୁ ମୋଟେ ଦୁଃଖ କରନା । ଚିନ୍ତା କରି କରି ତାଙ୍କୁ ବେମାର ଧରି ନେଇଛି ।

ଗତ ଦୁଇଦିନ ହେଲା ସେହି ରୋଗ ଶଯ୍ୟାରେ ବଳରାମ ବାବୁ କଥା ତ କହି ପାରୁ ନାହାନ୍ତି, କେବଳ ହାତରେ ଠାରି ବାବାଜୀଙ୍କୁ କ’ଣ ଇଙ୍ଗିତ ଦେଉ ଥାଆନ୍ତି । ବାବାଜୀ ବହୁ ସମୟ ପରେ ତାଙ୍କର ଠାର ବୁଝି ସାନ୍ତ୍ୱନା ଦେଉଥାଆନ୍ତି ଯେ– ସରୋଜିନୀ ପ୍ରଭୃତି ଏଇ ଆସିଗଲେଣି– ଏତକ ଶୁଣିବା ମାତ୍ରେ ରୋଗୀର ମୁହଁ ଟିକିଏ ପ୍ରଶନ୍ନ ହୋଇ ଉଠେ । ପୁଣି ସେଇ ଠାର ।

ବାବାଜୀଙ୍କର ମଧ୍ୟ ପୂର୍ଣ୍ଣ ବିଶ୍ୱାସ ଥାଏ, ସରୋଜିନୀକୁ ଆଖିରେ ଦେଖିବା ମାତ୍ରେ ବଳରାମଙ୍କର ରୋଗ ଉପଶମ ହୋଇଯିବ ତେଣୁ ସେ ଆଶ୍ରମର ଲୋକଙ୍କୁ ବାଟରେ ଜଗେଇ ଦେଇ ଥାଆନ୍ତି । ବଳରାମବାବୁ ବିଶେଷ ବ୍ୟାକୁଳ ହୋଇ ଯେତେବେଳେ ବାବାଜୀଙ୍କ ହାତ ଦୁଇଟିକୁ ଧରି ଠାରିଲେ– ସେତେବେଳେ ବାବାଜୀ ତାଙ୍କ ଚେଲାକୁ ଡାକି ପଚାରିଲେ ଆରେ ରାସ୍ତାଆଡ଼େ ଦେଖ କାଳେହେଁ ଆସୁଥିବେ ।

ଟିକିଏ ଛାଡ଼ି ଯମୁନା ଦାସ ଫେରି ଆସି କହିଲେ– ହଁ ବାପା ଆମ ଗୁରୁଭାଇ ଦୁହିଁଙ୍କ ସଙ୍ଗରେ କିଏ ପାଞ୍ଚଜଣ ଆସୁଛନ୍ତି । ବାବାଜୀ ତରତର ହୋଇ ଦୌଡ଼ି ଆସିଲେ...... ବିମଳା ଦେବୀଙ୍କୁ ଦେଖିବା ମାତ୍ରେ ବାବାଜୀ ଟିକିଏ ବିସ୍ମିତ ହୋଇ କହିଲେ, ବିମଳା ଦେବୀ ଯେ ! ହଉ ହଉ ଶୀଘ୍ର ଆସ । ସଂସାରର ମାୟା ମମତା ଛାଡ଼ି, ବାବାଜୀ ହୋଇଥିଲି, କିନ୍ତୁ ବଳରାମ ମତେ ପୁଣି ମାୟା ଜଞ୍ଜାଳ ଭିତରେ ପୂରାଇ ଦେଇଛି ।

ସମସ୍ତେ ବାବାଜୀଙ୍କ ପଛରେ ବଳରାମ ବାବୁ ଶୋଇଥିବା ଘର ଭିତରକୁ ପଶିଗଲେ । ସରୋଜିନୀର ହାତଟିକୁ ଧରି ବାବାଜୀ ବଳରାମ ବାବୁଙ୍କ ପାଖରେ ଠିଆ କରାଇ କହିଲେ, ‘‘ହେଇଟି ସରୋଜିନୀ ପ୍ରଭୃତି ସମସ୍ତେ ଆସିଗଲେ । ପଲକହୀନ ଦୃଷ୍ଟିରେ ବଳରାମବାବୁ ସରୋଜିନୀର ଅପ୍ସରା ନିନ୍ଦିତ ମୁହଁଟିକୁ ଚାହିଦେବା ମାତ୍ରେ ଖଟରୁ ଉଠି ପଡ଼ିବା ପାଇଁ ଉଦ୍ୟତ ହେଲାବେଳେ ବାବାଜୀ ଓ ସରୋଜିନୀ ଦୁହେଁ ତାଙ୍କୁ ଶୁଆଇ ରଖିବାର ବ୍ୟବସ୍ଥା କରୁଥାଆନ୍ତି ।

ବଳରାମବାବୁ ସରୋଜିନୀକୁ ନିଜ ଛାତି ଉପରକୁ ଟାଣି ନେବା ଲାଗି ହାତଟିକୁ ଉଠାଇ ଥାଆନ୍ତି ମାତ୍ର ପାରନ୍ତିନି । ତାଙ୍କର ସେହି ଅପଲକ ଚାହିଁଣୀ ସରୋଜିନୀ ଉପରେ ବରାବର ଲାଖି ରହିଥାଏ । ସେ କିଛି କହିବା ପାଇଁ ଉଦ୍ୟମ କରି ହତାଶ ହୁଅନ୍ତି । ଶବ୍ଦଗୁଡ଼ାକ ସେଇ ତୁଣ୍ଡ ଭିତରେ ହିଁ ମିଳେଇ ଯାଏ । ସରୋଜିନୀ ତାଙ୍କ ଛାତିକୁ ଲାଗି ବସିଥିଲେ ସୁଦ୍ଧା ସେ ନିଜ ଆଡ଼କୁ ଆହୁରି ଟାଣୁ ଥାଆନ୍ତି- ତୁଣ୍ଡଟି କଥା କହିବା ପରି ଜଣା ପଡ଼ୁଥାଏ । ସରୋଜିନୀ ଯେତେବେଳେ ତାଙ୍କ ମୁହଁ ପାଖରେ କାନଟିକୁ ନେଇ ଲଗାଇ ଦେଲା ସେ କ’ଣ କହିଲେ କେଜାଣି ଠିକ୍ ସେତିକିବେଳେ........

ବାବାଜୀ ଚିତ୍କାର କରି ଉଠିଲେ– ଅନ୍ୟମାନେ ଭୋ, ଭୋ ରଡ଼ି ଛାଡ଼ିଛନ୍ତି, ସରୋଜିନୀ ମୂର୍ଚ୍ଛିତା ଅବସ୍ଥାରେ ଖଟ ଉପରୁ ତଳକୁ ପିଟିହୋଇ ପଡ଼ିଗଲା ।

ଶଶି, ବଇବାବୁ, ବିରଜାବାବୁ, ମୋତି ଆଦି ସମସ୍ତେ ସରୋଜିନୀ ଚାରିପାଖେ ବସି ସିଞ୍ଚାବିଞ୍ଚା କରୁଥାଆନ୍ତି । ସରୋଜିନୀର ଟିକିଏ ଚେତା ଫେରିଲା ପରି ଜଣାଗଲା । ସେ ଆଖି ବୁଲାଇ ସମସ୍ତଙ୍କ ମୁହଁକୁ ଟିକିଏ ଲକ୍ଷ୍ୟକରି ଅବଶ ହୋଇ ପଡ଼ିଥିବା ହାତ ଦୁଇଟିକୁ ଆସ୍ତେ ଆସ୍ତେ ବିରଜାବାବୁ ଆଉ ଶଶି ଆଡ଼କୁ ନେଲା । କଥା କହିବା ଶକ୍ତି ତା’ର ଆଉ ନ ଥାଏ । ବିରଜା ବାବୁଙ୍କର ହାତଟିକୁ ନିଜ ଛାତି ଉପରେ ରଖି ଶଶିର ହାତଟିକୁ ଟାଣିଆଣି ତା ମଧ୍ୟରେ ରଖିଦେଲା । ପୁଣି ହାତ ବଢ଼େଇଲା ବଇବାବୁ ଓ ମୋତି ଆଡ଼କୁ । ବଇବାବୁଙ୍କ ହାତରେ ମୋତିର ହାତଟିକୁ ଧରାଇ ଦେଉ ଦେଉ ଦୃଷ୍ଟିର ଗତି ସାମାନ୍ୟ ଊର୍ଦ୍ଧ୍ୱ ହୋଇ ଆସିଲା, ବେଶ୍.......

ଏ ସବୁ ଘଟଣାରେ ବାବାଜୀଙ୍କର ସୁଦ୍ଧା ଟାଣୁଆ ଛାତି ଭିତରଟା ସମ୍ଭାଳି ନ ପାରି ତରଳି ଯାଇଥାଏ । ଆଖିରୁ ଲୁହଧାରଗୁଡ଼ାକ ନିର୍ଗତ ହୋଇ ସାନ୍ଧ୍ର ଦାଢ଼ି ଭିତରେ ଲୁଚି ରହିଥାଆନ୍ତି-

ବାବାଜୀ ବାସ୍ପରୁଦ୍ଧ କଣ୍ଠରେ ଚେଲାମାନଙ୍କୁ ଡାକି କହିଲେ, ଆଉ ଅପେକ୍ଷା କାହିଁକି ? ଗୋଟିଏ ସମାଧିର ବ୍ୟବସ୍ଥା କର । ବଡ଼ ଚେଲା ଗୋପାଳ ଦାସ ଗାମୁଛା କାନିରେ ଆଖି ସଫା କରି ପଚାରିଲେ, ଦୁଇଟି ଦରକାର ପରା ? ବାବାଜୀ ଲୁହଧାର ଛୁଟାଇ କହିଲେ– ଏକ ଚିଡ଼ିୟାଁ ଦୋ ପଞ୍ଜୁରୀମେ ଥେ । ଅବ ଦୋନୋକା ଜରୁରତ୍ କ୍ୟା ହୈ ?

ତାପରେ– ଗୋଟିଏ ସମାଧିରେ ଦୁଇଟି ସତ୍ୟାଗ୍ରହୀର ଶରୀର ଭୂତଳଶାୟୀ ହୋଇ ରହିଲା ସେଇ ଅନାଦି ଦାସ ବାବାଜୀଙ୍କ ଆଶ୍ରମ ବେଢ଼ା ଭିତରେ । ସେ ସମାଧିର ଇତିହାସ ଚିରଦିନ ପାଇଁ ଦାମ୍ପତ୍ୟଜୀବନଧାରୀମାନଙ୍କୁ କିଛି ସୂଚନା ଦେଉଥିବ ପରା !

ସରୋଜିନୀର ମୃତ୍ୟୁକାଳୀନ ଇଙ୍ଗିତକୁ କାର୍ଯ୍ୟରେ ଖଟେଇ ବିମଳା ଦେବୀ ନିଜର କର୍ତ୍ତବ୍ୟ ଶେଷ କରିବା ପାଇଁ ତିଆରି ହୋଇ ରହିଥାଆନ୍ତି । କିନ୍ତୁ ଶଶି, ବଇବାବୁ, ବିରଜାବାବୁକୁ, ମୋତି କେହି ଟିକିଏ ହେଲେ ଧରାଛୁଆଁ ଦିଅନ୍ତି ନାହିଁ । ଶଶି କହିଲା ମା ! ଆମେ ତୁମ ଆଦର୍ଶକୁ ନେଇ ବଞ୍ଚିଥିବା ଯାଏଁ ଗାନ୍ଧୀଜୀଙ୍କର ଉପାସନା କରି ସେ ଦେଖାଇ ଦେଇଥିବା ରାସ୍ତାରେ ଚାଲୁଥିବୁ ମାତ୍ର ଯେଉଁ ବିଷୟ ନେଇ ତୁମେ ଏତେ ବ୍ୟଗ୍ର ସେତକ ଏ ଜୀବନରେ ଆଉ କରିବା ପାଇଁ ମୁଁ ସେହିଦିନ ହିଁ ସ୍ଥିର କରିନେଇଛି । ପିଲାଦିନୁ ଦଣ୍ଡେ ପାଖରୁ ନ ଛାଡ଼ି ଛାଇ ଭଳି ଯେ ପାଖରେ ରହିଥିଲା ସେ ତ ଛାଡ଼ି ଚାଲିଗଲା– ଆଉ ସାଙ୍ଗ ମୋର ଲୋଡା ନାହିଁ । ମୁଁ ବଞ୍ଚିଥିବା ଯାଏଁ ସରୋଜିନୀ ମତେ ଯାହା କରିବା ଲାଗି କହୁଥିଲା ତାହା ଦୁହେଁ କରିଥାଆନ୍ତୁ । ମୁଁ ଏବେ ଏକୁଟିଆ କରିବି । ଅନ୍ୟମାନେ ସହଯୋଗ କଲେ ଭଲ । ଶଶିର ମନ୍ତବ୍ୟକୁ ଅନ୍ୟ ତିନି ଜଣ ସମର୍ଥନ କରିନେଲେ ।

ବାବାଜୀ ଓ ବିମଳା ଦେବୀ ଆଉ କରନ୍ତେ କ’ଣ । ଏମାନେ ତ କିଛି ପିଲାଛୁଆ ହୋଇ ନାହାନ୍ତି ଯେ- ଜବରଦସ୍ତି ସେମାନଙ୍କୁ ଗୋଟାଏ କିଛି କରିଦେଇ ହେବ ।

ହଉ ତୁମ ଇଚ୍ଛା କ’ଣ କରୁଚ କର– ମୋ କଥାତ ରକ୍ଷା କଲ ନାହିଁ ? ବିମଳା ଦେବୀଙ୍କ କଥା ଉପରେ ସମସ୍ତେ ଏକ ସ୍ୱରରେ କହି ଉଠିଲେ, ମା । ଆମେମାନେ ପରା ତୁମର ବାକିଥିବା କାମଗୁଡ଼ିକ ପୂରଣ କରିବୁ । ଆଉ ଦୁଃଖ କରିବାର କ’ଣ ଅଛି ?

ବିମଳା ଦେବୀ ତାଙ୍କର ଲୁଣମରା ଆନ୍ଦୋଳନ ବେଳର ସହକର୍ମୀ ଅଚ୍ୟୁତାନନ୍ଦ ବାବାଜୀଙ୍କର ହୃଷିକେଶ ଆଶ୍ରମରେ ରହିବା ସ୍ଥିର ହେଲା । ଏମାନେ ବଦରିକା ଆଶ୍ରମକୁ ଫେରି ଆସିଲେ ।

ବଇବାବୁ, ଶଶି, ବିରଜାବାବୁ ମୋତି ଆଦି କର୍ମୀମାନଙ୍କ ସଂଗଠନ ପ୍ରଭାବରୁ ଏବେ ଦେଶ ଭିତରେ ଯେଉଁ ବାତ୍ୟା ବହିଯାଉଛି ସେଥିରେ ସର୍ବହରାମାନେ ଖୁବ୍ ଆଶାବାଦୀ ହୋଇ ପଡ଼ିଛନ୍ତି । ଶ୍ରମିକମାନଙ୍କ ମନରେ ଆସିଛି ଦମ୍ଭ । ନିରକ୍ଷରମାନଙ୍କର ଶିକ୍ଷା ପ୍ରୀତି ଜାଗ୍ରତ ହେଲାଣି-। ସର୍ବୋପରି ସମାଜରେ ଚିପିହୋଇ ରହିଥିବା ଅନୁନ୍ନତ ଜାତିରେ ଲୋକ ଯେଉଁମାନେ ତ୍ରାହି ତ୍ରାହି ଡାକୁଥିଲେ ସେମାନଙ୍କର ମୁହଁ ଉଜ୍ଜ୍ୱଳ ହୋଇ ଆସୁଚି ।

ଚାରିଆଡ଼େ ଯାହା ମୁହଁରୁ ଶୁଣିବ ‘‘ବଦରିକା ଆଶ୍ରମରୁ ନୂଆ ଯୁଗ ସୃଷ୍ଟି ହେଲାଣି ।’’

Image